ରାୟଗଡ଼ା: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ପରଲୋକ । ୮୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରାୟଗଡ଼ା ଜିଲ୍ଲା ବିଷମକଟକରୁ କଂଗ୍ରେସ ଟିକଟରେ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଡମ୍ବରୁଧର । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଡମ୍ବରୁଧର ଉଲ୍ଲାକା ୧୯୭୪ ମସିହାରେ କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୨ ଓ ୧୯୮୯ ମସିହାରେ ସେ ରାଜ୍ୟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ଶେଷଥର ପାଇଁ ୨୦୧୪ ମସିହାରେ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକା ଭାବେ ନିର୍ବାଚନ ଲଢିଥିଲେ । ଦୀର୍ଘ ଦିନ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡମ୍ବରୁଧରଙ୍କ ମରଶରୀର ତାଙ୍କର ଜନ୍ମମାଟିକୁ ଅଣାଯିବ ।
ଏହା ମଧ୍ୟ ପଢନ୍ତୁ: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ - Sushil Modi Passes Away
ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡମ୍ବରୁଧର ଉଲ୍ଲାକାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜନସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି । କୋରାପୁଟ କଂଗ୍ରେସ ବିଧାୟକ ସପ୍ତଗିରି ଉଲ୍ଲାକା ମଧ୍ୟ ଟ୍ବିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଇଟିଭି ଭାରତ, ରାୟଗଡ଼ା