କେନ୍ଦ୍ରାପଡ଼ା(ଓଡ଼ିଶା): ବିଶ୍ୱ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର ପରିଚୟ ଅନନ୍ୟ । ଭୌଗୋଳିକ ଅବସ୍ଥିତି ଅନୁସାରେ, ଏହା ବଙ୍ଗୋପସାଗର କୂଳରେ ଅବସ୍ଥିତ । ଜିଲ୍ଲାର ଶୋଭା ବର୍ଦ୍ଧନ କରୁଛି ଭିତରକନିକା ଜାତୀୟ ଉଦ୍ୟାନ । ଆଉ ଜାତୀୟ ଉଦ୍ୟାନର ଶୋଭାକୁ ଦ୍ବିଗୁଣିତ କରୁଛନ୍ତି ବିରଳ 'ଧଳା କୁମ୍ଭୀର' ବା 'Albanian Crocodile'। ଭିତରକନିକା ଜାତୀୟ ଉଦ୍ୟାନ ଲୁଣା ପାଣି କୁମ୍ଭୀର ବା 'Salt Water Crocodile'ପାଇଁ ବିଶ୍ୱ ପ୍ରସିଦ୍ଧ । ଲୁଣା ଜଙ୍ଗଲ ପୂର୍ଣ୍ଣ ନଦୀ ନାଳରେ ଧଳା କୁମ୍ଭୀର ପର୍ଯ୍ୟଟକଙ୍କୁ ବିମୋହିତ କରେ । ଆସନ୍ତୁ ବୁଲିଯିବା କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧଳା କୁମ୍ଭୀର ସଂପର୍କରେ ଜାଣିବା ସବିଶେଷ ତଥ୍ୟ ।
ଭିତରକନିକା ଜାତୀୟ ଉଦ୍ୟାନ । ଓଡ଼ିଶା ରାଜଧାନୀ ଭୁବନେଶ୍ବରରୁ ୧୫୩ କିଲୋମିଟର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟାଳୟ କେନ୍ଦ୍ରାପଡ଼ା ସହରରୁ ୭୦ କିଲୋମିଟର ଦୂର । କଟକ-ଚାନ୍ଦବାଲି ରାଜପଥରେ ପଟ୍ଟାମୁଣ୍ଡାଇ ଦେଇ ଗଲେ ପଡ଼ିବ ଡାଙ୍ଗମାଳ । ସେହିଠୁ ଆରମ୍ଭ ହୁଏ ଭିତରକନିକା ଜାତୀୟ ଉଦ୍ୟାନର ସୀମା ।
- କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭିତରକନିକା:
ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭିତରକନିକା । ବିଶ୍ବ ଗବାକ୍ଷରେ କୁମ୍ଭୀରଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ, ଭିତରକନିକାରେ ଆରମ୍ଭ ହୋଇଥିଲା ପୃଥିବୀର ସର୍ବପ୍ରଥମ କୃତ୍ରିମ କୁମ୍ଭୀର ପ୍ରଜନନ ପ୍ରକଳ୍ପ । ବିଶ୍ବରେ ବଉଳା କୁମ୍ଭୀର ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାରେ ଆସିବା ପରେ ମିଳିତ ଜାତିସଂଘ, ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ । ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ଏଚ୍. ଆର୍.