ସମ୍ବଲପୁର: ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍ ଥିବା ଧାନ ବୋଝେଇ ଟ୍ରକକୁ ଜବତ କଲା ଜିଲ୍ଲା ଯୋଗାଣ ବିଭାଗ । ସ୍ଥାନୀୟ ଚାଷୀ ଏହି ଟ୍ରକଟି ମଣ୍ଡିକୁ ନଯାଇ ସିଧା ଧାନମିଲକୁ ଯାଉଥିବାର ଦେଖି ଅଟକାଇ ହୋହଲ୍ଲା କରିଥିଲେ । ଏଭଳି ସ୍ଥିତିରେ ଡ୍ରାଇଭର ଟ୍ରକ ଛାଡି ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଚାଷୀ ଜିଲ୍ଲା ଯୋଗାଣ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ଯୋଗାଣ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଅଟକ ରଖି ତଦନ୍ତ ଜାରି ରଖିଛି ।
କାହିଁକି ଆସିଥିଲା ପଶ୍ଚିମବଙ୍ଗ ଧାନ ଗାଡି?
ମିଳିଥିବା ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ଅପରାହ୍ନ 4 ଟା ସମୟରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ସାତୁପାଲି ସ୍ଥିତ ଏକ ରାଇସ ମିଲ ସାମ୍ନାରେ ପଶ୍ଚିମବଙ୍ଗ ନମ୍ବର WB-33-B-0145 ଥିବା ଧାନ ଗାଡି ଦେଖି ସ୍ଥାନୀୟ ଚାଷୀ ଗାଡି ପାଖକୁ ଯାଇଥିଲେ ଓ ପଚରାଉଚରା କରିଥିଲେ । ଚାଷୀଙ୍କୁ ଦେଖିବା ପରେ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲେ । ତେବେ ଚାଷୀମାନେ ଏନେଇ ଯୋଗାଣ ବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳକୁ ଏସିଏସଓ ସୌଭାଗ୍ୟ ରଞ୍ଜନ ବେହେରା, ଏସିଏସଓ ମନୋଜ ବେହେରା, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ମନୋଜ ସା, ଏସଏମସି ସିଏସଓ ବିଶ୍ୱ ରଞ୍ଜନ ସାହୁ ଗାଡିକୁ ଜବତ କରିଥିଲେ । ଗାଡିରେ 500 ପ୍ୟାକେଟ୍ ଧାନ ଥିବା ସୂଚନା ମିଳିଛି । ବର୍ତ୍ତମାନ ଓଡି଼ଶାରେ ଧାନ ପ୍ରାପ୍ୟ ବୋନସ ଦିଆଯାଉଥିବାରୁ ଏହା ବାହାର ରାଜ୍ୟରୁ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଏହା ବି ପଢନ୍ତୁ...୯ ଜିଲ୍ଲାରେ ସଂଗ୍ରହ ହେଲାଣି ୧,୮୧,୧୯୬ ମେଟ୍ରିକ ଟନ ଧାନ, ଦଲାଲଙ୍କ ଉପରେ ତୀକ୍ଷ୍ମ ନଜର
ଏହା ବି ପଢନ୍ତୁ...ଝାରସୁଗୁଡ଼ାରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା, ଅସନ୍ତୁଷ୍ଟ ଚାଷୀ
ଏହା ବି ପଢନ୍ତୁ...ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍ ସବସିଡି ରିଲିଜ କଲେ ମୁଖ୍ୟମନ୍ତ୍ରୀ
ଏମିତି କହିଲେ CSO:
ଏନେଇ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, "ଟ୍ରକ ଟିକୁ ଅଟକ ରଖାଯାଇଛି । ଏହାସହ ଟ୍ରକ ଡ୍ରାଇଭରକୁ ଡକାଯାଇ ପଚରାଉଚରା କରାଯାଇଛି । ଧାନ କେଉଁଠୁ ଆସିଛି, ନିୟମ ଅନୁସାରେ ଆସିଛି ନା ନାହିଁ ସେନେଇ ଡ୍ରାଇଭର ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି। ସେ କୌଣସି କାଗଜପତ୍ର ଦେଖାଇ ପାରିନଥିବାରୁ ଗାଡିର ଯାଞ୍ଚ ଚାଲିଛି । ପରବର୍ତ୍ତୀ ସମୟରେ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ" ।
ଇଟିଭି ଭାରତ, ସମ୍ବଲପୁର