ରାଉରକେଲା: ବଣାଇର ରଥଛକ ବଜାର ଦାଣ୍ଡରେ ପାଗଳ କୁକୁର ଆତଙ୍କ । ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ବ ଲୋକ ଏହି ପାଗଳ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । ପିଲାଠୁ ନେଇ ବୟସ୍କ ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡାର ଶିକାର ହେଉଥିବାରୁ ଏନେଇ ଭୟଭୀୟ ସ୍ଥାନୀୟ ବାସିନ୍ଦା । ରାତି ଦିନ ସବୁ ସମୟରେ ଯାହାକୁ ଦେଖୁଛି ତାଙ୍କୁ ଆକ୍ରମଣ କରୁଛି । ଏନେଇ ଛୋଟପିଲାମାନଙ୍କୁ ବାହାରକୁ ଛାଡ଼ୁନାହାନ୍ତି ପରିବାର ଲୋକେ । ଏଥିସହ ସ୍ଥାନୀୟ ଅଞ୍ଚଳରେ ଲୋକେ ବୁଲା କୁକୁରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲା ବେଳେ କୁକୁର ଆକ୍ରମଣର ଶିକାର ହୋଇ ଦୁର୍ଘଟଣାର ସାମ୍ନା କରୁଛନ୍ତି ଲୋକମାନେ ।
ତେବେ ଗତ ଗୋଟିଏ ଦିନରେ ହିଁ ପାଗଳ କୁକୁର ବଣାଇ ଅଞ୍ଚଳରେ ରଚିଛି ଆତଙ୍କ । ବଣାଇ ସହର ସ୍ଥିତ ବଜାରସାହି, ପାତ୍ରସାହି, ରଥଛକ ଓ ଭୂୟାଁ ସାହିରେ ଗୋଟାଏ ପାଗଳ କୁକୁର ୨୦ରୁ ଊର୍ଦ୍ଧ୍ବ ଜଣକୁ କାମୁଡିଛି । ତେବେ ୨୦ ଜଣଙ୍କ ମଧ୍ୟରୁ ପ୍ରାୟ ୮ଜଣଙ୍କୁ ଗତକାଲି(ମଙ୍ଗଳବାର) ସକାଳୁ କୁକୁର କାମୁଡି ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ସୋମବାର ପାଗଳ କୁକୁର ପ୍ରଥମେ ରଥଛକ ସାହିରେ ଜଣେ ପାର୍ବତୀ ପ୍ରଧାନ ନାମକ ବୃଦ୍ଧା ମହିଳାଙ୍କୁ ଗୋଡ଼ରେ କାମୁଡିବା ପରେ ଭୂୟାଁସାହି ଭିତରେ ଜାଇ ନାଏକ ବୋଲି ଜଣେ ମହିଳାଙ୍କ ଗୋଡ଼କୁ କାମୁଡିଥିଲା । ପରେ ବଜାର ଛକ ନିକଟରେ ପାତ୍ର ସାହିର ଅନେକ ଲୋକଙ୍କୁ କାମୁଡିଥିଲା।
ଏହା ମଧ୍ୟ ପଢନ୍ତୁ-ଆତଙ୍କ ଖେଳାଉଛି ଦନ୍ତା, ଟ୍ରାଙ୍କୁଲାଇଜ କରିବାକୁ DFOଙ୍କ ସୂଚନା
ସେହିପରି ଗତକାଲି(ମଙ୍ଗଳବାର) ପୁଣି ସକାଳୁ ସକାଳୁ ବଣାଇ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ ପୁଣି ଲୋକଙ୍କୁ କାମୁଡ଼ିଛି । ବର୍ତ୍ତମାନ 20ରୁ ଉର୍ଦ୍ଧ୍ବ ଲୋକଙ୍କୁ ପାଗଳ କୁକୁର କାମୁଡ଼ିଥିବା ବେଳେ ଏନେଇ ବଣେଇ ପଶୁ ଡାକ୍ତର ଖାନା ବିଭାଗକୁ ସୂଚନା ଦିଆଯାଇଥିଲା । ହେଲେ ଏବେ ପର୍ଯ୍ୟନ୍ତ କୁକୁରକୁ ଧରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି । ଫଳରେ ଲୋକେ ଭୟରେ ଭୟରେ ହାତରେ ଠେଙ୍ଗା ଧରି ବୁଲୁଥିବା ଦେଖିବାକୁ ମିଳିଛି । ସେପଟେ ଯଥାଶୀଘ୍ର କୁକୁରକୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।
ଇଟିଭି ଭାରତ, ରାଉରକେଲା