ଭୁବନେଶ୍ବର: ପୁରୁଷଙ୍କ ସୁଭଦ୍ରା ଟଙ୍କା ଲୋଭ ! ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ଟଙ୍କା ପାଇବାକୁ ଆବେଦନ କରିଛନ୍ତି 157 ପୁରୁଷ । ଯାଞ୍ଚ ବେଳେ ଜଣାପଡ଼ିଲା ଏହି ତଥ୍ୟ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।
ସୁଭଦ୍ରା ଟଙ୍କା ପାଇବାକୁ ପୁରୁଷଙ୍କ ଆବେଦନ :
ସୁଭଦ୍ରା ଯୋଜନାରେ ଆସିଲା ସାଂଘାତିକ ତଥ୍ୟ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, "ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ । ଫର୍ମ ସର୍ଟିଂ ବେଳେ ଜଣାପଡ଼ିଲା ଏହି ତଥ୍ୟ । ସୁଭଦ୍ରା ପାଇଁ ୧୫୭ ଜଣ ପୁରୁଷ ଆବେଦନକାରୀ ଆବେଦନ କରିଛନ୍ତି । ସେମାନଙ୍କୁ ବାଦ ଦିଆଯାଇଛି । ଆଧାର କାର୍ଡର ବ୍ୟାଙ୍କ ଲିଙ୍କ ଡାଟା ଆସିବା ପରେ ଜଣାପଡିଛି । " ସେପଟେ ପ୍ରବାସୀ ମହିଳା ବି ଏଥର ପାଇବେ ସୁଭଦ୍ରା ଟଙ୍କା । ଆବେଦନ କରିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ।
ବ୍ୟାଙ୍କ ଲିଙ୍କ ଧରା ପକାଇ ଦେଲା:
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ‘ଯେତେବେଳେ ସଟିଂ ହେଲା ଜଣାପଡିଲା 157 ଜଣ ପୁରୁଷ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି । ସେମାନଙ୍କୁ ବାଦ୍ ଦିଆଯାଇଛି । ଆଧାର କାର୍ଡ ବ୍ୟାଙ୍କ୍ ଲିଙ୍କ ଡାଟା ଯେତେବେଳେ ଆସିଲା ତାହା ଜଣାପଡ଼ିଲା ।'
ନାଁକୁ ନେଇ ଦ୍ବନ୍ଦ୍ବ କି ?
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଭଳି ଥାଏ । ନାଁର ସ୍ପେଲିଂ ମଧ୍ୟ ଏକା ହୋଇଥାଏ । ତ୍ରୁଟିରେ ଆବେଦନ କରିଥାଇ ପାରନ୍ତି । ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।’
ସୁଭଦ୍ରା ଯୋଜନାରେ କେତେ ହେଲାଣି ଆବେଦନ ?
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ପାଇଁ ୧ କୋଟି ସାତ ଲକ୍ଷ ଆବେଦନ ହୋଇଛି । ସେଥିରୁ ଏମପିସିଆଇ ପେଣ୍ଡିଂ ୨ ଲକ୍ଷରୁ ଅଧିକ ଥିଲା ।
କାହା ପାଖକୁ ପହଞ୍ଚି ପାରୁନି ସୁଭଦ୍ରା ?