ବଷ୍ଟାଡ଼, ଓଡ଼ିଶାର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ସୁଧାକର କର ଏବଂ ଡକ୍ତର ଚନ୍ଦ୍ରଶେଖର କରଙ୍କ ନେତୃତ୍ୱରେ ୧୯୭୫ ମସିହାରେ ବଙ୍ଗୋପସାଗର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଡାଙ୍ଗମାଳଠାରେ ଆରମ୍ଭ ହେଲା ପ୍ରଥମ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ ପ୍ରକଳ୍ପ ।
- ଧଳା କୁମ୍ଭୀରଙ୍କ ଜନ୍ମ:
୧୯୭୫ ମସିହାରେ କାଳିଭଞ୍ଜଡିଆ ନାମକ ଦ୍ବୀପର ଗୋଟିଏ କୁମ୍ଭୀର ବସାରୁ ୪୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା । ପରେ ଡାଙ୍ଗମାଳରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କୃତ୍ରିମ ପ୍ରଜନନ କେନ୍ଦ୍ରରେ ଏହି ଅଣ୍ଡା ଗୁଡ଼ିକୁ ରଖାଯାଇଥିଲା । ସଂଗୃହୀତ ୪୮ ଅଣ୍ଡାରୁ ମାତ୍ର ୨୪ଟିରେ ଛୁଆ ବାହାରିଥିଲା ବେଳେ ଅନ୍ୟ ଅଣ୍ଡାଗୁଡ଼ିକ ନଷ୍ଟ ହୋଇଥିଲା । ୧୯୭୫ ମସିହାରେ ଭିତରକନିକାକୁ ମିଳିଥିଲା ଅଭୟାରଣ୍ୟ ମାନ୍ୟତା । ସବୁଠାରୁ ଲକ୍ଷ୍ୟ କରାଯିବା ବିଷୟ ଥିଲା ଏହି ଅଣ୍ଡା ଗୁଡିକରୁ ବାହାରିଥିବା ଛୁଆ ଗୁଡ଼ିକ ମଧ୍ୟରୁ ଗୋଟିଏ ଛୁଆ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଧଳା ବା "ଧଳା ରଙ୍ଗ କୁମ୍ଭୀର" ।
ଧଳା କୁମ୍ଭୀର ଏବଂ ଏହାର ନାମକରଣ:
୪୮ ଅଣ୍ଡା ମଧ୍ୟରୁ ୨୪ଟି ଅଣ୍ଡାରୁ ଛୁଆ ଫୁଟିଥିବା ବେଳେ, ଗୋଟିଏ କୁମ୍ଭୀର ଛୁଆ ଥିଲା ସମ୍ପୂର୍ଣ୍ଣ ଅଲଗା । ଏହା ଧଳା ବା ଗୋରା ଦେଖା ଯାଉଥିଲା । ତେଣୁ ଏହା ବିଶ୍ୱର ପ୍ରଥମ "ଧଳା କୁମ୍ଭୀର" ବୋଲି ଚିହ୍ନଟ କରି କୁମ୍ଭୀରଟିର ନାମକରଣ "ଗୋରୀ" (GORI)କରାଗଲା । ଏହାକୁ ପର୍ଯ୍ୟଟକମାନଙ୍କ ଦେଖିବା ଓ ଏହା ଉପରେ ଅଧିକ ରିସର୍ଚ୍ଚ ପାଇଁ ଗୋରୀକୁ ଏକ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଏକ ଆବଦ୍ଧ ପୋଖରୀରେ ତାରବାଡ଼ ବୁଲାଯାଇ ରଖାଯାଇଥିଲା ।
- କୁମ୍ଭୀର ବଂଶର ଗୌରବ 'ଗୋରୀ'
