ବୌଦ୍ଧ: ଗମନାଗମନର ସମସ୍ୟା ହେତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସ୍ବାଧୀନତାର 77ବର୍ଷ ପରେ ମଧ୍ୟ ବଣ ପାହାଡ ଘେରା ଅଞ୍ଚଳରେ ବିକାଶ ବାଟବଣା ହୋଇ ରହିଯାଇଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଆମେ କଥା ହେଉଛୁ ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ନେଇ ଗଠିତ ଟିକରପଡା ପଞ୍ଚାୟତ ବିଷୟରେ । ସେଠାରେ ଥିବା ସାତଟି ଗ୍ରାମର ଅଧିବାସୀ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି ।
ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ନେଇ ଗଠିତ ହୋଇଛି ଟିକରପଡା ପଞ୍ଚାୟତ । ବଣ ଜଙ୍ଗଲ ଘେରା ଏହି ଟିକରପଡା ପଞ୍ଚାୟତ କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ରହିଥିବା ବେଳେ ଏହି ପଞ୍ଚାୟତର ସାତଟି ଗ୍ରାମ ବର୍ଷର ଅଧିକାଂଶ ସମୟ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାଏ । ଛୋଟ ବଡ କେତେକ ପାହାଡି ଝରଣା ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ତାହା ମଧ୍ୟରୁ ଲକ୍ଷ୍ମୀ ନାଳ ବା ସ୍ଥାନୀୟ ଭାଷାରେ ଶାସନମୁଣ୍ଡା ନାଳ ମୁଖ୍ୟ ପ୍ରତିବନ୍ଧକ ହୋଇରହିଛି । ଟିକରପଡା ପଞ୍ଚାୟତର ବହଲପଡା ଛକ ନିକଟରେ ପ୍ରବାହିତ ଏହି ପାହାଡି ଝରଣାର ଅପର ପାର୍ଶ୍ବରେ ଘାଟି ପାହାଡ ତଥା ଜଙ୍ଗଲ ଅଞ୍ଚଳ ମଧ୍ୟରେ ରହିଛି ଦମଣ୍ଡା, ଗୁରୁଜୀମୁଣ୍ଡା, ଶାସନମୁଣ୍ଡା, ଲକଡପାଜୁ, ସାଲଦରଙ୍ଗା, ନିମଖୁଲି, ନୂଆସାହି, କୁଡାବାହାଲି ଭଳି ସାତରୁ ଊର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଯେଉଁ ଅଞ୍ଚଳକୁ କେବଳ ପାଦଚଲା ରାସ୍ତା ତଥା ଅଳ୍ପ କେତୋଟି ଗ୍ରାମକୁ ମୋଟରସାଇକେଲ ଯୋଗେ ପହଞ୍ଚିବାର ସୁବିଧା ରହିଛି।
ପାହାଡ ଜଙ୍ଗଲ ଉପରେ ଥିବା ଲକଡପାଜୁ ଗ୍ରାମରେ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଶିକ୍ଷକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯୋଗାଯୋଗର ବିଛିନ୍ନତା ହେତୁ ଏସବୁ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନାହିଁ । ଫଳରେ ଅତି ଜରୁରୀକାଳୀନ ପରିସ୍ଥିତିରେ ରୋଗୀକୁ ଭାର କିମ୍ବା ଖଟିଆରେ ପାହାଡ ଜଙ୍ଗଲରୁ ଓହ୍ଲାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଏ । ଅଧିକାଂଶ ସମୟରେ ସ୍ଥାନୀୟ ଅଧିବାସୀ ସ୍ବାସ୍ଥ୍ୟ ସେବା ପାଇଁ ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ଭଳି ଅନ୍ଧବିଶ୍ୱାସର ସହାୟତା ନେବାକୁ ବାଧ୍ୟ ହୋଇଥାନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ସମସ୍ୟା ଘେରରେ ଡଙ୍ଗରିଆ ଜନଜାତି, ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଲେ - Dongria Tribes
ଏହାଛଡା ଏହି ଅଞ୍ଚଳ ଦେଇ ପ୍ରବାହିତ ସାଲୁଙ୍କୀ ନଦୀର ଗୁରୁଜୀମୁଣ୍ଡାର ଉପରକୁ ଗମ୍ଭୀରା ଦରହ ଠାରେ ସରକାର ଏକ ଜଳସେଚନ ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି । ଏସବୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଧିବାସୀଙ୍କ ଜୀବନ ଜୀବିକାରେ ମଧ୍ୟ ଉନ୍ନତି ଆସିପାରୁ ନଥିବା ବେଳେ ଏସବୁ ଅଞ୍ଚଳର ବିକାଶ କେବେ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ । ବୌଦ୍ଧ ଜିଲ୍ଲାର ଅତ୍ୟନ୍ତ ଅବହେଳିତ ଅଞ୍ଚଳ ଭାବରେ ପରିଚିତ ଏଠାରେ ଥିବା ଦମଣ୍ଡା ଓ୍ବାର୍ଡର ଅଧିବାସୀ ଗତ ପଞ୍ଚାୟତ ଭୋଟ ସମୟରେ ମଧ୍ୟ ଗମନାଗମନର ସମସ୍ୟାକୁ ନେଇ ଭୋଟ ବର୍ଜନ କରିଥିଲେ । ତେବେ ଏସବୁ ଅଞ୍ଚଳର ବିକାଶ ପାଇଁ ଏଠାକାର ଆଦିବାସୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉ ଥିଲେ ମଧ୍ୟ ଏହି ବିଛିନ୍ନାଞ୍ଚଳର ଅଧିବାସୀ ଭିନ୍ନ ଏକ ଦୁନିଆରେ ବାସ କଲା ଭଳି ମନେ ହେଉଛି । ତେବେ ବର୍ତ୍ତମାନ ନୂତନ ସରକାର ଗଠନ ପରେ ଅଞ୍ଚଳର ଅଧିବାସୀ ଅଞ୍ଚଳର ବିକାଶ ପାଇଁ ବେଶ ଆଶାବାଦୀ ହେବା ସହିତ ସେମାନଙ୍କ ପ୍ରାଥମିକ ସମସ୍ୟା ଯୋଗାଯୋଗ ପାଇଁ ଏକ ସେତୁ ନିର୍ମାଣ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