ଭୁବନେଶ୍ୱର: ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଉଦଘାଟିତ ହେଲା ଉତ୍କର୍ଷ କେନ୍ଦ୍ର । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ମାଧ୍ୟମରେ ଦୁଇଟି ଉତ୍କର୍ଷ କେନ୍ଦ୍ରର ଉଦଘାଟନ କରିଛନ୍ତି । ଦୁଇଟି ଉତ୍କର୍ଷ କେନ୍ଦ୍ର ହେଉଛି ଗଣମାଧ୍ୟମ ଏବଂ ମନୋରଞ୍ଜନ ଓ ଇଲେକ୍ଟ୍ରୋନିକ୍ସ । ଏହା ଯୁବପିଢିଙ୍କୁ ନିଯୁକ୍ତି ଓ ଭବିଷ୍ୟତ ଉପଯୋଗୀ ଦକ୍ଷତାରେ କୁଶଳ କରିବ । ଯାହା ଦ୍ୱାରା ସେମାନଙ୍କ ପାଇଁ ବଡ଼ ବଡ଼ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ସମ୍ଭାବନା ବଢିବ ।
ନୂଆଦିଲ୍ଲୀର କୌଶଳ ଭବନରେ ଦର୍ଶକମାନଙ୍କୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଏହି ଦକ୍ଷତା ମୂଳକ ପଦକ୍ଷେପ ଏବଂ ଭାଗିଦାରୀ ଏକବିଂଶ ଶତାବ୍ଦୀର ନିଯୁକ୍ତି ବଜାର ପାଇଁ ଆମ ଜନସଂଖ୍ୟାକୁ ପ୍ରସ୍ତୁତ କରିବ । ସେମାନଙ୍କୁ ଉଦ୍ଭାବକ ଏବଂ ଉଦ୍ୟୋଗୀ ଭାବେ ବିକଶିତ କରିବାରେ ସହାୟକ ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ମଧ୍ୟ ଯୋଗଦାନ କରିବ । ଆମର ଦକ୍ଷତା ବିକାଶ ଇକୋସିଷ୍ଟମକୁ ଅଧିକ ତ୍ୱରାନ୍ୱିତ ଏବଂ ବ୍ୟାପକ କରିବା, ଯୁବ ଶକ୍ତିକୁ ଜ୍ଞାନ ଏବଂ ଦକ୍ଷତା ରେ ସଜ୍ଜିତ କରିବା, ଆଗାମୀ କାଲିର କାର୍ଯ୍ୟକ୍ଷେତ୍ର ପାଇଁ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବା ଏବଂ ଚାହିଦା ଭିତ୍ତିକ ଦକ୍ଷତା ସହିତ ନାଗରିକମାନଙ୍କୁ ସଶକ୍ତ କରିବାର ମୋଦୀ ଗ୍ୟାରେଣ୍ଟି ପୂରଣ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରକାରର ଦକ୍ଷତା ମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି। ''
ଏହା ମଧ୍ଯ ପଢନ୍ତୁ-ଦକ୍ଷତା ବିକାଶ ପ୍ରତିଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ
ସେ ଆହୁରି ମଧ୍ୟ କହିଛନ୍ତି, ''ଭୁବନେଶ୍ବର ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଓ ଇଲେକ୍ଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ଉଦଘାଟନ ଓଡ଼ିଶାର ଦକ୍ଷତା ପ୍ରୟାସକୁ ଅଧିକ ଶକ୍ତି ପ୍ରଦାନ କରିବ । ଏହି ଉତ୍କର୍ଷକେନ୍ଦ୍ର ଯୁବବର୍ଗଙ୍କୁ ଶିଳ୍ପଜଗତ ପାଇଁ ଆବଶ୍ୟକ ହେଉଥିବା କୌଶଳରେ ଦକ୍ଷ କରିବ, ସେମାନଙ୍କୁ ରୋଜଗାରକ୍ଷମ କରିବ, ଜୀବିକା ବୃଦ୍ଧି କରିବ ଏବଂ ଆଗ୍ରହୀମାନଙ୍କୁ ଉଦ୍ୟୋଗୀ ହେବାରେ ସକ୍ଷମ କରିବ। ''
୪୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଅବସ୍ଥିତ ଗଣମାଧ୍ୟମ ଓ ମନୋରଞ୍ଜନ କେନ୍ଦ୍ର ଏବଂ ୧୯୨୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଅବସ୍ଥିତ ଇଲେକ୍ଟ୍ରୋନିକ୍ସ ସେଣ୍ଟର ନୂତନ ଯୁଗର ପାଠ୍ୟକ୍ରମରେ ପାରଦର୍ଶିତା ହାସଲ କରିବା ଦିଗରେ ସହାୟତା କରିବ। ଏହା ସହ ଉପଲବ୍ଧତା, ଅନ୍ତର୍ଭୁକ୍ତୀକରଣ ଏବଂ ଅଭିନବତାକୁ ଏହା ପ୍ରୋତ୍ସାହିତ କରିଥାଏ। ସ୍ମାର୍ଟ କ୍ଲାସରୁମ୍, ୱାଇ-ଫାଇ ସୁବିଧା ଏବଂ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ ଭଳି ଅତ୍ୟାଧୁନିକ ସୁବିଧା ରେ ସଜ୍ଜିତ ଏହି କେନ୍ଦ୍ରଗୁଡ଼ିକ ଆଧୁନିକ ଶିକ୍ଷା ଏବଂ ଦକ୍ଷତା ବିକାଶର ବିବିଧ ଆବଶ୍ୟକତାକୁ ପୂରଣ କରିଥାଏ। ଏହି କେନ୍ଦ୍ର ଏନଇପି ୨୦୨୦ ରେ ଦର୍ଶାଯାଇଥିବା ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି । ଯାହା ଅଭିନବ ଶିକ୍ଷାଗତ ପଦ୍ଧତି, ବୈଷୟିକ ଉନ୍ନତି ଏବଂ ନୂତନ ଯୁଗର ଉପକରଣ ପାଇଁ ଏକ ମଜବୁତ ଭିତ୍ତିଭୂମି ସ୍ଥାପନ କରିବ। ଏଥିରେ ଛାତ୍ରଛାତ୍ରୀଙ୍କୁ ଭିଡିଓ ଏଡିଟର, ସାଉଣ୍ଡ ଏଡିଟର, ଭିଡିଓ ବ୍ଲଗର, ଗ୍ରାଫିକ୍ ଡିଜାଇନର, ସୋସିଆଲ ମିଡିଆ ମ୍ୟାନେଜର, ଡିଜିଟାଲ ମାର୍କେଟିଂ ଏବଂ ଡିଜିଟାଲ ଫଟୋଗ୍ରାଫି ଭଳି ପାଠ୍ୟକ୍ରମରେ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହି ବହୁମୁଖୀ ଆଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ୯୦୦ ଆଶାୟୀ ପ୍ରାର୍ଥୀଙ୍କୁ ସଶକ୍ତ କରିବା ଏବଂ ପରବର୍ତ୍ତୀ ପିଢ଼ିର କଣ୍ଟେଣ୍ଟ କ୍ରିଏଟର ସୃଷ୍ଟି କରିବା ଯାହା ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପକୁ ବିଶ୍ୱ ସ୍ତରକୁ ଉନ୍ନୀତ କରିବ ।
ଇଟିଭି ବାରତ, ଭୁବନେଶ୍ୱର