ସମ୍ୱଲପୁର: ସହରରେ କାୟା ବିସ୍ତାର କରୁଛି ଜଣ୍ଡିସ । ଗତ ଦୁଇ ଦିନ ମଧ୍ୟରେ କୌଣସି ରୋଗୀ ଚିହ୍ନଟ ହୋଇନଥିବା ବେଳେ କିନ୍ତୁ ରୋଗୀ ସଂଖ୍ୟା ୮୨ରେ ପହଞ୍ଚଛି l ଏଭଳି ସ୍ଥିତିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ସୋମବାର ଏକ ଦୁଇ ଜଣିଆ ମେଡିକାଲ ଟିମ ସମ୍ବଲପୁର ଆସି ଜଣ୍ଡିସ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଏହି ଟିମରେ ଅଛନ୍ତି ସୁରାଜିତ ଗରାବଡୁ ଓ ସୁନିତା ଜେନା ଅଛନ୍ତି । ଏହି ମେଡିକାଲ ଟିମ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ କହିଛି ଯେ ଦୂଷିତ ଖାଦ୍ୟ ଓ ପାନୀୟ ଜଳ ପାଇଁ ଏହି ରୋଗ ସଂକ୍ରମଣ ହୋଇଛି ।
ଏହି ଟିମ ପ୍ରଥମେ ସମ୍ବଲପୁର ଆସି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ CDMPHOଙ୍କ ସହ ଫୁଙ୍ଖାନୁଫୁଙ୍ଖ ଆଲୋଚନା କରିଥିଲେ । ଏହାପରେ ରେକର୍ଡ ଓ ଟେଷ୍ଟିଂ ରିପୋର୍ଟ ଯାଞ୍ଚ କରିଥିଲେ ଓ ପରେ କୁମ୍ଭାରପଡା, ସାଲିଆ ବଗିଚା, ଗୋଲ ବଜାର ଆଦି ଜଣ୍ଡିସ ପ୍ରଭାବିତ ଅଞ୍ଚଳ ବୁଲି ଦେଖି ରୋଗୀ ସହ ଆଲୋଚନା କରି ସଚେତନତା ସୃଷ୍ଟି କରିଥିଲେ । ଏହି ମେଡିକାଲ ଟିମର ସଦସ୍ୟ ସୁରଜିତ ଗରାବଡୁ କହିଛନ୍ତି ଯେ ଜଣ୍ଡିସ 5 ପ୍ରକାର ଥିବା ବେଳେ ସମ୍ବଲପୁରରେ ହେପିଟାଇଟିସ-Aରେ ସବୁ ରୋଗୀ ସଂକ୍ରମିତ ହୋଇଛନ୍ତି । ଏହା ମୁଖ୍ୟତଃ ଦୂଷିତ ପାଣି ଓ ଖାଦ୍ୟ ଖାଇବା ଦ୍ଵାରା ହୋଇଥାଏ । ଏହି ରୋଗ ହେଲେ ବାନ୍ତି, ଅଳ୍ପ ଜ୍ୱର, ପେଟ ବଥା, ଆଖି ଓ ପରିସ୍ରା ହଳଦିଆ ହୋଇଥାଏ । ତେବେ ଏହି ରୋଗ ଭାଇରାଲ ରୋଗ ହୋଇଥିବା ବେଳେ ଏହା ନିଜକୁ ନିଜେ ଭଲ ହୋଇଥାଏ ବୋଲି ମେଡିକାଲ ଟିମର ସଦସ୍ୟ କହିଛନ୍ତି ।
ଗତ ରବିବାର ଏବଂ ସୋମବାର କୌଣସି ରୋଗୀ ଚିହ୍ନଟ ହୋଇ ନଥିଲେ ମଧ୍ୟ ଏହାର ଇନକ୍ୟୁବେସନ ପିରିଅଡ 15ରୁ 28 ଦିନ ହୋଇଥିବା ବେଳେ ଆଗକୁ ଅଧିକ ରୋଗୀ ଚିହ୍ନଟ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ସମ୍ବଲପୁରରେ ଏହି ରୋଗ ମୁଖ୍ୟତଃ 10ରୁ 12 ବର୍ଷର ଛୁଆଙ୍କୁ ହେଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ଏହି ଟିମ ଲୋକଙ୍କୁ ସଚେତନତା କରିବା ସହ ସାବୁନରେ ହାତ ଧୋଇବା, ଗରମ ଖାଦ୍ୟ ଖାଇବା, ଫୁଟା ପାଣି ପିଇବା, ବାହାର ଖାଦ୍ୟ ନଖାଇବାକୁ ପରାମର୍ଶ ଦେଇଛି । ମୁଖ୍ୟତଃ ସମ୍ବଲପୁରରେ ଦହିବରା, ଗୁପଚୁପ, ଆଖୁ ରସ, କୁଲଫି, ଚୂଷକି ନ ଖାଇବାକୁ ଟିମ ପରାମର୍ଶ ଦେଇଛି ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ-ଜେଇ ରୋଗ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ଲୋକଙ୍କୁ ସଚେତନ କରାଯିବା ସହ ମେଡ଼ିସିନ ଦିଆଯାଇଛି । କୌଣସି ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିନାହିଁ । ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢ଼ାଉ କରାଯାଉଛି । ଏହା ସହ ରେପିଡ଼ ରେସପନ୍ସ ଟିମ ସଜାଗ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର