ଅନୁଗୋଳ: ଜାତୀୟ ରାଜପଥ ଉପରେ ଛକି ବସିଥିଲା ମୃତ୍ୟୁ । ଟ୍ରକ ଚପାରେ ଚାଲିଗଲା ୩ ଯୁବକଙ୍କ ଜୀବନ । ଆଜି (ଶନିବାର) ସକାଳେ ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ପଞ୍ଚମହଲା ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୩ ଜଣ ଯୁବକ ଗୋଟିଏ ବାଇକରେ ଅନୁଗୋଳ ସହର ଆଡକୁ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ୩ ଜଣ ଯାକ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ତେବେ ମୃତକମାନେ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, କୃପା ପ୍ରଧାନ ବୋଲି ପରିଚୟ ମିଳିଛି । ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର୍ ହୋଇଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଏହି ତିନି ଜଣ ଯୁବକ ଏକ ବାଇକରେ ଅନୁଗୋଳ ସହର ଆଡକୁ ଯାଉଥିଲେ । ଜାତୀୟ ରାଜପଥ ୫୫ ପଞ୍ଚମହଲା ନିକଟରେ ଗୋଟିଏ ଟ୍ରକ ପଛ ପଟୁ ଆସି ବାଇକକୁ ଧକ୍କା ଦେଇଥିଲା ଓ ଏହାକୁ କିଛି ବାଟ ଘୋଷାଡି ନେଇଥିଲେ । ଯେଉଁଥିରେ ୩ ଜଣ ବାଇକ ଆରୋହୀ ଘଟଣାସ୍ଥଳରେ ହିଁ ଆଖିବୁଜି ଦେଇଥିଲେ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚପା ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ: ରାସ୍ତାକଡରେ ଟ୍ରକକୁ ଧକ୍କା ଦେଲା କାର୍, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ - Road Accident
ଏହା ମଧ୍ୟ ପଢନ୍ତୁ: ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା 3 ଜୀବନ - Sundargarh Accident
ବାରମ୍ବାର ଏହି ଅସଜଡା ରାଜପଥରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଜନଅସନ୍ତୋଷ ଲାଗି ରହୁଛି । ଦୁର୍ଘଟଣା ପାଇଁ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ସେପଟେ ଘଟଣାସ୍ଥଳରେ ଅନୁଗୋଳ ଆଦର୍ଶ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି । ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ଥିବା ଜଣାପଡିଛି । ପୋଲିସ ରାସ୍ତା ଉପରୁ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଇଟିଭି ଭାରତ, ଅନୁଗୋଳ