ପୁରୀ: ନିର୍ବାଚନ ବିଗୁଲ୍ ବାଜିବା ପରେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୀତି ପାଣିପାଗ ଏବେ ସରଗରମ ରହିଛି । ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ କିନ୍ତୁ ଘୋଷଣା କରିନାହିଁ । ତେବେ ପୁରୀରୁ ବରିଷ୍ଠ ନେତା ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ଟିକଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଉମାବଲ୍ଲଭ ରଥ ମଧ୍ଯ ଟିକେଟ ପାଇଁ ଆବେଦନ କରିଥିବା ବେଳେ ଦଳ ତାଙ୍କୁ ଟିକେଟ ଦେବ ବୋଲି ସେ ଆଶା ରଖିଛନ୍ତି । ତେବେ ଆଗାମୀ ନିର୍ବାଚନରେ ସେ ଲଢ଼ିବେ କି ନାହିଁ, ଯଦି ଦଳୀୟ ଟିକଟ ନ ମିଳିଲା ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇ କି ନାହିଁ? ଯଦି ଟିକେଟ ନ ମିଳେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ କି ନାହିଁ? ସେ ନେଇ ବରିଷ୍ଠ ନେତା ଉମାବଲ୍ଲଭ ରଥ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ।
ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଉମା କହିଛନ୍ତି ଯେ, ସେ ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିଛନ୍ତି । ଲୋକଙ୍କ ସମସ୍ୟା, ପୁରୀ ସହରର ଉନ୍ନତି ତାଙ୍କର ମୁଖ୍ୟ ଲକ୍ଷ୍ୟ । ତେଣୁ ଜନସାଧାରଣ, ତାଙ୍କ ଶୁଭେଛୁଙ୍କ ପରାମର୍ଶରେ ସେ ପୁରୀରୁ 2024 ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ତାଙ୍କୁ ଟିକେଟ ନିଶ୍ଚିତ ଦେବ ବୋଲି ସେ ଆଶା ରଖିଥିବା ଉମା କହିଛନ୍ତି । ଦଳୀୟ ଟିକେଟ ନ ମିଳିଲେ ମଧ୍ୟ ସେ ନିର୍ବାଚନକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପରୋକ୍ଷରେ ଉମା କହିଛନ୍ତି । ତେବେ ଦଳର ନିଷ୍ପତ୍ତି ଅନୁଯାୟୀ 2019 ସେ କଟକ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ପୁରୀ ସଦରରେ ବେଦାନ୍ତ ନେଇଥିବା ମୂଲ୍ୟବାନ ଜମି ଆନ୍ଦୋଳନରେ ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ପରେ ତାଙ୍କ ଶୁଭେଛୁ ତାଙ୍କୁ ପୁରୀ ଆସି ଆଗାମୀ ନିର୍ବାଚନ ଲଢ଼ିବାକୁ ଅନୁରୋଧ ପରେ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଉମା କହିଛନ୍ତି ।
ଉମା ଏହା ମଧ୍ୟ କହିଛନ୍ତି ଯେ, ପୁରୀରେ ବିଜେଡି ସରକାରର ଦାଦାଗିରି ଚାଲିଛି । ପୋଲିସ ଲଗାଇ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଚାଲିଛି। ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା, ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ, ପୁରୀ ବାସିନ୍ଦାଙ୍କ ଥିବା ଦୀର୍ଘ ଦିନର ଜମିଜମା ସମସ୍ୟା, ବସ୍ତି ବାସିନ୍ଦା, ଚାଷୀଙ୍କ ସମସ୍ୟା, ସହିତ ପୁରୀ ସହରର ଉନ୍ନତି ପ୍ରସଙ୍ଗ ନେଇ ସେ ନିର୍ବାଚନ ଲଢ଼ିବେ । ପୁରୀ ବିଧାନସଭାବାସୀ ବିଜେଡି ଓ କେନ୍ଦ୍ର ବିଜେପି ସରକାରର ଅନ୍ୟାୟ, ଅତ୍ୟାଚାରକୁ ନେଇ ବିତସ୍ପୃହ ହୋଇଗଲେଣି । ତେଣୁ ଆଗାମୀ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀ ବାସିନ୍ଦା ତାଙ୍କୁ ବିପୁଳ ସମର୍ଥନ ଦେବେ ବୋଲି ସେ ଆଶା ରଖିଛନ୍ତି । ତେବେ ସେ ଯଦି ନିର୍ବାଚିତ ହୁଅନ୍ତି 100 ଦିନ ଭିତରେ ପୁରୀ ସହରବାସୀଙ୍କ ପ୍ରମୁଖ ସମସ୍ୟା ଥିବା ଜମିଜମା ସମସ୍ୟାକୁ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ପୁରୀ