କଟକ: ବୀମା ନଥାଇ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଆସନ୍ତାକାଲି(ଫେବୃଆରୀ ୧)ଠାରୁ ବୀମା ନ ଥିବା ଗାଡ଼ି ଗୁଡ଼ିକ ରାସ୍ତାରେ ଗଡ଼ିଲେ କଟିବ ଚାଲାଣ । ମୋଟର ଯାନର ବୀମା ନଥିଲେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍ଗେଟ୍ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଗାଡ଼ି ମାଲିକଙ୍କ ନାମରେ ଜାରି ହେବ ଇ-ଚାଲାଣ । ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ ।
କେମିତି ଚିହ୍ନଟ ହେବ ବୀମା ନଥିବା ଗାଡ଼ି ?
ବୀମା ନଥାଇ ଗାଡି ଚଳାଉଥିବା ଲୋକଙ୍କୁ ଆଉ ନିସ୍ତାର ନାହିଁ । ଏଣିକି ବୀମା ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ ଜରିଆରେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍ଗେଟ୍ । ଟୋଲଗେଟ ଗୁଡିକରେ ପ୍ରତିଟି ଲେନରେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲାଗିଛି । ଏବଂ ସେହି କ୍ୟାମେରା ଲେନ୍ ଦେଇ ଯାତାୟତ କରୁଥିବା ପ୍ରତିଟି ଗାଡ଼ିର ଫଟୋ ଉତ୍ତୋଳନ କରିଥାଏ । କ୍ୟାମେରା ଗୁଡ଼ିକ ବାହାନ ପୋର୍ଟାଲ ସହିତ ସଂଯୋଗୀକରଣ ହୋଇଥିବାରୁ ଏହା ଦ୍ବାରା ଉଠାଯାଉଥିବା ପ୍ରତିଟି ଫଟୋ ବାହାନ ପୋର୍ଟାଲରେ ଷ୍ଟୋର ହୋଇଥାଏ । ବାହାନ ପୋର୍ଟାଲର ଇ-ଡିଟେକ୍ସନ ବ୍ୟବସ୍ଥା ଷ୍ଟୋର ହେଉଥିବା ସେହି ଫଟୋରୁ ଗାଡ଼ିର ରେଜିଷ୍ଟେସନ ନମ୍ବରକୁ ଚିହ୍ନଟ କରି ଗାଡ଼ିର ବୈଧ ବୀମା ଅଛି ବା ନାହିଁ ତାହା ଜାଣି ପାରିବ । ଏବଂ ଏହାର କିଛି କ୍ଷଣ ମଧ୍ୟରେ ସ୍ବୟଂକ୍ରିୟ ପ୍ରଣାଳୀରେ ଗାଡ଼ିର ଚାଲାଣ କଟିବ । ଯଦି ଗାଡ଼ିର ବୀମା ନାହିଁ, ତେବେ ସେହି ଗାଡ଼ିକୁ ଘରେ ରଖିବାକୁ ପରାମର୍ଶ ଦେଇଛି ଏସଟିଏ ।
କିପରି କାର୍ଯ୍ୟକ୍ଷମ ହେବ ଏହି ବ୍ୟବସ୍ଥା ?
ଏନେଇ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି,"ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କଲେ ଧାରା ୧୯୬ ଅନୁଯାୟୀ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି । ଏଭଳି ବାରମ୍ବାର ନିୟମ ଉଲ୍ଲଘଂନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ବି ରହିଛି ।" ବୈଧ ବୀମା ନଥାଇ ଗାଡ଼ି ଚଳାଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଫେବୃଆରୀ ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୧୮ ତାରିଖ ଦିନ ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ତେଣୁ ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଘଂନ କରି ବୀମା କରୁନାହାନ୍ତି । ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଘଂନକାରୀଙ୍କ ବିରୋଧ ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