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହୁରି କହିଛନ୍ତି, ‘ଯେଉଁମାନେ ବାହାରକୁ କାମ ପାଇଁ ପଳାଇଛନ୍ତି । ସେମାନଙ୍କ ଫଟୋ ଉଠିବା ଦରକାର । ସେଥିପାଇଁ ସେମାନଙ୍କୁ ସୁଭଦ୍ରା ଦିଆଯାଇପାରୁନି । ଗଞ୍ଜାମ, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟରେ ଅଧିକ ଅଛନ୍ତି ପେଣ୍ଡିଂ । ପ୍ରବାସୀ ବିଭିନ୍ନ କାମ ପାଇଁ ବାହାରକୁ ଯାଇଛନ୍ତି । ସେମାନେ କମିତି ପାଇବେ ଚେଷ୍ଟା ଚାଲିଛି ।'
ରାଜ୍ୟ ବାହାରେ ରହୁଥିଲେ ବି ମିଳିବ ସୁଭଦ୍ରା ଟଙ୍କା:
ତେବେ ଯେଉଁମାନେ ରାଜ୍ୟ ବାହାରେ ରହୁଛନ୍ତି । ସୁଭଦ୍ରା ଟଙ୍କା ପାଇବାକୁ ଚାହୁଁଛନ୍ତି କିନ୍ତୁ ପାଇପାରୁନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସେ କହିଛନ୍ତି ଯେ 'ଏଣିକି ପ୍ରବାସୀ ମହିଳା ବି ସୁଭଦ୍ରା ଟଙ୍କା ପାଇବା ପାଇଁ ଆବେଦନ କରିପାରିବେ ।'
ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ୍ (ଜଲଦି ଆବେଦନ କର, ଆମେ ଟଙ୍କା ଦେବୁ):
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି (ମଙ୍ଗଳବାର) ସୂଚନା ଦେଇ କହିଥିଲେ, ‘ ଜିଲ୍ଲା ସମୀକ୍ଷା ବେଳେ ବଡ଼ ତଥ୍ୟ ମୋର ଅନୁଭବ ହେଉଛି ଅନେକ ମାଇଗ୍ରାଣ୍ଟ (ରାଜ୍ୟ ବାହାରେ ରହୁଥିବା) ମହିଳା ରାଜ୍ୟ ବାହାରେ ଅଛନ୍ତି । ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନଙ୍କୁ ଅନୁରୋଧ ଜଲଦି ଆବେଦନ କରନ୍ତୁ ଆମେ ତାଙ୍କୁ ଟଙ୍କା ଦେବୁ । ଶେଷ ହିତାଧିକାରୀଙ୍କ ପାଖରେ ଆମେ ପହଞ୍ଚିବୁ । '
ଚଳିତ ମାସ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଟଙ୍କା:
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ବହୁତ ଜଲଦି ମିଳିବ । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ । '
୮୦ ଲକ୍ଷ ପାଇ ସାରିଲେଣି ସୁଭଦ୍ରା ପ୍ରଥମ କିସ୍ତି:
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର 3ଟି ପର୍ଯ୍ୟାୟରେ ପ୍ରାୟ 80 ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଚଳିତ ମାସ (ଜାନୁଆରୀ) ଶେଷ ସପ୍ତାହ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବେ ରାଜ୍ୟ ସରକାର ।
ସୁଭଦ୍ରା ଯୋଜନା ସମ୍ପର୍କରେ...
ରାଜ୍ୟରେ କ୍ଷମତାକୁ ଆସିବା ପୂର୍ବରୁ ମହିଳାଙ୍କ ପାଇଁ ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାର ଘୋଷଣା କରିଥିଲା ବିଜେପି ସରକାର । ଏଥିରେ ଯୋଗ୍ୟ ହିତାଧିକାରୀଙ୍କୁ 5 ବର୍ଷରେ 50 ହଜାର ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର । ବର୍ଷକୁ 2 କିସ୍ତିରେ 5 ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । କୋଟିଏ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ରାଜ୍ୟରେ ପ୍ରଥମେ ସେପ୍ଟେମ୍ବର 17 (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା ।
- ସୁଭଦ୍ରା ଯୋଜନା: ପ୍ରତି ମହିଳା ହିତାଧିକାରୀଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା
- ବର୍ଷକୁ ୨ଟି କିସ୍ତି: ପ୍ରତି କିସ୍ତିରେ ୫ ହଜାର ଟଙ୍କା, ବର୍ଷକୁ ୧୦ ହଜାର
- ୨୦୨୪ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା
ଇଟିଭି ଭାରତ, ଭୁବନେଶ୍ବର