ଭୁବନେଶ୍ବର: ଓଡିଶାରେ ପହଁଚିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମ । ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତ୍ନମଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ସିଙ୍ଗାପୁରର ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି:
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମ । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ୱାଇବି ଖୁରାନିଆ, ପୋଲିସ କମିଶନର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ।
ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ସିଙ୍ଗାପୁର ରାଷ୍ଟ୍ରପତି:
ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି।ଏଥି ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି ।
ଓଡ଼ିଶା-ସିଙ୍ଗାପୁର ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ MOU:
ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଓଡ଼ିଶା ଆସିଛନ୍ତି । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତ୍ନମ ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଁ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଛି । ଦୁଇ ଦିନିଆ ଗସ୍ତ ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର world skill ସେଣ୍ଟର ବୁଲି ଦେଖିବା ସହ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ମୁଁ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗଣ, ବରିଷ୍ଠ ଅ ଧିକାରୀ ସିଙ୍ଗାପୁର ସହ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବୁ । ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦିନ ଧରି ଆଲୋଚନା ଚାଲିବ।"
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି ମଧ୍ୟ କହିଛନ୍ତି ଯେ " ବିଶେଷ କରି ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ସବୁଜ ଶକ୍ତି, ଦକ୍ଷତା ବିକାଶ ଓ ଲଜିଷ୍ଟକ ବିକାଶ କାର୍ଯ୍ୟକ୍ରମରେ ସିଙ୍ଗାପୁରର ସହଯୋଗ ନିଆଯିବ । ସିଙ୍ଗାପୁର ସରକାରଙ୍କ ସହ ଓଡିଶା ସରକାରଙ୍କର ଅନେକ କାର୍ଯ୍ୟକ୍ରମ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ ହେବ । ସିଙ୍ଗାପୁର ସହ ସହଯୋଗରେ ଓଡ଼ିଶାରେ ନିବେଶ ବୃଦ୍ଧି ହେବ । ସିଙ୍ଗାପୁର ସହଯୋଗରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ ହେବ । ନିବେଶ କ୍ଷେତ୍ରରେ ଉତ୍କର୍ଷ ଓଡ଼ିଶାରେ ମଧ୍ୟ ଐତିହାସିକ ପଦକ୍ଷେପ ହେବ । ଉଭୟ ଦେଶର ସମ୍ପର୍କ ସହ ନିବେଶ ବୃଦ୍ଧି ପାଇବ ।"
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, ଦୁଇ ଦିନ ଏହି ରୁଟ୍ରେ ଯିବା ମନା - SINGAPORE PRESIDENT VISIT |
'ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ ମାନ୍ୟୁଫ୍ଯାକ୍ଚରିଂ ଓ ଗ୍ରୀନ ସିପିଂ କରିଡର କରାଯିବ'
ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ କହିଛନ୍ତି ,''ଉତ୍କର୍ଷ ଓଡିଶା ୨୦୨୫' ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଓଡି଼ଶାକୁ ଆସିବା 'ଉତ୍କର୍ଷ ଓଡିଶାଟ ଆହୁରି ଉତ୍କର୍ଷ ହେବ। ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ସିଙ୍ଗାପୁର ଭଳି ବଡ ବଡ ସହରକୁ ଗସ୍ତ କରି ରୋଡ ସୋ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମର ପ୍ରତିନିଧିମଣ୍ଡଳ ଯାଇଥିଲେ । ଯାହା ଫଳପ୍ରଦ ହୋଇଛି, ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିଛନ୍ତି। ସିଙ୍ଗାପୁର ସରକାର ସହିତ ଓଡି଼ଶାରେ ଇଣ୍ଡଷ୍ଟ୍ରିଆଲ ପାର୍କର ବିକାଶ କରାଯିବ, ଏହା ସହିତ ନୂତନ କୌଶଳ ମଧ୍ୟରେ କିଭଳି କରାଯିବ ସେନେଇ ପଦକ୍ଷେପ ନିଆଯିବ। ପାରାଦୀପରେ ଯେଉଁ ପିସିପିଆଇଆର ହେବ। ଏହା ଯୁରୋଙ୍ଗ ପେଟ୍ରୋଲ କେମିକାଲ କମ୍ପେଲ୍ସ ସହିତ ଏକ ଏମଓୟୁ କରାଯିବ। ପାରାଦୀପ ରେ ଏକ ଗ୍ରୀନ ହାଇଡ୍ରୋଜେନ ମାନ୍ୟୁଫ୍ଯାକ୍ଚରିଂ ଓ ଗ୍ରୀନ ସିପିଂ କରିଡର କରାଯିବ। ''
ଇଟିଭି ଭାରତ, ଭୁବନେଶ୍ବର