ଢେଙ୍କାନାଳ: ଜିଲ୍ଲା କଣ୍ଟା ବଣିଆ ଥାନା ଅଞ୍ଚଳରେ ବେଆଇନ ଇଟାଭାଟିରେ ଘଟୁଛି ବାରମ୍ବାର ଅଘଟଣ । ଆଉ ଏହି ଇଟାଭାଟି ନିଆଁର ଧୂଆଁରେ ଯାଉଛି ଗୋଟିଏ ପରେ ଗୋଟିଏ ନିରୀହ ଶ୍ରମିକଙ୍କ ଜୀବନ । ଗତ ଡିସେମ୍ବରରେ ଦୁଇ ଶ୍ରମିକଙ୍କର ମୃତ୍ୟୁ ପରେ ପୁଣି ଘଟିଛି ଅଘଟଣ । କମଳାଙ୍ଗ ନଦୀ କୂଳରେ ଇଟାଭାଟି ଶ୍ଵାସରୁଦ୍ଧ ହୋଇ ଗୋଟିଏ ଶ୍ରମିକ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । କଣ୍ଟାବଣିଆ ଥାନା ଅଞ୍ଚଳର ଏପରି ବାରମ୍ବାର ଅଘଟଣକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଇଟାଭାଟି ମାଲିକ ମାନେ ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେଉଥିବାବେଳେ ବଳି ପଡୁଛନ୍ତି ନୀରିହ ଶ୍ରମିକ ।
ପ୍ରକାଶ ଥାଉକି, ବେଆଇନ୍ ଇଟାଭାଟି ନେଇ ଚାଲିଛି ଶ୍ରମିକଙ୍କ ଜୀବନ । ଆଉ ବାରମ୍ବାର ଘଟି ଚାଲିଛି ଅଘଟଣ । ଗତ ଡିସେମ୍ବର ୧୪ ତାରିଖ ରାତିରେ ବେଆଇନ ଇଟାଭାଟିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ପରେ ପୁଣି ଘଟିଛି ଅନୁରୂପ ଘଟଣା । ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ଛତୁ ଫୁଟିଲାପରି ଗଢି ଉଠିଛି ଇଟାଭାଟି । ଇଟାଭାଟିରେ ଧୂଆଁରେ ଶ୍ଵାସରୁଦ୍ଧ ହୋଇ ଗୋଟିଏ ଶ୍ରମିକ ପରିବାର ୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଜଣେ ବାଳକକୁ ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସେପଟେ ଏଭଳି ବାରମ୍ବାର ଅଘଟଣା ଘଟୁଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ସରକାର ଏହି ଇଟାଭାଟି ବେଆଇନ ଘୋଷଣା କରିଥିଲେ ମଧ୍ୟ କିଭଳି ଏତେ ପରିମାଣର ଭାଟି ଗଢି ଉଠୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସ୍ଥାନୀୟ କଣ୍ଟା ବଣିଆ ପୋଲିସ, ଓଡ଼ପଡା ତହସିଲ କର୍ମଚାରୀ ଓ ଇଟାଭାଟି ମାଲିକଙ୍କ ସଲାସୁତରାରେ ଏହି ବେଆଇନ ଇଟାଭାଟି ଚାଲୁଥିବା ଅଭିଯୋଗ ହୋଇଛି ।ଏନେଇ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି ଶ୍ରମବିଭାଗ । ସେହିପରି ରାଜ୍ୟ ତଥା ରାଜ୍ୟ ବାହାର ଛତିଶଗଡ଼ ଅଞ୍ଚଳରୁ ଶ୍ରମିକ ମାନଙ୍କୁ ଆଣି ଖୁବ୍ କମ୍ ପାଉଣାରେ ଇଟାଭାଟିରେ ନିୟୋଜିତ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ....ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା 3 ଜୀବନ
ସେହିପରି ନିଜର ପେଟ ପାଟଣା ପାଇଁ ଶ୍ରମିକମାନେ ନିଜ ପରିବାର ସହିତ ଅସୁରକ୍ଷିତ ଅବସ୍ଥାରେ ଇଟାଭାଟି ପାଖ କୁଡ଼ିଆରେ ରହି କାମ କରିବାକୁ ବାଧ୍ୟ ହେଉଥିବା କିଛି ଶ୍ରମିକ କହିଛନ୍ତି । ଯାହାକୁ ନେଇ ସ୍ଥାନୀୟ ପୋଲିସ, ରାଜସ୍ୱ ବିଭାଗ ଓ ଶ୍ରମବିଭାଗର ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରସାଶନ କେବେ ଏହି ବେଆଇନ୍ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ଇଟିଭି ଭାରତ, ଢେଙ୍କାନାଳ