ପୁରୀ: 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ । ବର୍ଷକ ପରେ ପୁଣି ସେହି ଦିବ୍ୟ ମୁହୂର୍ତ୍ତ ଉପନୀତ ହୋଇଛି । ଶ୍ରୀଜିଉଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ କରୁଛନ୍ତି ଭକ୍ତ । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆକର୍ଷଣୀୟ ବେଶ ଦେଖି ଲାଖି ଭକ୍ତଙ୍କ ଆରକି ଲାଖି ହୋଇଯାଇଛି । କାଳିଆର ଚକା ଆଖିରେ ଆଖିକୁ ମିଶାଇ ଭକ୍ତ ଭାବ ବିହ୍ବଳ ହୋଇପଡିଛି । ଏହି ବେଶ ଦେଖିବାକୁ ଚାତକ ପରି ଚାହିଁ ରହିଥିଲେ ଜଗନ୍ନାଥ ପ୍ରେମି । ମନର କଥା ଜଣାଇବା ସହ ଦୁର୍ଲଭ ବେଶ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ସ୍ନାନ ପୂର୍ଣ୍ଣମିରେ ଭକ୍ତ ଓ ଭଗବାନ ଏକାକାର ହୋଇଛନ୍ତି । ତିନି ଠାକୁରଙ୍କ ଏହି ବେଶ ସବୁଠୁ ଆକର୍ଷଣୀୟ ବୋଲି କୁହାଯାଏ । ପରମ୍ପରା ଅନୁଯାୟୀ ଆଜି ସ୍ନାନ ପରେ ଗଜାନନ ବେଶରେ ସୁସଜ୍ଜିତ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । କିମ୍ବଦନ୍ତୀ ଅନୁଯାୟୀ ମହାରାଷ୍ଟ୍ରର ବ୍ରାହ୍ମଣ ଗଣପତି ଭଟ୍ଟଙ୍କୁ ଦେଇଥିବା ବରଦାନ ଯୋଗୁଁ ଏହି ଗଜାନନ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ପ୍ରତି ବର୍ଷ ଦର୍ଶନ ଦେଇଥାନ୍ତି ।
ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନଙ୍କୁ ଲାଗି କରାଯାଇଥିଲା । ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି ।
କାହିଁକି ହୁଏ ଗଜାନନ ବେଶ?
ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆସି କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କରିନଥିଲେ । ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ହୋଇ ଆସୁଛି ।
ଇଟିଭି ଭାରତ, ପୁରୀ