ପୁରୀ: ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି । ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବାତାର ବାମନଙ୍କ ଆବିର୍ଭାବ ଦିବସ । ତେଣୁ ଏହି ଦିନଟି ବାମନ ଜନ୍ମ ବା ବାମନ ଦ୍ୱାଦଶୀ’ ଭାବରେ ଜଣାଯାଏ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ସ୍ବରୁପି, ତାଙ୍କୁ ରଥ ଉପରେ ବାମନ ବେଶରେ ଦର୍ଶନ କଲେ ପୁନଃଜନ୍ମ ହୁଏ ନାହିଁ ବୋଲି ବିଶ୍ଵାସ ଅଛି । ଆଜି ମହାପ୍ରଭୁଙ୍କର ବାମନ ଜନ୍ମନୀତି ଶ୍ରୀମନ୍ଦିରରେ ବିଧି ବିଧାନ ସହ ପାଳନ କରାଯାଇଛି । ସେହପରି ଗଜପତି ମହାରାଜାଙ୍କ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି ପବିତ୍ର ସୁନିଆ ଉତ୍ସବ ।
ବାମନ ଜନ୍ମନୀତି:
ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵାଦଶୀ ତିଥିର ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ରୁପରେ ଆବିର୍ଭାବ ହେବାର ନୀତି ଅନୁଷ୍ଠିତ ହୋଇଛି । ପ୍ରଭୁଙ୍କୁ ବାମନ ଭାବରେ ଅବିହିତ କରାଯାଇ ସେହି ତିଥିରେ ଜନ୍ମନୀତି ପାଳିତ କରାଯାଇଛି । ଯେଉଁପରି ଭାବରେ ମହାପ୍ରଭୁଙ୍କର ଶ୍ରୀରାମ ଜନ୍ମନୀତି, ଶ୍ରୀକୃଷ୍ଣ ଜନ୍ମନୀତି ପାଳନ କରାଯାଏ ସେହିପରି ଭାବରେ ମଧ୍ୟ ବାମନ ଦ୍ଵାଦଶୀରେ ମହାପ୍ରଭୁଙ୍କର ବାମନ ଜନ୍ମନୀତି ପାଳନ କରାଯାଇଛି ।
ପଞ୍ଚ ମୁରୁଜରେ ମଣ୍ଡଳ:
ଆଜି ସକାଳ ଧୂପ ପୂଜା ସରିବା ପରେ ଠାକୁରମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥିଲା । ଶ୍ରୀବିଗ୍ରହଙ୍କୁ କର୍ପୁର ଲାଗିହୋଇ ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଉଠିଥିଲା । ଜୟ ବିଜୟ ଦ୍ଵାର ବନ୍ଦ ହୋଇ ଚନ୍ଦନ ଅର୍ଗଳି ଠାରେ ସୁଧସୁଆର ସେବକ ପଞ୍ଚ ମୁରୁଜରେ ମଣ୍ଡଳ କରିଥିଲେ । ଏହାପରେ ତିନି ବାଡରେ ଠାକୁରମାନଙ୍କ ବନ୍ଦାପନା ବରୁଣ ପୂଜା ହୋଇଥିଲା । ପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକଙ୍କ ଦ୍ଵାରା ରତ୍ନସିଂହାସନ ବିଜେ ହୋଇଥିଲେ ଏବଂ ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହୋଇଥିଲା । ଯାହା ଗୋଟିଏ ପ୍ରକାରର ସ୍ଵତନ୍ତ୍ର ପ୍ରସାଦ ।
ଏହା ମଧ୍ୟ ପଢ଼ନ୍ତୁ...ଧାର ଧାର ଝରି ପଡୁଥିଲା ଲୁହ; ପ୍ରବଳ ବର୍ଷାରେ ଦଣ୍ଡ ପ୍ରଣାମ କରି କାଳିଆ ପାଖକୁ ଗଲେ ମହିଳା ଭକ୍ତ - Dandavat Pranam at Srimandir |
ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ର ଭଦ୍ର ମଣ୍ଡଳ ଉପରେ ବିଜେ:
ପରେ ଦେଉଳ ବଣିଆ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ର ଭଦ୍ର ମଣ୍ଡଳ ଉପରେ ବିଜେ କରିଥିଲେ । ଏହାପରେ କୃଷ୍ଣଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯାଇଥିଲା । ସେଠାରେ ପଞ୍ଚାମୃତରେ ଦିଅଁଙ୍କୁ ସ୍ନାନ କରାଇ ଶୀତଳ ଭୋଗ ହୋଇ ପଞ୍ଚ ଉପଚାରରେ ଗର୍ଭଉଦକ ନୀତି, ଜନ୍ମ ବିଧିମାନ କରାଯାଇଥିଲା । ଏହାପରେ ପାଳିଆ ମହାସୁଆର କ୍ଷୀର, ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେଇଥିଲେ । ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥିଲେ । ସେଠାରେ ମାର୍କଣ୍ଡେଶ୍ୱର ସାହି ଲୋକ ବାମନ ମୂର୍ତ୍ତି ପଟି ଯୋଗାଇଥିଲେ । ପରେ ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଚଳିତ ବର୍ଷ ପାଇଁ ଅନୁମୋଦନ ହେଲା 413 କୋଟି - SRIMANDIR MANAGEMENT COMMITTEE |
