ରାଉରକେଲା: ଆଖି ଆଗରେ ନିର୍ବାଚନ । ଏନେଇ ଦଳୀୟ କାର୍ଯ୍ୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା । ଜିଲ୍ଲାରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ଓ ପ୍ରମୁଖ ନେତାମାନଙ୍କୁ ଭେଟି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନ ହିତକାରୀ ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବେ ।
ନିର୍ବାଚନକୁ ନେଇ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା ୨ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଆଜି ରାଉରକେଲା ବିମାନ ବନ୍ଦରରେ ଅପରାହ୍ନ ୨.୨୫ରେ ପହଞ୍ଚିବା ପରେ ସେଠାରୁ ହକି ଭିଲେଜରେ ପହଞ୍ଚିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିିୟା ରଖି ଜନ ବାର୍ଲା କହିଛନ୍ତି, "ଏଥର ମୋଦିଙ୍କ ଥିବା ଭିଜନ 400 ପାର ଏବଂ ବିକଶିତ ଭାରତ ପ୍ରଚାର କରିବା ପାଇଁ ଆଜି ସୁନ୍ଦରଗଡ଼ ଆସିଛି । ପ୍ରତ୍ୟେକ ଜିଲ୍ଲାର ଲୋକଙ୍କ ସହ ମିଶିବାକୁ ଆସିଛି ।ଏହାସହ ମୋଦିଙ୍କ ଯୋଜନା ବିଷୟରେ ଲୋକଙ୍କୁ ସେଚେତନ କରିିବା ପାଇଁ ଆସିଛୁ । ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ତାଙ୍କର ପ୍ରାଥମିକତା ଥିଲା, 'ସବ କା ସାଥ, ସବକା ବିକାଶ, ସବକା ବିଶ୍ଵାସ, ସବକା ପ୍ରୟାସ' । ଏହାକୁ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି । ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ବିଶେଷକରି ଖ୍ରୀଷ୍ଟିଆନ ବିଶପ ଓ ପ୍ରମୁଖ ନେତାମାନଙ୍କୁ ଭେଟି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନ ହିତକାରୀ ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବି ।"
ତେବେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା ଆଜି ଜିଲ୍ଲାର ହମିରପୁର ଚର୍ଚ୍ଚ ବିଶପଙ୍କୁ ଭେଟିବା ସହିତ ଖ୍ରୀଷ୍ଟିଆନମାନଙ୍କ ଏକ ବୈଠକରେ ଯୋଗ ଦେବେ । କେନ୍ଦ୍ର ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବେ । ସେହିପରି ଆସନ୍ତାକାଲି (ସୋମବାର) ୨୨ ତାରିଖ ଦିନ ସକାଳ ୧୦ଟା ସମୟରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର କୁଆଁରମୁଣ୍ଡା ବ୍ଲକ ଜୟଡେଗା ଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ । ସେହିଦିନ ଦିବା ୧୨.୩୦ ସମୟରେ ରାଜଗାଙ୍ଗପୁର ଠାରେ ଜିଇଏଲ ଚର୍ଚ୍ଚରେ ବିଶପ ହାଉସରେ ସୌଜନ ମୂଳକ ସାକ୍ଷାତ କରିବା ସହିତ ରାଜଗାଙ୍ଗପୁର ଠାରେ ଚର୍ଚ୍ଚ ଲିଡରମାନଙ୍କ ଏକ ବୈଠକରେ ଯୋଗ ଦେବେ । ଏହାସହ ଅପରାହ୍ନରେ ସୁନ୍ଦଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ଏହାପରେ ସେ ଝାରସୁଗୁଡ଼ା ଷ୍ଟେସନରୁ ଟ୍ରେନ ଯୋଗେ କଲିକତା ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ସୁନ୍ଦରଗଡ଼