ସମ୍ବଲପୁର: ବରଗଡ଼ ପରେ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ବରଗଡ଼ ଜିଲ୍ଲାରେ ୨୦ ତାରିଖରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ, ଆସନ୍ତାକାଲିଠାରୁ (୨୨ ତାରିଖ) ସମ୍ବଲପୁର ଜିଲ୍ଲାରେ ଚଳିତ ଖରିଫ ଋତୁ ପାଇଁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ DLPC ବୈଠକରେ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି । ଏହି କ୍ରମରେ ଗତକାଲି (ବୁଧବାର) ଦିନ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟର SSS ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲାପାଳ, ବିଧାୟକ ତଥା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବିଷୟରେ ସୂଚନା ଦେଉଛନ୍ତି ।
ମିଲର ରାଜ୍ ଉପରେ ଲାଗିବ ଅଙ୍କୁଶ:
ପୂର୍ବ ସରକାର ଥିବାବେଳେ ଟୋକନ ସମସ୍ୟା, କଟନୀ ଛଟନି ଆଦି ସମସ୍ୟା ନେଇ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ମୁଖ୍ୟତଃ ରାଜ୍ୟସ୍ତରରେ ଟୋକନ ଦେବାର ନିଷ୍ପତି ନିଆ ଯାଉଥିବା ବେଳେ ଏହା ଦ୍ୱାରା ଚାଷୀ ବହୁତ ହଇରାଣ ହେଉଥିଲେ । ଅନ୍ୟପଟେ ଧାନର ମାନ ଠିକ ନଥିବା କହି ମିଲରମାନେ ଧାନ କ୍ୱିଣ୍ଟାଲ ପିଛା 5 ରୁ 10 କେଜି ପର୍ଯ୍ୟନ୍ତ ଓଜନ କାଟି ଦେଉଥିବା ଅଭିଯୋଗ ହୋଇ ଆସୁଥିଲା । ଏଥର ଟୋକନ ବ୍ୟବସ୍ଥାରେ ସୁଧାର ଓ କଟନୀ ଛଟନି ଉପରେ ରୋକ ଲଗେଇବାକୁ ଚେଷ୍ଟା କରାଯିବ ତଥା ଦଲାଲଗିରି ଓ ମିଲର ରାଜ ଉପରେ ରୋକ ଲଗାଯିବାକୁ ଚେଷ୍ଟା କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ମୋହନ ସରକାର ଆସିବା ପରେ ଧାନ କ୍ୱିଣ୍ଟାଲ ପ୍ରତି 3100 ଟଙ୍କାରେ କିଣିବା ନିଷ୍ପତିକୁ କେତେକ ଚାଷୀ ସ୍ୱାଗତ କରିଛନ୍ତି l
ଏମିତି କହିଲେ ମନ୍ତ୍ରୀ:
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ,"ଏଥର ଧାନ କିଣାରେ ଯେପରି ଚାଷୀ କଟନୀ ଛଟନିର ଶିକାର ହେବନି । ଚାଷୀ ଖାତାକୁ ଟଙ୍କା ସିଧାସଳଖ ଯିବ ତଥା ଦଲାଲ ରାଜ ଉପରେ କିପରି ରୋକ ଲାଗିବ ସେନେଇ ପଦକ୍ଷେପ ନିଆଯାଇଛି । ଟୋକନ ବ୍ୟବସ୍ଥାରେ ଥିବା ସମସ୍ୟାକୁ ସ୍ୱୀକାର କରିବା ସହ ଆଗାମୀ ଦିନରେ ଟୋକନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲ୍ଲାସ୍ତରକୁ ହସ୍ତାନ୍ତର କରାଯିବ । ପୂର୍ବରୁ ରାଜ୍ୟସ୍ତରରେ ଏନେଇ ନିଷ୍ପତି ନିଆ ଯାଉଥିବାବେଳେ ଆଗକୁ ଜିଲ୍ଲାପାଳ ମାନେ ନିଷ୍ପତି ନେବାର କ୍ଷମତା ପାଇବେ । କିଛି ଲୋକଙ୍କ ଧାନ ପ୍ରସ୍ତୁତ ହୋଇଯାଇଛି, ଟୋକନ ଆସିନାହିଁ । କିଛି ଲୋକଙ୍କ ଧାନ ପ୍ରସ୍ତୁତ ହୋଇନାହିଁ, ଟୋକନ ଆସିଛି । ତାହା ଅଧିକାରୀଙ୍କ ସହ ଆଲୋଚନା ସମାଧାନ କରାଯିବ । ଟୋକନ ବ୍ୟବସ୍ଥା ଉଚ୍ଛେଦ ହେବ ନାହିଁ କିନ୍ତୁ ଟୋକନ ବ୍ୟବସ୍ଥାକୁ ଆମେ ଜିଲ୍ଲାସ୍ତରକୁ ଦେଇଦେବୁ । ଜିଲ୍ଲାପାଳଙ୍କ ମାଧ୍ୟମରେ ଟୋକନ ବ୍ୟବସ୍ଥା ଦିଆଯିବ । "
ସୂଚନାଯୋଗ୍ୟ, ଟୋକନ ବ୍ୟବସ୍ଥାରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କୁ ମିଳୁଥିବା ଟୋକନର ଅବଧି ଏକ ମାସ ଅଟେ । ଏହି ଅବଧି ଭିତରେ ଚାଷୀ ଧାନ ବିକ୍ରି କରିବାକୁ ବାଧ୍ୟ । ନଚେତ୍ ଟୋକନର ଭେଲିଡିଟି ସରିଯାଏ । ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥାଏ । ହେଲେ ବର୍ତ୍ତମାନ ଜିଲ୍ଲାପାଳଙ୍କୁ ଏକ୍ସଟ୍ରା ଟାଇମ ଦିଆଯାଇଛି । କାହିଁକି ନା ଯଦି କୌଣସି କୃଷକ ଧାନ ଦେଇ ପରିବେନାହିଁ । ବିଳମ୍ବ କରିବେ ତାହେଲେ ଜିଲ୍ଲାପାଳ ମାନେ ସେହି ଅବଦ୍ଧିକୁ 7 ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି,"ବାହାର ଜିଲ୍ଲାର ଧାନ ଯେମିତି ସମ୍ବଲପୁରକୁ ନଆସିବ ସେଥିପାଇଁ ସୀମାରେ ସତର୍କତା ଅବଲମ୍ବନ କରାଯାଉଛି । ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ଓ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଚଳିତ ଧାନ କ୍ରୟ ସମୟରେ ଦଲାଲମାନଙ୍କ ପ୍ରାଦୁର୍ଭାବ ରୋକିବାକୁ ସବୁ ମଣ୍ଡିରେ ସିସିଟିଭି ଲଗାଯିବ l ଯେତକି ମଣ୍ଡି ଅଛି ସବୁଠି ଶେଡ, କୃଷକମାନଙ୍କ ବସିବା ଚେୟାର ଓ ପାନୀୟ ଜଳର ବ୍ୟବସ୍ଥା କରାଯିବଷ ।" ତେବେ ଚଳିତ ଧାନ ସଂଗ୍ରହ ପୂର୍ବରୁ ସରକାରଙ୍କ ନୂତନ ବ୍ୟବସ୍ଥା ନେଇ କେତେକ ଚାଷୀ ବହୁତ ଆଶାବାଦୀ ଥିବାବେଳେ କେତେକ ଚାଷୀ ଏବେ ବି ସନ୍ଦେହରେ ରହିଛନ୍ତି ।
କେତେ ଚାଷୀଙ୍କ ପଞ୍ଜୀକରଣ ହୋଇଛି ?
ଚଳିତ ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଆସନ୍ତା 22 ତାରିଖରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ । ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଧାନକ୍ରୟ ହେବ ଏବଂ ଆବଶ୍ୟକ ସ୍ଥଳେ ସମୟ ଅବଧି ବୃଦ୍ଧି କରାଯିବ । ସେହିପରି 27 ତାରିଖରୁ କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଧାନସଂଗ୍ରହ ଆରମ୍ଭ ହେବ । ସମ୍ବଲପୁର ଜିଲ୍ଲାପାଳ ଖରିଫ ଧାନ ବିକ୍ରୟରେ କୌଣସି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ । ଧାନ ବିକ୍ରୟ ପାଇଁ 59,895 ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଯାଞ୍ଚପରେ 59,818ଜଣ ବୈଧ ଚାଷୀ ରହିଛନ୍ତି ।
କିପରି ହୋଇଛି ଧାନ କିଣା ବ୍ୟବସ୍ଥା ?
ଜିଲ୍ଲାରେ 45ଟି ପ୍ୟାକ୍ସ/ଲ୍ୟାମ୍ପସ ଓ 14ଟି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ 129ଟି ଧାନ କ୍ରୟକେନ୍ଦ୍ର/ମାର୍କେଟ ୟାର୍ଡରେ ଧାନ ବିକ୍ରୟ ହେବ । ଏଥିରେ 46 ଜଣ ମିଲରଙ୍କୁ ନିୟୋଜିତ କରାଯାଇଛି । ଧାନସଂଗ୍ରହ ତଦାରଖ ପାଇଁ 123 ଜଣ ନୋଡ଼ାଲ ଅଫିସର ନିୟୋଜିତ ହୋଇଛନ୍ତି । 29 ଜଣ ମଣ୍ଡି ସୁପରଭାଇଜିଙ୍ଗ ଅଧିକାରୀ ମଧ୍ୟ ନିୟୋଜିତ ରହିବେ । ସାଟେଲାଇଟ୍ ସର୍ଭେରେ ଜିଲ୍ଲାର 64718ଟି ପ୍ଲଟ୍ ସନ୍ଦିଗ୍ଧ ବୋଲି ଚିହ୍ନଟ ହୋଇଛି । ଏହାର ସରଜମିନ ଯାଞ୍ଚ ଚାଲିଥିବା ଜଣାପଡ଼ିଛି । ଗତବର୍ଷ 2023-24ଖରିଫ୍ ଋତୁରେ 54947 ଜଣ ଚାଷୀ 30,68,388.13 କ୍ବିଣ୍ଟାଲ ଧାନ ବିକ୍ରୟ କରିଥିଲେ ।
ଇଟିଭି ଭାରତ, ସମ୍ବଲପୁର