ବୌଦ୍ଧ: ବୌଦ୍ଧ ଧର୍ମକୁ ପ୍ରତିହତ କରି ଶୈବ ଧର୍ମର ବ୍ୟାପକ ପ୍ରସାର ଉଦ୍ଦେଶ୍ୟରେ ଦଣ୍ଡନାଚର ଅୟମାରମ୍ଭ ହୋଇଥିଲା । ଆଉ ବର୍ତ୍ତମାନ ଏହି ଦଣ୍ଡନାଚର ଉନ୍ମେଷ ଭୂମିରୁ ଚଳିତ ବର୍ଷର ଦଣ୍ଡନାଚ ଗତକାଲି(ଶନିବାର) ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି । ଷୋହଳ ସୁଆଙ୍ଗ ନୃତ୍ୟ ସହିତ ଷୋହଳ ଖାଡି ବାଦ୍ୟ ମଧ୍ୟରେ ଶୈବ ଶାକ୍ତ ଉପାସନାର ମହାନ ପର୍ବ ଆରମ୍ଭ ହୋଇଛି ।
ବୌଦ୍ଧ ଧର୍ମର ଅନ୍ୟତମ ପ୍ରାଚୀନ ଅଞ୍ଚଳ ବୌଦ୍ଧ । ଖ୍ରୀଷ୍ଟିୟ ନବମ ଦଶମ ଶତାବ୍ଦୀରେ ଏହି ବୌଦ୍ଧ ଧର୍ମକୁ ପ୍ରତିହତ କରି ଶୈବ ଧର୍ମର ବ୍ୟାପକ ପ୍ରସାର ଉଦ୍ଦେଶ୍ୟରେ ସୋମବଂଶୀ ରାଜାମାନଙ୍କ ଦ୍ବାରା ଦଣ୍ଡନାଚର ଅୟମାରମ୍ଭ କରାଯାଇଥିଲା । ଏହାର ପ୍ରାଣକେନ୍ଦ୍ର ଥିବା ବୌଦ୍ଧ ଜିଲ୍ଲାର ଗନ୍ଧରାଡ଼ିର ହରିହର ମନ୍ଦିର ସେହି ଇତିହାସର ମୁକସାକ୍ଷୀ ରୂପେ ଦଣ୍ଡାୟମାନ ହୋଇ ରହିଛି । ଏହି ବିଶ୍ବ ପ୍ରସିଦ୍ଧ ଗନ୍ଧରାଡ଼ି ଠାରେ ସିଦ୍ଧେଶ୍ୱର ମହାଦେବଙ୍କ ସହିତ ପଶ୍ଚିମ ସୋମନାଥ, କପିଳେଶ୍ୱର,ଜାଗେଶ୍ବର ମହାଦେବଙ୍କ ଶୈବପୀଠ ଥିବାରୁ ଏହାକୁ ଚାରିଶମ୍ଭୁ ବୋଲି ମଧ୍ୟ କୁହାଯାଏ ।
ଏହି ଚାରିଶମ୍ଭୁ ପୀଠ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଶୈବପୀଠ ସମେତ ବୌଦ୍ଧ ଜିଲ୍ଲାର ଶତାଧିକ ଶୈବପୀଠ ଗୁଡ଼ିକରେ ବିଭିନ୍ନ ଦିବସକୁ ଧାର୍ଯ୍ୟ କରି ପଣା ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ଦଣ୍ଡଯାତ୍ରା ପାଳନ କରାଯାଇଥାଏ । ଚଳିତ ବର୍ଷ ଗତକାଲି ଠାରୁ ଐତିହାସିକ ଗନ୍ଧରାଡ଼ି ପୀଠ ଓ ବୌଦ୍ଧର ରାମେଶ୍ବର ଶୈବପୀଠ ସମେତ ଜିଲ୍ଲାର ବିଭିନ୍ନ ଶୈବପୀଠରୁ ଦଣ୍ଡନାଚର ଅୟମାରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାର ଦଣ୍ଡଯାତ୍ରାରେ ଚାରି ଦଣ୍ଡ ସହିତ ବିଳମ୍ବିତ ରାତିରେ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ଦଣ୍ଡନାଚ ଯାତ୍ରା ପେଣ୍ଡାଲରେ ସାପ ଖେଳ, PCCFଙ୍କୁ ଅଭିଯୋଗ କଲା ସ୍ନେକ ହେଲପ୍ ଲାଇନ୍
ତେବେ ଏନେଇ ଗବେଷକ ସୁଧାଶୁଂ ଶେଖର ମିଶ୍ର କହିଛନ୍ତି, ଗତ ବିଳମ୍ବିତ ରାତିରେ ଚାରିଶମ୍ଭୁ ପୀଠର ବାବା ସିଦ୍ଧେଶ୍ବରଙ୍କ ଠାରୁ ଦଣ୍ଡ ରୀତିକାନ୍ତି ହିସାବରେ ପୂଜାର୍ଚ୍ଚନା କରି ଆରମ୍ଭ ହୋଇଛି । ବିଶେଷ କରି ସିଦ୍ଧେଶ୍ବର, ପଶ୍ଚିମଶେଉଣା, ଯୋଗେଶ୍ବର,କପିଳେଶ୍ବର ଏହି ୪ଟି ପୀଠ ଚାରିଶମ୍ଭୁ ପୀଠରେ ପରିଚିତ । ନିଷ୍ଠାରେ ଦଣ୍ଡୁଆମାନେ ୨୧ ଦିନ ଧରି ଗାଁ ଗାଁ ବୁଲି ଦଣ୍ଡଯାତ୍ରା କରିବା ପରେ ପଣା ସଂକ୍ରାନ୍ତି ଦିନ ଏହା ଉଦଯାପିତ ହୋଇଥାଏ । ଏହାପରେ ସେଦିନ ଦଣ୍ଡୁଆମାନଙ୍କ ବ୍ରତ ଭାଙ୍ଗିଥାଏ ।
ଇଟିଭି ଭାରତ, ବୌଦ୍ଧ