ପୁରୀ: ରାଜ୍ୟସଭା ପାଇଁ ଆଜି ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ଵିନୀ । ଏହା ପୂର୍ବରୁ ଆଜି ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଅଶ୍ବିନୀ । ଏହାସହ ପୁରୀ ରେଲୱେ ଷ୍ଟେସନ ଯାଇ ଷ୍ଟେସନର ନବୀକରଣ କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ଅଶ୍ଵିନୀ କହିଛନ୍ତି, "ରାଜ୍ୟସଭା ପାଇଁ ମନୋନୀତ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଆସିଛି । ପୁଣି ଗୁରୁ ଦାୟିତ୍ଵ ମିଳିଥିବାରୁ ଓଡ଼ିଶାବାସୀଙ୍କ ସେବା ଓ ଓଡ଼ିଶାର ପ୍ରଗତି କିଭଳି ଅଧିକ ହୋଇ ପାରିବ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ମହାପ୍ରଭୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବି, କେମିତି ଓଡ଼ିଶାର ସବୁବେଳେ ବିକାଶ ହେଉ, କେମିତି ଓଡ଼ିଶାରେ ସମସ୍ତଙ୍କର ଭଲ ହେଉ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତ ପାଇଁ, ଓଡ଼ିଶା ପାଇଁ ଯାହା ସ୍ବପ୍ନ ଅଛି ତାହା ସାକାର ହେଉ । ପୁରୀ ମହାପ୍ରଭୁଙ୍କ କ୍ଷେତ୍ରରେ ଅନେକ ନୂଆ ନୂଆ ଜିନିଷ ହେବ । ପୁରୀରୁ ଅଯୋଧ୍ୟା ଟ୍ରେନ ଗଡ଼ିବ ।"
ଏହା ମଧ୍ୟ ପଢ଼ନ୍ତୁ....ଆମେ କାହାକୁ ସମର୍ଥନ ମାଗି ନାହୁଁ, ବିଜେପି ରାଜ୍ୟସଭା ଏକାକୀ ଲଢ଼ିବ ଓ ଜିତିବ: ମନମୋହନ ସାମଲ
ତେବେ କେନ୍ଦ୍ର ମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ବଡଦାଣ୍ଡରେ ପହଞ୍ଚିବା ପରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଆଶ୍ୱିନୀଙ୍କୁ ସ୍ୱାଗତ କରିବା ସହ ଖଣ୍ଡୁଆ ଦେଇ ଶ୍ରୀମନ୍ଦିରକୁ ନେଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରରେ ପ୍ରବେଶ କରିଥଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ବେଢ଼ା ପରୀକ୍ରମା କରି ବିଭିନ୍ନ ଦେବଦେବୀଙ୍କୁ ଦର୍ଶନ କରିଥିଲେ । ପରେ ରଥ ଖଳାକୁ ଆସି ପୂଜା ହୋଇଥିବା ରଥ କାଠକୁ ପ୍ରଣାମ କରିଥିଲେ । ସେଠାରୁ ପୁରୀ ରେଲୱେ ଷ୍ଟେସନ ଯାଇ ଷ୍ଟେସନର ନବୀକରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ତେବେ ଆସନ୍ତାକାଲି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ୱିନୀ । ବିଜେପି ପକ୍ଷରୁ ତାଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା କରାଯାଇଥିବା ବେଳେ ବିଜେଡି ମଧ୍ୟ ଏହାକୁ ସମର୍ଥନ କରିଛି । ରାଜ୍ୟର ସ୍ୱାର୍ଥ କଥା ଦର୍ଶାଇ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଇଟିଭି ଭାରତ, ପୁରୀ