ଭିତରକନିକା ଜାତୀୟ ଉଦ୍ୟାନର ପ୍ରଥମ ଧଳା କୁମ୍ଭୀର "ଗୋରୀ" । ୧୯୭୫ ମସିହାରେ ହୋଇଥିଲା ଜନ୍ମ । ଏବେ ତାକୁ ୫୦ ବର୍ଷ । ଗୋରୀ ଜନ୍ମ ପରେ, ଧଳା କୁମ୍ଭୀର ଦେଖିବାକୁ ଭିତରକନିକା ଜାତୀୟ ଉଦ୍ୟାନକୁ ଛୁଟିଥିଲା ପର୍ଯ୍ୟଟକଙ୍କ ସୁଅ । ଗବେଷଣା ପାଇଁ ପହଞ୍ଚିଥିଲେ ପ୍ରାଣୀ ବିଜ୍ଞାନୀ ଓ ପରିବେଶବିତ । ବିଶ୍ୱର ଏହି ବିରଳ ଧଳା କୁମ୍ଭୀରର ବଂଶ ବିସ୍ତାର ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ । ୧୯୮୭ ମସିହାରେ ଗୋରୀ ରହୁଥିବା ଖୁଆଡ଼ (କୃତ୍ରିମ ପୋଖରୀ) ଭିତରକୁ ଏକ ପୁରୁଷ କୁମ୍ଭୀରକୁ ଛଡ଼ା ଯାଇଥିଲା । ତେବେ ଏହି ସମୟରେ ଗୋରୀ ହିଂସ୍ର ହୋଇ ପୁରୁଷ କୁମ୍ଭୀର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ଫଳରେ ଗୋରୀ ଓ ପୁରୁଷ କୁମ୍ଭୀର ଉଭୟ ଆହତ ଓ ରକ୍ତାକ୍ତ ହୋଇଥିଲେ । ପରେ ଗୋରୀ ଖୁଆଡ଼ରୁ ପୁରୁଷ କୁମ୍ଭୀରକୁ ବାହାର କରାଯାଇଥିଲା । ଏହାପରେ ପ୍ରଜନନ ବା MATING ପାଇଁ ଦ୍ବିତୀୟ ଥର ମଧ୍ୟ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ବନବିଭାଗ ବିଫଳ ହୋଇଥିଲା । ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ଯେ, "ଗୋରୀକୁ ପୁରୁଷ ସାଥି ସହ ମିଳନ ପାଇଁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଥିଲା । ଏବେ ଅନ୍ୟ ଦୁଇ ଧଳା କୁମ୍ଭୀର ମଲ୍ଲୀ ଏବଂ ଶ୍ୱେତାଙ୍କ ପ୍ରଜନନ ପାଇଁ ବନ ବିଭାଗ ବର୍ତ୍ତମାନ ବିଚାର କରୁଛି । "
- ଦ୍ବିତୀୟ ଧଳା କୁମ୍ଭୀର 'ମଲ୍ଲୀ':
ଗୋରୀ ପରି ମଲ୍ଲୀକୁ ମଧ୍ୟ ଅଣ୍ଡା ସଂଗ୍ରହ କରି ଅଣା ଯାଇଥିବା ଜଣାପଡିଛି । ୧୯୯୯ ମସିହା ମହାବାତ୍ୟା ପରେ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାପର ବର୍ଷ ଅର୍ଥାତ ୨୦୦୦ ମସିହାରେ ସଂଗୃହୀତ ଅଣ୍ଡାରୁ ଛୁଆ ଫୁଟିବା ପରେ "ମଲ୍ଲୀ"କୁ ପାଇଥିଲା ବନବିଭାଗ । ପରବର୍ତ୍ତୀ ସମୟରେ ମଲ୍ଲୀ ପାଇଁ ଗୋରୀ ପରି ଅନ୍ୟ ଏକ ଆବଦ୍ଧ ଜଳାଶୟ ନିର୍ମାଣ କରାଯାଇ ଏହାକୁ ପର୍ଯ୍ୟଟକମାନଙ୍କ ପାଇଁ ତାରବାଡ଼ ଘେରାଯାଇ ରଖାଯାଇଛି । ବର୍ତ୍ତମାନ ମଲ୍ଲୀର ବୟସ ୨୪ ବର୍ଷ ।
- ତୃତୀୟ ଧଳା କୁମ୍ଭୀର 'ଶ୍ଵେତା':
