ବାଲେଶ୍ବର: ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ । ବର ସଜବାଜ ହୋଇ ପାଲିଙ୍କିରେ ବସି କନିଆଁ ଘର ଅଭିମୁଖେ ବାହାରିଥିଲା । ବାଣ ରୋଷଣୀ ସାଙ୍ଗକୁ ନାଚ ଗୀତରେ ଦୁଲୁକି ପଡୁଥିଲା ବାଲେଶ୍ୱର ସହର । ସମସ୍ତେ ଭାବୁଥିଲେ କେହି ଜଣେ ମଣିଷର ବାହାଘର ହେଉଛି । ମାତ୍ର ଏହି ବାହାଘର ଶୋଭାଯାତ୍ରା କଣ୍ଢେଇର ଚାଲିଥିଲା । ଜଉ କଣ୍ଢେଇ ବାହାଘର କମିଟି ପକ୍ଷରୁ ଏମିତି ଶୋଭାଯାତ୍ରା କରି ବିବାହ ପାଇଁ କନିଆଁ ଘରକୁ ଯାଇଥିଲେ ବରଘର ପକ୍ଷ ।
କାହିଁକି ହୁଏ କଣ୍ଢେଇ ବିବାହ ?
2003 ମସିହା ପାଖରୁ ଜଉ କଣ୍ଢେଇର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ସେବେ ଠାରୁ ଜଉ କଣ୍ଢେଇ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓ ସେମାନଙ୍କୁ ତାଲିମ ପ୍ରଦାନ କରିବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଯେଉଁଥିରେ ବହୁ ଜଉ କଣ୍ଢେଇ ଶିଳ୍ପୀ ସାମିଲ ହୋଇଥିଲେ । ଧୀରେଧୀରେ ନୂଆ ନୂଆ ଶିଳ୍ପୀମାନେ ଜଉ କଣ୍ଢେଇ ଗଢିବା ପାଇଁ ମନସ୍ଥ କରି ଯୋଡି ହୋଇଥିଲେ । 2011 ମସିହାରେ ବାଲେଶ୍ଵରର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଜଉ କଣ୍ଢେଇ କମିଟି ଗଠନ କରାଯାଇ କଣ୍ଢେଇ ବିବାହ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେବେଠାରୁ ପ୍ରତିବର୍ଷ ଜଉ କଣ୍ଢେଇ ବାହାଘର ହୋଇ ଆସୁଛି ।
କିପରି ହୁଏ କଣ୍ଢେଇ ବିବାହ ?
ପ୍ରତିବର୍ଷ ବର ଓ କନିଆଁମାନଙ୍କ ନାମକରଣ କରାଯାଉଛି । ବର ପିତା ଏବଂ କନ୍ୟା ପିତାମାନଙ୍କୁ ଚୟନ ପରେ ଲଗ୍ନଧରା କାର୍ଯ୍ୟକ୍ରମ କରାଯାଇଥାଏ । ଏହାପରେ କଣ୍ଢେଇମାନଙ୍କ ମଙ୍ଗନ, ହଳଦୀ ରସମ ଆଦି କାର୍ଯ୍ୟକ୍ରମ କରାଯାଇ ବରଧରା କରାଯାଇଥାଏ । ପରେ ବର ସଜେଇ ହୋଇ ଶୋଭାଯାତ୍ରାରେ କନିଆଁ ଘରେ ଯାଇ ପହଞ୍ଚିଥାଏ । ସେଠାରେ ବରକୁ କନିଆଁ ଘର ପକ୍ଷରୁ ପାଛୋଟି ନିଆଯାଇଥାଏ। ବେଦିରେ ହୋମ ନିଆଁ ଆଗରେ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଦୁଇ କଣ୍ଢେଇଙ୍କ ହାତଗଣ୍ଠି ପଡ଼ିଥାଏ । ଯେମିତି ଜଣେ ମଣିଷ ବିବାହ ହୋଇଥାଏ ଠିକ ସେମିତି କଣ୍ଢେଇ ବିବାହ ପରେ ସମୁଦି ମିଳନ କରାଯାଇଥାଏ । ସେହିପରି ଚଳିତ ବର୍ଷ ମଧ୍ୟ ଜଉ କଣ୍ଢେଇ ବାହାଘର ଅଗଷ୍ଟ ୩ ତାରିଖରେ ସମ୍ପନ୍ନ ହୋଇଛି । ଏଥର ଜଉ କଣ୍ଢେଇଙ୍କ ନାଁ ଓଡ଼ିଆ କଥା ସାହିତ୍ୟର ଜନକ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ ଗଳ୍ପ ପେଟେଣ୍ଡ ମେଡିସିନର ଚରିତ୍ର ଅନୁସାରେ ଚନ୍ଦ୍ରମଣି ଏବଂ ସୁଲୋଚନା ରଖାଯାଇଛି । ବର ପିତା ମାତା ଭାବେ କାଳୀଶଙ୍କର ଦାସ ଓ ସୌଭାଗିନୀ ମିଶ୍ର ଏବଂ କନ୍ୟା ପିତାମାତା ଭାବେ ପଙ୍କଜ ଜେନା ଓ ସୁଚିତ୍ରା ଜେନା ଉଭୟ କଣ୍ଢେଇଙ୍କ ବିବାହ କରାଇଛନ୍ତି । ବୈଦିକ ରୀତିନୀତିରେ କୁଳ-ପୁରୋହିତ ନଣ୍ଡା ଗୋସେଇଁ ମଠରେ ଏହି ବିବାହ ସମ୍ପନ୍ନ କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ:
