ଜଗତସିଂହପୁର: ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଜଗତସିଂହପୁର ସୁଧାନନ୍ଦ ସ୍କୁଲରେ ପାଠ ପଢ଼ୁଥିବା ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବିଶ୍ୱ ଭୂଷଣ ସ୍ୱାଇଁ ନାମକ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକେ ଏ ସମ୍ପର୍କରେ ଦିନ 3ଟା ବେଳେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ବିଭୂତି ଭୂଷଣ ସ୍ୱାଇଁଙ୍କ ପୁଅ ବିଶ୍ୱ ଭୂଷଣ ସ୍ୱାଇଁ ଜଗତସିଂହପୁର ଉପକଣ୍ଠ ଆପାକ୍ ଏକାଡେମୀ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ରାତିରେ ବିଶ୍ୱ କ୍ଲାସ କରିବା ସହିତ ଖାଇ ପିଇ ରାତିରେ ସୋଇଥିଲେ । ଏପରିକି ପରିବାର ଲୋକଙ୍କ ସହିତ କଥା ହୋଇଥିବା ପରିବାର ଲୋକେ କହିଛନ୍ତି । ଆଜି ସକାଳୁ ହଷ୍ଟେଲ କର୍ତ୍ତୃପକ୍ଷ ବିଶ୍ୱ ଭୂଷଣଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲେ । ପରିବାର ଲୋକେ ହଷ୍ଟେଲରେ ପହଞ୍ଚିବ ପରେ ବିଶ୍ୱଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।
ଏହି ଘଟଣାରେ ହଷ୍ଟେଲ କର୍ତ୍ତୃପକ୍ଷ ସନ୍ତୋଷଜନଙ୍କ ଉତ୍ତର ଦେଇ ନ ପରିବାରୁ ପରିବାର ଲୋକେ ସେଠାରେ ପାଟିତୁଣ୍ଡ କରିବା ସହିତ ହଷ୍ଟେଲର କିଛି ବ୍ୟକ୍ତି ବିଶ୍ୱଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ପରିବାର ଲୋକେ ଜଗତସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ହଷ୍ଟେଲରେ ଘଟଣା ଦିନ ରାତ୍ରିରେ ରହିଥିବା କର୍ମଚାରୀଙ୍କୁ ଥାନାକୁ ଆଣି ପଚାରଉଚରା କରିଛି । ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ଏହା ମଧ୍ୟ ପଢନ୍ତୁ .......ସମ୍ପର୍କ ଭୁଲିଗଲା ବାପା, ଭୁଜାଲି ଚୋଟରେ ନେଲା ପୁଅର ଜୀବନ - Father Killed Son
ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ତାଙ୍କ ପୁଅ ବିଶ୍ୱଭୂଷଣ ପରିବାର ଲୋକଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲା । କଥା ହେବା ସମୟରେ ସେ ସ୍ୱାଭାବିକ ଥିଲା । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ମୃତଦେହ ନିକଟରୁ ଏକ ରଶି ମିଳିଥିବା ଜଣାପଡ଼ିଛି । ଏହା ଏକ ହତ୍ୟାକାଣ୍ଡ ନାଁ ଛାତ୍ରଟି ନିଜେ ଜୀବନ ହାରିଛି । ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଖୁବଶୀଘ୍ର ସାଇଣ୍ଟିଫିକ ଟିମର ସହାୟତା ନିଆଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଥାନା ଅଧିକାରୀ ଗୋକୁଳାନନ୍ଦ ଦାସ କହିଛନ୍ତି ।
ଇଟିଭି ଭାରତ,ଜଗତସିଂହପୁର