ରାଉରକେଲା: ଧରା ପଡ଼ିଲେ ସୁନ୍ଦରଗଡ଼ ଫେସବୁକ ଠକେଇ ଗ୍ୟାଙ୍ଗ । ସୁନ୍ଦରଗଡ଼ ପୋଲିସ ଏହି ଠକ ମାନଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଏହି ଠକ ମାନେ ପ୍ରଥମେ ଫେସବୁକରେ ବନ୍ଧୁ ହେଉଥିଲେ । ପରେ କମ ଦାମରେ ଗାଡ଼ି କିଣେଇ ଦେବା ପାଇଁ ପ୍ରଲୋଭନ ଦେଖାଉଥିଲେ । ଗ୍ରାହକ ଟଙ୍କା ନେଇ ଆସୁଥିବା ସମୟରେ ବ୍ୟାଗକୁ ବଦଳ କରି ଟଙ୍କା ଧରି ଚମ୍ପଟ ମାରୁଥିଲେ । ତେବେ ଏହି ଗ୍ୟାଙ୍ଗର 4 ଜଣ ସଦସ୍ୟଙ୍କ ସମେତ ଠକେଇ ଟଙ୍କା ଏବଂ ଠକେଇରେ ବ୍ୟବହାର ହୋଇଥିବା ଗାଡ଼ି ଜବତ କରିବାରେ ସଫଳ ହୋଇଛି ପୋଲିସ। ଯାହାର ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ଦାସ ଦେଇଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ବ୍ୟବସାୟୀ ସୁମିତ ମିଶ୍ରଙ୍କ ସହ ଫେସବୁକରେ ବନ୍ଧୁତ୍ବ କରି ତାଙ୍କୁ ଏହି ଗ୍ୟାଙ୍ଗ ଲୁଟିଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ଏହି ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଏହି ଠକ ଗ୍ରୁପରେ 2 ମହିଳାଙ୍କ ସମେତ 2 ଜଣ ପୁରୁଷଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନେ ଗୋଟିଏ ପରିବାର ବୋଲି ଜଣାପଡ଼ିଛି ।
ସେମାନେ ବିହାରରେ ହୋମଗାର୍ଡ ଭାବେ କାମ କରୁଥିବା ରାଜେଶ ବାଦି(30 ), ବଡ଼ଭାଇ ସୁବାସ କୁମାର (36 ), ତାଙ୍କ ପତ୍ନୀ ଝରଣା ବାଦି(30 ) ଓ ଭଉଣୀ ରାଜକୁମାରୀ ବାଦି(22 )। 4 ଜଣଙ୍କ ଆଇଡି ପ୍ରମାଣପତ୍ରରେ ଝାରସୁଗୁଡାର ରାଜାପଡାର ନିୟୁ କଲୋନୀ ଓ ସମ୍ବଲପୁର ଜିଲ୍ଲା ହୀରାକୁଦର ବାସିନ୍ଦା ବୋଲି ରହିଛି । ସୁନ୍ଦରଗଡ ପୋଲିସ ଏହି ଠକ ଗ୍ରୁପଙ୍କୁ ହୀରାକୁଦରୁ ଗିରଫ କରି ସୁନ୍ଦରଗଡ଼କୁ ଆଣିଥିଲେ । ଗିରଫ ସମୟରେ ସେମାନଙ୍କ ପାଖରୁ ଠକି ନେଇଥିବା 15 ଲକ୍ଷ ଟଙ୍କାରୁ 8 ଲକ୍ଷ 50 ହଜାର ଟଙ୍କା ଜବତ କରାଯିବା ସହିତ ମାରଣାସ୍ତ୍ର, ବ୍ୟବହୃତ କାର ଓ ଏକ ସ୍କୁଟି ଜବତ କରିଛନ୍ତି ପୋଲିସ । ଏଥିସହ ଅଳଙ୍କାର, ଗୋଟିଏ ଲ୍ୟାପଟପ, ମୋବାଇଲ ଫୋନ, ପରିଚୟ ପତ୍ର ଆଦି ଜବତ ହୋଇଛି ।
ସୁମିତ ସେମାନଙ୍କ ସହିତ ଫେସବୁକରେ ପ୍ରାୟ 3ରୁ 4 ମାସ କଥା ହେବା ପରେ 2023 ନଭେମ୍ବରରେ ସୁନ୍ଦରଗଡ଼ର ଏକ ହୋଟେଲକୁ ଆସି ତାଙ୍କ ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ସେ ଏକ 16 ଚକିଆ ଟ୍ରକ କିଣିବେ ବୋଲି କହିଥିଲେ । ଏହାପରେ ଠକମାନେ ଏପ୍ରିଲ 2 ତାରିଖରେ ସୁନ୍ଦରଗଡ଼ର ଉକ୍ତ ହୋଟେଲକୁ ତାଙ୍କୁ ଯୋଜନା ଅନୁଯାୟୀ ଡାକିଥିଲେ । ସୁମିତ ଟ୍ରକ କିଣିବେ ବୋଲି 15 ଲକ୍ଷ ଟଙ୍କା ଏକ ବ୍ୟାଗରେ ନେଇ ସେଠାରେ ପହଞ୍ଚିଥିଲେ । ସୁଯୋଗ ପାଇ ସେମାନେ ସୁମିତଙ୍କ ବ୍ୟାଗକୁ ବଦଳାଇ ଦେଇଥିଲେ।
ପରେ ସେହି ହୋଟେଲରେ ବୁକ ହୋଇଥିବା ରୁମକୁ ସୁମିତଙ୍କୁ ନେଇଯାଇଥିଲେ । ସୁମିତକୁ ବିଶ୍ରାମ ନେବା ପାଇଁ କହି ଠକମାନେ ତଳକୁ ଆସିଥିଲେ ଏବଂ ନିଜର ଗାଡି ନେଇ ଫେରାର ମାରିଥିଲେ । ଅଧିକ ସମୟ ବିତି ଯାଇଥିବାରୁ ସୁମିତ ସନ୍ଦେହ କରି ବ୍ୟାଗ ଖୋଲି ଦେଖିବାରୁ ବ୍ୟାଗରେ କେବଳ କାଗଜ ପୁଡ଼ିଆ ରହିଛି । ଟଙ୍କା ନଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ସୁମିତ ଯାଇ ସୁନ୍ଦରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ବର୍ତ୍ତମାନ ସମସ୍ତ ଠକ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି ।
ଇଟିଭି ଭାରତ, ରାଉରକେଲା