ଖ୍ରୀଷ୍ଟିୟାନ ହାଇସ୍କୁଲ ପଡ଼ିଆରେ ଜଉ କଣ୍ଢେଇ ବାହାଘର ପାଇଁ 5 ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁଠି ବିଭିନ୍ନ ଦୋକାନ ବଜାରର ପସରା ମେଳିଛି । ଜଉ କଣ୍ଢେଇ ବିବାହର ଚତୁର୍ଥୀ ଭୋଜିରେ ବାଲେଶ୍ଵରର ସବୁବର୍ଗର ଲୋକମାନେ ସାମିଲ ହେବା ନେଇ ସୂଚନା ଦିଆଯାଇଛି । ଜଉ କଣ୍ଢେଇ ବାହାଘର ଉତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ଶିଳ୍ପୀ କେଶୁ ଦାସ କହିଛନ୍ତି," 2003 ମସିହାରେ ଜଉ କଣ୍ଢେଇ ଲୋକ ଲୋଚନକୁ ଆଣିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲି । ସେତେବେଳେ ଜଉ କଣ୍ଢେଇ ତିଆରି କରୁଥିବା ଶିଳ୍ପୀମାନଙ୍କୁ ନେଇ କେମିତି ନୂତନ ଶିଳ୍ପୀ ଏ ଦିଗରେ ଆକୃଷ୍ଟ ହେବେ ସେନେଇ ପ୍ରୟାସ ପୂର୍ବକ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଥିଲା। ଆଜି ଶିଳ୍ପୀମାନଙ୍କ ମନରେ ବହୁତ ଖୁସି ରହିଛି ଯେ ସେମାନଙ୍କର ହାତ ତିଆରି ଜଉ କଣ୍ଢେଇ ବଜାରରେ ବିକ୍ରି ହୋଇ ପାରୁଛି ।"
ବେଶ ଖୁସି କମିଟି ସଦସ୍ୟ ଓ ଆୟୋଜକ:
ଆୟୋଜକ କମିଟି ସଦସ୍ୟ ସୁଶ୍ରୀ ବେହେରା କହିଛନ୍ତି, "ଏହା ଦୁଇଟି କଣ୍ଢେଇର ବିବାହ ହେଉଛି ସତ, ମାତ୍ର ମଣିଷମାନଙ୍କର ଯେମିତି ବିବାହ ହୁଏ ଏମାନଙ୍କର ମଧ୍ୟ ସେମିତି ବିବାହ କରାଯାଉଛି । ବରକୁ ହଳଦୀ ଲଗାଇବା ଏବଂ ମଙ୍ଗନ ହାଣ୍ଡି ବସାଇ ମୁଁ ଭାରି ଖୁସି ଅନୁଭବ କରୁଛି । ୫ ଦିନ ଧରି ଏହି ବିବାହ ଉତ୍ସବ ଚାଲିବାକୁ ଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ଟାଣି ଆଣୁଛି ।"
ଅନ୍ୟପଟେ ଆୟୋଜକ ଡାକ୍ତର ଅମିତାଭ ଗିରି କହିଛନ୍ତି," ଏମିତି କଣ୍ଢେଇମାନଙ୍କ ବିବାହ ନିଶ୍ଚୟ ଜଉ କଣ୍ଢେଇ ଶିଳ୍ପୀମାନଙ୍କ ମନରେ ଉତ୍ସାହ ଭରିଦେବ । ସେମାନଙ୍କ କଳାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଏ ପ୍ରୟାସ। ଜଉ କଣ୍ଢେଇ ନାମରେ ଏକ ଗାଁ ନାମିତ ମଧ୍ୟ ହୋଇଛି । ଏଠାରେ ଶିଳ୍ପୀମାନେ କଣ୍ଢେଇ ତିଆରି କରିବାରେ ସିଦ୍ଧହସ୍ତ । ଜଉ କଣ୍ଢେଇ କିପରି ଆହୁରି ଲୋକାଭିମୁଖୀ ହୋଇପାରିବ ତାହା ଆମର ପ୍ରୟାସ ।" ତେବେ ଏମିତି ଅନନ୍ୟ ବିବାହ ଉତ୍ସବ ଏବେ ବାଲେଶ୍ୱରରେ ଆହୁରି ୩ ଦିନ ଚାଲିବାକୁ ଥିବା ବେଳେ ଲୋକମାନଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳୁଛି ।
ଇଟିଭି ଭାରତ, ବାଲେଶ୍ବର