୨୦୧୯ ମସିହାରେ ଭିତରକନିକା ଜାତୀୟ ଉଦ୍ୟାନ ବନ ବିଭାଗ ପକ୍ଷରୁ ପୁଣି ଥର ସଂଗ୍ରହ କରାଯାଇଥିଲା କୁମ୍ଭୀର ଅଣ୍ଡା । ଏହାକୁ ୩ ମାସ ପର୍ଯ୍ୟନ୍ତ ରଖି ସେଥିରୁ କୃତ୍ରିମ ପଦ୍ଧତିରେ ଛୁଆ ଫୁଟାଯାଇ ସେମାନଙ୍କୁ ପ୍ରଥମେ "କ୍ରୋକୋଡାଇଲ ହ୍ୟାଚେରୀ ଆଣ୍ଡ ରିୟରିଂ କମ୍ପ୍ଲେକ୍ସ"ରେ ବଡ଼ କରାଯାଇଥିଲା । ୨୦୨୨ ଜାନୁଆରୀ ୪ ତାରିଖରେ ସଂଗୃହୀତ ୪୮ଟି ଛୁଆକୁ ଛଡ଼ା ଯିବା ପରେ ଅଢେ଼ଇ ଫୁଟିଆ ଧଳା କୁମ୍ଭୀରକୁ ଆଉ ଏକ ଆବଦ୍ଧ ଜଳାଶୟ ମଧ୍ୟରେ ଛଡା ଯାଇଥିଲା । ପରେ ଜାନୁଆରୀ ୬ ତାରିଖରେ ପ୍ରାଣୀ ବିଶେଷଜ୍ଞ ତଥା କୁମ୍ଭୀର ବିଶାରଦ ଡ଼ଃ ସୁଧାକର କର ଶଙ୍ଖ ପରି ଦେଖା ଯାଉଥିବା ଏହି ଧଳା କୁମ୍ଭୀରକୁ "ଶ୍ଵେତା" ନାମରେ ନାମକରଣ କରିଥିଲେ ।
- ଆଲବିନୋ କ୍ରୋକୋଡାଇଲ୍:
ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନାରେ ସାମିଲ ହେଉଥିବା ବିଶେଷଜ୍ଞ ତଥା ପରିବେଶବିତ ବିରଜା ପ୍ରସାଦ ପତି ସୂଚନା ଦେଇଛନ୍ତି, " ବର୍ତ୍ତମାନ ସୁଦ୍ଧା ଭିତରକନିକାର ଆବଦ୍ଧ ଜଳାଶୟ ମଧ୍ୟରେ ତିନୋଟି ଧଳା କୁମ୍ଭୀର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । ସେମାନେ ହେଲେ 'ଗୋରୀ',' ମଲ୍ଲୀ ' ଓ 'ଶ୍ଵେତା' । ଏହାଛଡ଼ା ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ସମୟରେ ପାଖାପାଖି ୨୦ଟି ସଲ୍ଟ ୱାଟର ବଉଳା କୁମ୍ଭୀର ବା ଧଳା କୁମ୍ଭୀର ବା Albino Crocodileଙ୍କୁ ଚିହ୍ନଟ କରାଯାଇଛି ।" ବିରଜା ପତିଙ୍କ କହିବା କଥା, "ଗୁଣସୂତ୍ରରେ ପରିବର୍ତ୍ତନ ଯୋଗୁଁ କିଛି କୁମ୍ଭୀରଙ୍କ ନିକଟରେ ଶାରୀରିକ ସମାନତା ଦେଖା ଦେଇଥାଏ । "
- ଅଣ୍ଡା ଦେଉଛନ୍ତି, ହେଲେ ଛୁଆ ଫୁଟୁନାହିଁ:
୧୯୭୫ ମସିହାରେ ଗୋରୀକୁ ଅଲଗା ଏକ ଆବଦ୍ଧ ସ୍ଥାନରେ ରଖାଯିବା ପରେ ସେ ବଢ଼ିବାରେ ଲାଗିଥିଲା । ଗୋରୀକୁ ପ୍ରାୟ ୮/ ୯ ବର୍ଷ ହେବା ସମୟରେ ତାକୁ ଏକାକୀ ଖରଖରି ପତ୍ର ଓ ଲୁଣା ଜଙ୍ଗଲ ମଧ୍ୟରେ ବିଚରଣ କରାଯିବା ପରେ ସେ ପ୍ରଥମେ ଅଣ୍ଡା ଦେଇଥିଲା । ତେବେ ଏହା ଇନଫର୍ଟିଲାଇଜ (INFERTILE) ଅଣ୍ଡା ହୋଇଥିବା କାରଣରୁ ଏଥିରୁ ଛୁଆ ଫୁଟିନଥିଲେ । ଏହାପରେ ପୁରୁଷ କୁମ୍ଭୀରକୁ ଦୁଇଥର ଅଣା ଯାଇଥିଲେ ମଧ୍ୟ ଗୋରୀ ସେମାନଙ୍କୁ ପାଖରେ ପୂରାଇ ନଦେବା ଓ ଆକ୍ରମଣ କରିବା କାରଣରୁ, ଆଉ ଗୋରୀ ଖୁଆଡ଼ ଭିତରକୁ କୌଣସି