ସମ୍ବଲପୁର: ଆଗାମୀ ସାଧରଣ ନିର୍ବାଚନ ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ । ନିର୍ବାଚନ କମିଶନ ଚଳିତ ସାଧରଣ ନିର୍ବାଚନ ନେଇ ତାରିଖ ଘୋଷଣା କରିବା ପରେ ମଡେଲ କୋଡ୍ ଅଫ କଣ୍ଡକ୍ଟ ଲାଗୁ ହୋଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି କ'ଣ ରହିଛି, ସେନେଇ ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର ଲୋକସଭା କ୍ଷେତ୍ରରେ ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା, ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକ, ଛେଣ୍ଡିପଦା ଭଳି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଆସନ୍ତା ନିର୍ବାଚନରେ କୁଚିଣ୍ଡା ବିଧାନସଭା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସରର ଦାୟିତ୍ୱ ନିର୍ବାହ କରିବେ । ସେହିପରି ସମ୍ବଲପୁର ବିଧାନସଭା ପାଇଁ ସମ୍ବଲପୁର ଉପଜିଲ୍ଲାପାଳ, ରେଢ଼ାଖୋଲ ପାଇଁ ରେଢ଼ାଖୋଲ ଉପଜିଲ୍ଲାପାଳ ଓ ରେଙ୍ଗାଲି ପାଇଁ ସମ୍ବଲପୁର ADM (Revenue) ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଅଛନ୍ତି । ସମ୍ବଲପୁର ଲୋକସଭା ସିଟ ପାଇଁ ସମ୍ବଲପୁର ଜିଲ୍ଲାପାଳ ରିଟର୍ଣ୍ଣିଙ୍ଗ ଅଫିସର ରହିବେ ।
ସମ୍ବଲପୁର ଜିଲ୍ଲାରେ ସମୁଦାୟ ଭୋଟର ୮ ଲକ୍ଷ ୧୩ ହଜାର ୪୨୦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୩ ହଜାର ୮୮୩ ଜଣ ପୁରୁଷ ଭୋଟର ରହିଥିବାବେଳେ ୪ ଲକ୍ଷ ୯ ହଜାର ୫୪୮ ମହିଳା ଭୋଟର ରହିଛନ୍ତି । ୭୯ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଜିଲ୍ଲାରେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧୬ ହଜାର ୭୪୨ । ସେହିପରି ଜିଲ୍ଲାରେ ୧୮ରୁ ୨୯ ବର୍ଷ ବୟଷ୍କ ଯୁବ ଭୋଟର ସଂଖ୍ୟା ୧୮,୦୫୮ ରହିଛି । ଆଗାମୀ ନିର୍ବାଚନ ପାଇଁ ଜିଲ୍ଲାରେ ୯୪ଟି ପୋଲିଂ ସେଣ୍ଟର କରାଯାଇଛି । ମହିଳାଙ୍କ ପାଇଁ ୧୨୨ଟି ସଖି ବୁଥର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଏହା ସହ ଜିଲ୍ଲାରେ ୧୮୯ଟି ମଡେଲ ବୁଥର ବ୍ୟବସ୍ଥା କରାଯାଇଛି ।
ସେହିପରି ୨୫ଟି ବୁଥ ଯୁବ ବର୍ଗଙ୍କ ଦ୍ୱାରା ପରିଚାଳିତ ହେବ । ସମ୍ବଲପୁର ଜିଲ୍ଲାରେ ୪ଟି ଡିସବର୍ସଲ, ରିସିଭିଙ୍ଗ ତଥା କାଉଁଟିଂ ସେଣ୍ଟର ରହିଛି । କୁଚିଣ୍ଡା ବିଧାନସଭା ପାଇଁ କୁଚିଣ୍ଡା କଲେଜ, ରେଙ୍ଗାଲି ବିଧାନସଭା ପାଇଁ ସମ୍ବଲପୁରର NSCB କଲେଜ, ସମ୍ବଲପୁର ବିଧାନସଭା ପାଇଁ ସମ୍ବଲପୁର ସରକାରୀ ମହିଳା କଲେଜ ଓ ରେଢ଼ାଖୋଲ ପାଇଁ ଭୀମଭୋଇ କଲେଜକୁ କାଉଁଟିଂ ସେଣ୍ଟର କରାଯାଇଛି । ନିର୍ବାଚନ ପାଇଁ ସମ୍ବଲପୁର ଜିଲ୍ଲାରେ ୨୯ ଏପ୍ରିଲରେ ଗେଜେଟ ନୋଟିଫିକେସନ ଜାରି ହେବ । ଏହାସହ ୨୯ରୁ ଏପ୍ରିଲରୁ ମେ' ୬ ଯାଏଁ ନାମାନଙ୍କ ପ୍ରକ୍ରିୟାର ଅବଧି ରହିବ । ମେ ୭ରେ ଯାଞ୍ଚ, ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଦିନ ପ୍ରାର୍ଥୀ ତାଲିକା ଘୋଷଣା ହେବ । ସମ୍ବଲପୁର ଜିଲ୍ଲାରେ ମେ ୨୫ରେ ମତଦାନ ହେବ ଓ ଜୁନ ୪ରେ ଭୋଟ ଗଣତି ହେବ ।
ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ବାବଦରେ ହିସାବ ରଖିବା ପାଇଁ ମନିଟରିଂ ୟୁନିଟ ଗଠନ ହୋଇଛି । ଏଥିରେ ଆଇଟି, ଜିଏସଟି, ପୋଲିସ, ଅବକାରୀ, ଫରେଷ୍ଟ ବିଭାଗ ନିୟୋଜିତ ରହିବେ । ଭୋଟ ପାଇଁ ଟଙ୍କା, ମଦ ଅଥବା ଅନ୍ୟ କୌଣସି ମାଦକ ଦ୍ରବ୍ୟର ବ୍ୟବହାର ଯେପରି ନହେବ ସେଥିପାଇଁ ଦୃଷ୍ଟି ରଖାଯିବ । ଚଳିତ ନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଓ ସାଂସଦ ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କାର ନିର୍ବାଚନୀ ଖର୍ଚ୍ଚ କରି ପାରିବେ । ଏହି ସବୁ ପ୍ରକ୍ରିୟା ଉପରେ ନଜର ରଖାଯିବ ଓ ଫଳାଫଳ ଆସିବା ପରେ ଏକ ମାସ ଭିତରେ ନିର୍ବାଚନୀ ଖର୍ଚ୍ଚର ଯାଞ୍ଚ କରାଯିବ । ଏଥିପାଇଁ ଜିଲ୍ଲାସ୍ତରରେ ଇଲେକ୍ସନ ମନିଟରିଂ ଟିମ ଗଠନ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ .....ପୁରୀରେ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଭୋଟ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ନିର୍ବାଚନ ପାଇଁ ଜିଲ୍ଲାରେ ୧୨ଟି ଫ୍ଲାଇଂ ସ୍କ୍ୱାଡ ନିୟୋଜିତ ରହିବେ । ପ୍ରତ୍ୟେକ ସ୍କ୍ୱାଡରେ ଜଣେ ଲେଖାଏଁ ଏକ୍ଜିକ୍ୟୁଟିବ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀ ଓ ଭିଡିଗ୍ରାଫର ରହିବେ । ଏହାସହ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୦ଟି ଚେକ ପୋଷ୍ଟ ବା ନାକା ମଧ୍ୟ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଚଳିତ ନିର୍ବାଚନ ପାଇଁ ଭୋଟର ଓ ପ୍ରାର୍ଥୀଙ୍କ ସୁବିଧା ପାଇଁ କେତୋଟି ଆପ୍ର ବ୍ୟବସ୍ଥା କରାଯାଇଛି । କୌଣସି ସ୍ଥାନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିଲେ ଯେ କୌଣସି ସାଧାରଣ ବ୍ୟକ୍ତି ପ୍ରମାଣ ସହ 'ସି-ଭିଜିଲ' ଆପରେ ଅନଲାଇନରେ ଅଭିଯୋଗ କରି ପରିବେ । ୧୦୦ ମିନିଟ ଭିତରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
ସେହିପରି "ସୁବିଧା" ନାମକ ଆପରେ ପ୍ରାର୍ଥୀ ଅନଲାଇନରେ ନାମାଙ୍କନ ପତ୍ର ଦାଖିଲ କରିବା ସହ ପରେ ଏହାର ହାର୍ଡ କପି ବାହାର କରି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଜମା କରିପାରିବେ । ଏହାସହ "ସୁବିଧା" ଆପରେ ପ୍ରାର୍ଥୀମାନେ ଶୋଭାଯାତ୍ରା ପାଇଁ ଆବେଦନ କରି ପାରିବେ । ସାଧରଣ ବ୍ୟକ୍ତି "KYC" ଆପ୍ ଜରିଆରେ ନିଜର ପ୍ରାର୍ଥୀଙ୍କ ବାବଦରେ ସବୁ ତଥ୍ୟ ଜାଣି ପାରିବେ । "ସକ୍ଷମ" ଆପ୍ ଜରିଆରେ ଭିନ୍ନକ୍ଷମ ବ୍ୟକ୍ତି ଅବଶ୍ୟକୀୟ ସୁବିଧା ପାଇ ପାରିବେ । "୧୯୫୦" ଟୋଲ ଫ୍ରି ନମ୍ବରରେ ଯେକୌଣସି ନିର୍ବାଚନୀ ଅନିୟମିତତା ବାବଦରେ ଅଭିଯୋଗ କରିପାରିବେ ସାଧାରଣ ଲୋକେ ।
ତେବେ ଏଥର ଭୋଟ ପରିଚୟ ପତ୍ର ନଥିଲେ ମଧ୍ୟ ଅନ୍ୟ ୧୨ ବିକଳ୍ପ ପରିଚୟ ପତ୍ର ଦେଖାଇ ମତ ସାବ୍ୟସ୍ତ କରିପାରିବେ ଭୋଟର । ଭୋଟ ପରିଚୟ ପତ୍ର ନଥିଲେ ଆଧାର କାର୍ଡ, MGNREGA ଲେବର ଜବ୍ କାର୍ଡ, ଭାରତୀୟ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଫଟୋ ଲାଗିଥିବା ବ୍ୟାଙ୍କ ପାସ ବୁକ୍, ଶ୍ରମ ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେଲଥ୍ ସ୍ମାର୍ଟ କାର୍ଡ, ଫଟୋ ଲାଗିଥିବା ପେନସନ କାର୍ଡ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରୀ କରୁଥିବା କର୍ମଚାରୀଙ୍କ ପରିଚୟ ପତ୍ର ପରି ୧୨ଟି ଆଇ କାର୍ଡରେ ମତଦାନ କରି ପାରିବେ ମତଦାତା ।
ଇଟିଭି ଭାରତ, ସମ୍ବଲପୁର