ଶ୍ରୀଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ:
ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରି ସେଠାରେ ପୂଜାପଣ୍ଡା ଆଜ୍ଞା ମାଳ ଦେବା ପରେ ଦେବୀ ଦୁର୍ଗା ମାଜଣା ମଣ୍ଡପକୁ ବିଜେ କରିଥିଲେ । ସେଠାରେ ପୂଜାପଣ୍ଡା ବସୁଧରା, ଯଜ୍ଞ ପବିତ୍ରା ଲାଗି କରିଥିଲେ । ଏହାପରେ ପାଣି ପଡି ଶୀତଳ ଭୋଗ ପନ୍ତି ବଢ଼ା ହୋଇଥିଲା । ଦୁଗ୍ଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଞ୍ଚଉପଚାରରେ ଭୋଗ କରିଥିଲେ । ପରେ ପ୍ରସାଦ ଉଲାଗି ହୋଇ କୃଷ୍ଣ (ବାମନ) ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼ିଥିଲେ । ସନ୍ଧ୍ୟାଧୂପ ନୀତି ସରିବା ପରେ ଶ୍ରୀମନ୍ଦିରରେ ପାରମ୍ପାରିକ ଭାବରେ ଇନ୍ଦ୍ରଧ୍ଵଜ ପୂଜା ଅନୁଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି; 4 ଘଣ୍ଟା ବନ୍ଦ ଜଗା ଦର୍ଶନ - Rahu Rekha Lagi ritual |
ଭଗବାନଙ୍କ ପଞ୍ଚମ ଅବତାର, ବାମନ ଅବତାର:
ଭଗବାନ ସତ୍ୟ ଯୁଗରେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଅବତାର ପରେ ୫ମ ଅବତାର ହିସାବରେ ପ୍ରଭୁ ଶ୍ରୀବାମନଙ୍କ ରୂପରେ ଧରାପୃଷ୍ଟକୁ ଅବତରଣ କରିଥିଲେ । ଯୁଗେ ଯୁଗେ ପ୍ରଭୁ ସତ୍ୟ ଧର୍ମ ନ୍ୟାୟର ପ୍ରତିଷ୍ଟା ନିମିତ ଧରାପୃଷ୍ଟରେ ଅବତାର ନେଇଛନ୍ତି ଏବଂ ସତ୍ୟ ଯୁଗରେ ରାକ୍ଷାସ ରାଜା ବଳି ଥିଲେ ମହାଦାନୀ । ମାତ୍ର ସେହି ଦାନ ଅତ୍ୟାଧିକ ହେବାରୁ ତାଙ୍କର ଦର୍ପ ମଧ୍ୟ ବଢିଜାଇଥିଲା । ତେଣୁ ତାଙ୍କର ଦର୍ପକୁ ଦଳନ କରି ଉଚିତ ଶିକ୍ଷା ଦେବା ନିମିତ ପ୍ରଭୁ ପଞ୍ଚମ ଅବତାର ରୂପରେ ଶ୍ରୀ ବାମନଙ୍କ ରୁପରେ ଜନ୍ମ ଗ୍ରହଣ କରିଥିଲେ ।
ଉତ୍କଳୀୟ ରାଜକୀୟ ନବ ବର୍ଷ:
ତେବେ ଆଜି ପବିତ୍ର ଉତ୍କଳୀୟ ରାଜକୀୟ ନବ ବର୍ଷ । ଶ୍ରୀବାମନ ଜନ୍ମ, ସୁନିଆଁ । ଉତ୍କଳୀୟ ୧୪୩୧ ସାଲ ଆରମ୍ଭ ହୋଇଛି । ଗଜପତି ଶ୍ରୀ ଦିଵ୍ୟସିଂହ ଦେଵ ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ ହୋଇଛି । ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆଁ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆଁକୁ ଉତ୍କଳୀୟ ଗଜପତିଙ୍କ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ଅବଢ଼ା ପ୍ରସ୍ତୁତି, ରିପୋର୍ଟ ଦେବାକୁ ନିର୍ଦ୍ଦେଶ - Mahaprasad preparation in iron pans |
ଗଜପତିଙ୍କ ନୂଆ ସାଲ ଓ ଅଙ୍କର ପ୍ରବେଶ:
ସୁନିଆଁ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶୀର୍ବାଦ କରିଥାନ୍ତି । କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ସୁନିଆଁ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆଁ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ପୁରାତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।
ଇଟିଭି ଭାରତ, ପୁରୀ