ପୁରୁଷ କୁମ୍ଭୀର ଛଡା ଯାଉନାହିଁ । ଅନ୍ୟପଟେ ପ୍ରତିବର୍ଷ ଗୋରୀ ଅଣ୍ଡା ଦେଇ ନିଜର ଅଣ୍ଡାକୁ ଜଗି ବସି ସେଥିରୁ ଛୁଆ ଫୁଟିବା ପାଇଁ ଅପେକ୍ଷା କରି ବିଫଳ ହୋଇଆସୁଛି । ସେହିପରି 'ମଲ୍ଲୀ' ଦୀର୍ଘ ୨୪ ବର୍ଷ ଧରି ଅନ୍ୟ ଏକ ଆବଦ୍ଧ ଖୁଆଡ଼ ଭିତରେ ରହୁଥିବା ବେଳେ, ୨୦୧୮ରେ ପ୍ରଥମେ ୧୮ଟି ଅଣ୍ଡା ଦେଇଥିଲା । ୨୦୧୯ରେ ୨୪ଟି, ୨୦୨୦ରେ ପୁନଃ ୧୮ଟି, ୨୦୨୧ରେ ୨୭ଟି, ୨୦୨୨ରେ ୨୯ଟି ଓ ୨୦୨୩ ରେ ୨୩ଟି ଅଣ୍ଡାଦାନ କରିଥିବା ବେଳେ ମଲ୍ଲୀର ସ୍ୱଭାବରେ ପରିବର୍ତ୍ତନ ଆସିଥିଲା । ବନବିଭାଗ ପକ୍ଷରୁ ମଲ୍ଲୀକୁ ଖାଇବାକୁ ଦେବା ପାଇଁ ନିଯୁକ୍ତ ବ୍ୟକ୍ତିଙ୍କ ପ୍ରତି ଅଣ୍ଡାଦାନ ପରେ ମଲ୍ଲୀ ହିଂସ୍ର ସ୍ଵଭାଵ ପ୍ରଦର୍ଶନ କରିଥାଏ ବୋଲି କୁହାଯାଇଛି।
- କୁମ୍ଭୀରଙ୍କ ଅଣ୍ଡାଦାନ ଓ ଛୁଆଜନ୍ମକୁ ନେଇ କଣ କୁହନ୍ତି ବିଶେଷଜ୍ଞ ଏବଂ ଗବେଷକ ?
ବିଶେଷଜ୍ଞ ତଥା ପରିବେଶବିତ ବିରଜା ପ୍ରସାଦ ପତିଙ୍କ କହିବା କଥା, "କୁମ୍ଭୀର ହେଉଛନ୍ତି ସରୀସୃପ ପ୍ରଜାତିର । ତେଣୁ ପୁରୁଷ ସାଥି ସହ ବିନା ମିଳନରେ ମଧ୍ୟ ସେମାନେ ଅଣ୍ଡାଦାନ କରନ୍ତି । ଏହାଏକ ସହଜାତ ପ୍ରକ୍ରିୟା ବା Natural process । ହେଲେ ସେହି ଅଣ୍ଡାଗୁଡିକରୁ ଛୁଆ ଫୁଟନ୍ତି ନାହିଁ । ଏହାକୁ ବଅ ଅଣ୍ଡା ବା Infertile ଅଣ୍ଡା କୁହାଯାଏ ।" ଭାରତରେ କେବଳ ଭିତରକନିକାରେ ଧଳା କୁମ୍ଭୀର ଦେଖାଯାଆନ୍ତି" ବୋଲି ବିରଜା ପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ବିଶ୍ବରେ ଅଷ୍ଟ୍ରେଲିଆ ସମେତ ଅନ୍ୟ ଅଳ୍ପ କିଛି ଦେଶରେ ଧଳା କୁମ୍ଭୀର ଦେଖିବାକୁ ମିଳନ୍ତି ।"କୁମ୍ଭୀରଙ୍କ ଉପରେ ଗବେଷଣା କରୁଥିବା ଆଶିଷ ପତିଙ୍କ ସୂଚନା, "ପୁରୁଷ ଓ ମହିଳା କୁମ୍ଭୀରଙ୍କ ମଧ୍ୟରେ ମିଳନ ବା MATING ନହେଲେ ଅଣ୍ଡାରୁ ଛୁଆ ଜନ୍ମ ହେବା ସମ୍ଭବ ନୁହେଁ । ଗୋରୀ କ୍ଷେତ୍ରରେ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳତା ମିଳିନାହିଁ । ତେବେ ମଲ୍ଲୀ ଓ ଶ୍ବେତାଙ୍କ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ପ୍ରଜନନ ପଦକ୍ଷେପ ନିଆଯାଇନାହିଁ । "
