ଢେଙ୍କାନାଳ: ଗତକାଲି ଦେଶ ପାଳିଲା ୭୫ତମ ଗଣତନ୍ତ୍ର ଦିବସ । ଏନେଇ ପୁରରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହର ମାହୋଲ ଥିବା ବେଳେ ଢେଙ୍କାନାଳରେ ଘଟିଛି ଏକ ଦୁଃଖଦ ଘଟଣା । ପତାକା ଉତ୍ତୋଳନ କରି ଫେରୁଥିବା ବେଳେ କାର ଧକ୍କାରେ ଅବସରପ୍ରାପ୍ତ ରାଜସ୍ୱ କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କାମାକ୍ଷାନଗର ଏନଏସି ୧ ନଂ ଓ୍ବାର୍ଡ ଇନ୍ଦିପୁର ଗ୍ରାମର ହରମୋହନ ବିଶ୍ୱାଳ ।
ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଜଡାପାଳ-ବଡଝରା କେନାଲ ରାସ୍ତାରେ ଜଡ଼ାପାଳ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମୃତ ହରମୋହନ ନିଜ ସ୍କୁଟି ଯୋଗେ କାଦୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ପତାକା ଉତ୍ତୋଳନ କରିବାକୁ ଯାଇଥିଲେ l ସାଧାରଣତନ୍ତ୍ର ଦିବସରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କାର୍ଯ୍ୟ ସାରି ଘରକୁ ଫେରୁଥିଲେ । ସେହି ସମୟରେ ବିପରିତ ଦିଗରୁ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ହରମୋହନଙ୍କ ମୃତ୍ୟୁ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଅସଦାଚରଣ କରିଥିବା ଅଭିଯୁକ୍ତକୁ ବାନ୍ଧୁନି ପୋଲିସ, ତାତିଲା ଆଦିବାସୀ ସଂଘ
କାରଟି ଦୃତଗତିରେ ଆସି ସ୍କୁଟିକୁ ଧକ୍କା ଦେବା ଫଳରେ ହରମୋହନ ରାସ୍ତା କଡରେ ଥିବା ଏକ କାନ୍ଥ ଉପରକୁ ଫୋପାଡ଼ି ହୋଇ ପଡିଥିଲେ । ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତା କଡରେ ଥିବା ଏକ କାନ୍ଥ ଉପରକୁ ଛିଟିକି ପଡିଥିଲେ ରାଜସ୍ବ ନିରୀକ୍ଷକ । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି । ସେପଟେ ହରମୋହନଙ୍କ ମୃତ୍ୟୁକୁ ନେଇ କାମାକ୍ଷାନଗର ମେଡିକାଲ ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଁଚିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଦୁର୍ଘଟଣା ନେଇ କାମାକ୍ଷାନଗରରେ ଏକ ପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l ତେବେ ଗତକାଲି ଭଳି ଏକ ଶୁଭ ଦିନ ପରିବାର ସଦସ୍ୟକୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ଲୋକେ ।
ଇଟିଭି ଭାରତ, ଢ଼େଙ୍କାନାଳ