ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ୮ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୯ ଜଣଙ୍କୁ ପୁରୀ ସିଂହଦ୍ବାର ଥାନା ପୋଲିସ ଅଟକ ରଖିଛି । ଅଟକ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାଂଲାଦେଶରୁ ଆସିଥିବା ମୁସଲିମ୍ ଥିବା ମଧ୍ୟ ଜଣାପଡ଼ିଛି । ତେବେ କେଉଁ ଉଦ୍ଦେଶ୍ୟରେ ସେମାନେ ଶ୍ରୀମନ୍ଦିର ପାଖକୁ ଯାଇଥିଲେ, ଶ୍ରୀମନ୍ଦିର ଭିତରେ କେହି ପ୍ରବେଶ କରିଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଥିବା ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର କହିଛନ୍ତି ।
ସୂଚନା ଅନୁଯାୟୀ କିଛି ବ୍ୟକ୍ତି ଆଜି (ରବିବାର) ଶ୍ରୀମନ୍ଦିର ନିକଟରେ ଠିଆ ହୋଇଥିଲେ । ଏହି ସମୟରେ କିଛି ବଜରଙ୍ଗ ଦଳ କର୍ମୀ ସେମାନଙ୍କୁ ସନ୍ଦେହ କରିଥଲେ । ତାଙ୍କ ବେଶ ଭୂଷାରୁ ସେମାନେ ମୁସ୍ଲିମ୍ ବୋଲି ସନ୍ଦେହ କରିଥିଲେ । ପରେ ପଚରାଉଚରା କରିବା ସହ ତାଙ୍କ ପାସପୋର୍ଟ ଦେଖିବା ପରେ ସେମାନେ ବାଂଲାଦେଶରୁ ଆସିଥିବା ମୁସିଲମ୍ ବୋଲି ଜଣା ପଡିଥିଲା । ତେବେ ସେମାନଙ୍କର କିଛି ସାଥୀ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ ସନ୍ଦିଗ୍ଧ ବ୍ୟକ୍ତି । ପରେ ବଜରଙ୍ଗ ଦଳ କର୍ମୀ ସେମାନଙ୍କୁ ଆଣି ସିଂହଦ୍ବାର ଥାନାରେ ଜିମା ଦେଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ୯ ଜଣଙ୍କୁ ଅଟକ ରଖିଛି । କେଉଁ ଉଦ୍ଦେଶ୍ୟରେ ସେମାନେ ଶ୍ରୀମନ୍ଦିର ପାଖକୁ ଯାଇଥିଲେ, ଶ୍ରୀମନ୍ଦିର ଭିତରେ କେହି ପ୍ରବେଶ କରିଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଥିବା ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର କହିଛନ୍ତି ।
ତେବେ ଏହି ଘଟଣାକୁ ନେଇ ପୁରୀ ପୋଲିସ ଉପରେ ବର୍ଷିଛନ୍ତି ବଜରଙ୍ଗ ଦଳର କର୍ମୀ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଢିଲା ଥିବା ବଜରଙ୍ଗ ଦଳ ଅଭିଯୋଗ କରିଛି । ବଜରଙ୍ଗ ଦଳର ପୁରୀ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଣ୍ଡେ କହିଛନ୍ତି, "ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ବିପଦ ରହିଛି । ପୁରୀ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଣହିନ୍ଦୁ ପ୍ରବେଶ କରୁଛନ୍ତି । କିଛିଦିନ ତଳେ ବେଙ୍ଗାଲୁରୁରେ ବୋମା ବିସ୍ଫୋରଣ ହୋଇଥିଲା । ଯଦି ଏଠାରେ କିଛି ଅଘଟଣ ଘଟେ, କିଏ ଦାୟୀ ରହିବ ?" ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ଢିଲାକୁ ବଜରଙ୍ଗ ଦଳ କଡ଼ା ନିନ୍ଦା କରିଛି ।
ଇଟିଭି ଭାରତ, ପୁରୀ