- କୁମ୍ଭୀରଙ୍କ ଅଣ୍ଡାଦାନ ଏବଂ ଛୁଆ ଫୁଟିବା ପର୍ଯ୍ୟନ୍ତ ଆଚରଣ:
ସାଧାରଣତଃ କୁମ୍ଭୀରମାନେ ହେନ୍ତାଳ ଓ ଖରଖରୀ ପତ୍ରରେ ନଦୀ ଜୁଆର ମାଡୁ ନଥିବା ସ୍ଥାନରେ ବସା କରି ଅଣ୍ଡାଦାନ କରିଥାନ୍ତି । ମାଆ କୁମ୍ଭୀର ଥରକେ ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ । ବାରାହା,ଗୋଧୀ ଓ ମାଙ୍କଡ଼ ଅଣ୍ଡା ନଷ୍ଟ କରିବାର ଆଶଙ୍କା ଥିବାରୁ ମାଆ କୁମ୍ଭୀର ବସାକୁ ଛୁଆ ଫୁଟିବା ପର୍ଯ୍ୟନ୍ତ ୩ ମାସ ଜଗି ରହିଥାଏ । ଅଣ୍ଡାରୁ ଛୁଆ ଫୁଟିବା ପରେ ମାଆ କୁମ୍ଭୀର ଛୁଆଙ୍କୁ ନେଇ ନଦୀରେ ଛାଡ଼ିଥାଏ ଏବଂ ଯେଉଁ ବସା ଜୁଆରରେ ନଷ୍ଟ ହେବାର ସମ୍ଭାବନା ଥାଏ, ବନ କର୍ମଚାରୀମାନେ ସେଥିରୁ ଅଣ୍ଡା ସଂଗ୍ରହ କରି କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖି ଛୁଆ ଫୁଟିବା ପର୍ଯ୍ୟନ୍ତ ତାର ସୁରକ୍ଷା ଦାୟିତ୍ୱରେ ରହିଥାନ୍ତି ।
- କେଉଁଠି ଦେଖାଯାଆନ୍ତି କେଉଁ ପ୍ରଜାତି କୁମ୍ଭୀର :
ଭାରତୀୟ କୁମ୍ଭୀରମାନେ ସରୀସୃପ ପ୍ରଜାତିର ଅଟନ୍ତି । ଏହାକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ସେମାନେ ହେଲେ ଲୁଣିଆ କୁମ୍ଭୀର (Saltwater crocodile),ଘଡ଼ିଆଳ କୁମ୍ଭୀର (Gharial crocodile) ଏବଂ ମୁଗର୍ସ (Muggers crocodile)। ସଲ୍ଟ ୱାଟର କୁମ୍ଭୀର ସାଧାରଣତଃ ଭାରତର ପୂର୍ବ ଉପକୂଳ ଏବଂ ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ଦେଖାଯାଆନ୍ତି । ମୁଗର୍ସ କୁମ୍ଭୀର ଦେଶରେ ବିଭିନ୍ନ ନଦୀ ଏବଂ ହ୍ରଦରେ ଦେଖିବାକୁ ମିଳନ୍ତି ।
- ଧଳା କୁମ୍ଭୀର କଣ ?
କୁମ୍ଭୀରଙ୍କ ରଙ୍ଗ ବଦଳିବା ପଛରେ ଭିନ୍ନ ଭିନ୍ନ କାରଣ ରହିଛି । ଭୌଗୋଳିକ ସ୍ଥିତି, ଜଳବାୟୁ ଏବଂ ପରିବେଶ ପରିବର୍ତ୍ତନ ଯୋଗୁଁ କୁମ୍ଭୀରଙ୍କ ରଙ୍ଗ ବଦଳିଥାଏ । Albino Estuarine crocodile ବା ବଉଳା କୁମ୍ଭୀରଙ୍କର କିଛି ବର୍ଷ ମଧ୍ୟରେ ରଙ୍ଗ ବଦଳୁଥିବା ଦେଖିବାକୁ ମିଳେ । ଏହାକୁ ଧଳା କୁମ୍ଭୀର ମଧ୍ୟ କୁହାଯାଏ । ଏଭଳି ପ୍ରଜାତିର କୁମ୍ଭୀର ସାଧାରଣତଃ- ଭାରତ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଆମେରିକାର ଲୁଣିