ଭୁବନେଶ୍ୱର: ନିଜ ମନ ମୁତାବକ ଜିଲ୍ଲା ଓ ଅଞ୍ଚଳରେ ନିଯୁକ୍ତି ଲାଗି ଉପରିସ୍ଥ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି କୃଷି ବିଭାଗର ଅଧିକାରୀ । ବଦଳି ମାମଲାରେ ବାହ୍ୟ ପ୍ରଭାବ ବା ଚାପ ପ୍ରୟୋଗ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । କେବଳ ସେତିକି ନୁହେଁ ନିଜ ଦାୟିତ୍ୱ ଛାଡି ବିଭାଗର ରାଜ୍ୟ ମୁଖ୍ୟାଳୟରେ ଡେରା ପକାଇଉଛନ୍ତି ଏହି ଅଧିକାରୀ । ଏଣିକି ଅଧିକାରୀଙ୍କ ଏହି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସରକାରୀ ସେବା ଆଚରଣ ନିୟମର କବଳରୁ ସେମାନେ ବର୍ତ୍ତିପାରିବେ ନାହିଁ ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ । ବଦଳି ସମ୍ପର୍କିତ ଅଭିଯୋଗ ନେଇ ଅନେକ ଅଧିକାରୀ ରାଜ୍ୟ କାର୍ଯ୍ୟାଳୟକୁ ଆସୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେ କହିଛନ୍ତି, ''ବଦଳି ସମ୍ପର୍କିତ ଅଭିଯୋଗ ନେଇ ଅନେକ ଅଧିକାରୀ ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଆସୁଥିବା ବିଭାଗ ନଜରକୁ ଆସିଛି । ବିଭିନ୍ନ ଜିଲ୍ଲା ବା କ୍ଷେତ୍ର ଅଧିକାରୀମାନେ କୌଣସି ଅଭିଯୋଗ ବା ନିବେଦନ ପାଇଁ ସେମାନଙ୍କର ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡିବା ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ନିଶ୍ଚିତ ରୂପେ ଅନୁମତି ପତ୍ର ନେଇ ଆସିବେ । ଯେକୌଣସି ଅଭିଯୋଗ ପତ୍ର ବିଭାଗୀୟ ଇ-ମେଲ ଅଥବା ଉପଯୁକ୍ତ ଚ୍ୟାନେଲ ମାଧ୍ୟମରେ ପଠାଇବେ । ତାହା ବ୍ୟକ୍ତିଗତ ଯୋଗ୍ୟତା ଏବଂ ସରକାରୀ ନୀତି ଆଧାରରେ ସମାଧାନ କରାଯାଇପାରିବ । ପୂର୍ବରୁ ଏ ସଂକ୍ରାନ୍ତରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ରହିଛି ।''
ସେ ଆହୁରିମଧ୍ୟ କହିଛନ୍ତି, କୃଷି ବିଭାଗ ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠ ଆୟୋଜନ କରିଥାଏ । କୃଷକଙ୍କ ସମେତ ଅଧିକାରୀ ଓ ଅଣଅଧିକାରୀ ସମସ୍ୟାର ସମାଧାନ ପାଇଁ ଗସ୍ତ କରି ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିଥାନ୍ତି । ଏକ ପ୍ରଭାବଶାଳୀ ଢଙ୍ଗରେ ପ୍ରତ୍ୟେକ ଆବେଦନର ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରୁଛୁ । ମାତ୍ର କିଛି ଅଧିକାରୀ ବଦଳି ମାମଲା ସମ୍ବନ୍ଧରେ ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଗସ୍ତ କରୁଛନ୍ତି । ଯାହା ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି । ତେଣୁ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ଜିଲ୍ଲାର ଅଧିକାରୀଙ୍କୁ ଭୁବନେଶ୍ୱର ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରମୁଖ ଶାସନ ସଚିବ କଡା ନିର୍ଦ୍ଦେଶ ଦେଇଛନ୍ତି ।
ଆଗକୁ ଖରିଫ ଫସଲ ଋତୁ ଆସୁଥିବାରୁ ସେବା କ୍ଷେତ୍ରରେ ଚାଷୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନିଜ ନିଜ ଷ୍ଟେସନରେ କ୍ଷେତ୍ର ଅଧିକାରୀଙ୍କ ଉପସ୍ଥିତି ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବିଭାଗର ଅଧିକାରୀମାନେ ନିଶ୍ଚିତ ଭାବେ ଧ୍ୟାନ ଦେବା ଜରୁରୀ । ବଦଳି ମାମଲାରେ କୌଣସି ବାହ୍ୟ ପ୍ରଭାବ ବା ଚାପ ପ୍ରୟୋଗ ନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ ।
ଇଟିଭି ଭାରତ, ଭୁବନେଶ୍ୱର