ପୁରୀ: କୋଟି କୈବଲ୍ୟନାଥ କଳା କଳେବର କାଳିଆ ସାଆନ୍ତଙ୍କ ଲୀଳା ଅପାର । ସେ ଭାବ ବିନୋଦିଆ ଭାବର ଠାକୁର । ସେ ଭାବକୁ ନିକଟ ଆଉ ଅଭାବକୁ ଅନେକ ଦୂର । ଯେଉଁଠି ସେ ଭାବ ଥାଏ, ସେଠାରେ ସବୁକିଛି ଗ୍ରହଣ କରନ୍ତି ଭାବଗ୍ରାହୀ । ସେ ଭକ୍ତର ଅଇଁଠା ହେଉ କି ଭକ୍ତର ଗୋଇଠା, ଭକ୍ତର ଖୁଦ ଭଜା ହେଉ କି ଭକ୍ତର ଶାଗ ଭଜା । କରୁଣାମୟ ଭକ୍ତ ଉପରେ ଅଜାଡ଼ି ଦିଅନ୍ତି କରୁଣା । ସେ ଭକ୍ତଟି ହେଉ ପଛେ ମୃଗୁଣୀଟିଏ କି ବଉଳା ଗାଈଟିଏ, ହେଉ ବଳରାମ ଦାସ କି ବନ୍ଧୁ ମହାନ୍ତି, ସେ ସଭିଙ୍କୁ କୋଳେଇ ନିଅନ୍ତି ।
ସେମିତି ଭକ୍ତଙ୍କୁ କୋଳେଇ ନେବାପାଇଁ... ପତିତମାନଙ୍କୁ ଉଦ୍ଧାରିବା ପାଇଁ... ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ରତ୍ନ ସିଂହାସନ ଛାଡ଼ି ପାଦ ହୁଣ୍ଡନ ଗତିରେ ସ୍ନାନବେଦୀକୁ ଚାଲି ଆସିଲେ ମହାପ୍ରଭୁ । ଭକ୍ତ ଓ ଭଗବାନଙ୍କର ହେଲା ଅପୂର୍ବ ମିଳନ । ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ଦେଖିଲା ସାରା ବିଶ୍ବ । ପ୍ରଚଣ୍ଡ ରୌଦ୍ରତାପରୁ ଶ୍ରୀଅଙ୍ଗକୁ ଶୀତଳ କରିବା ପାଇଁ ୧୦୮ କଳସ ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାବିଗ୍ରହ । କୁହାଯାଏ, ଭକ୍ତ ପାଇଁ ପ୍ରଭୁଙ୍କର ନାନା ବେଶ, ନାନା ରୂପ । ସେଥିପାଇଁ ତ, ଭକ୍ତର ମନସ୍କାମନା ପୂର୍ଣ୍ଣ କରିବାକୁ ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ଧାରଣ କରିଥିଲେ ମହାପ୍ରଭୁ ।
ବର୍ଷସାରା ବିମ୍ବସ୍ନାନ କରିଥାଆନ୍ତି ମହାପ୍ରଭୁ । ହେଲେ ଏହି ଗୋଟିଏ ଦିନ ସେ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ସ୍ନାନ କରନ୍ତି । ୧୦୮ କଳସ ଜଳରେ ସ୍ନାନ ସିନା କଲେ, ହେଲେ ଶ୍ରୀଅଙ୍ଗରେ କମ୍ପ ସୃଷ୍ଟି ହେଲା । ଜ୍ବର ପୀଡ଼ା ଅନୁଭବ କଲେ ଶ୍ରୀଜୀଉ । ଗୋଟି ପହଣ୍ଡିରେ ତିନି ଠାକୁର ଯାଇ ଅନବସର ପିଣ୍ଡିରେ ପ୍ରବେଶ କଲେ । ସ୍ନାନ ପୂର୍ଣ୍ଣମୀଠାରୁ ୧୫ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ମିଳିବନି । ଶ୍ରୀମନ୍ଦିରରେ ପଟିଦିଅଁଙ୍କର ଉପାସନା ହେବ । ଶ୍ରୀବିଗ୍ରହଙ୍କର ଚାଲିବ ଗୁପ୍ତସେବା ବା ଅନବସର ନୀତି । ଏହାପରେ ଆଶାଢ଼ ଅମାବାସ୍ୟା ବା ଉଭା ଅମାବାସ୍ୟା ଦିନ ପ୍ରକଟ ହେବେ ଚତୁର୍ଦ୍ଧାମୂର୍ତ୍ତି । ନେତ୍ରୋତ୍ସବରେ ନବଯୌବନ ଦର୍ଶନ କରି କୋଟି ଜନ୍ମର ପୂଣ୍ୟ ଅର୍ଜନ କରିବେ ଲକ୍ଷ ଲକ୍ଷ ଭକ୍ତ । ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ପୁଣି ଭକ୍ତଙ୍କ ଗହଣକୁ ।
ଘୋଷଯାତ୍ରାର ଆଦ୍ୟପର୍ବ ହେଉଛି ଜଗତର ନାଥ ଜଗନ୍ନାଥଙ୍କର ଏହି ମହାସ୍ନାନ ଯାତ୍ରା । ସେ ଅବ୍ୟକ୍ତ... ସେ ଅସୀମ, ସେ ଅନନ୍ତ... ସେ ଅକଳ୍ପନୀୟ । ସେହି ମହାପ୍ରଭୁଙ୍କୁ ନିଜର ସୀମିତ ଜ୍ଞାନ, ସୀମିତ ସାମର୍ଥ୍ୟରେ ବର୍ଣ୍ଣନା କରିବାକୁ ଶବ୍ଦ ବି ହୋଇଉଠେ ଶବ୍ଦହୀନ । କରୁଣାମୟଙ୍କ କରୁଣା ଆମକୁ ପ୍ରାପ୍ତ ହେଉ, ସେ ହିଁ ସାଜନ୍ତୁ ଆମ ପଥ ପ୍ରଦର୍ଶକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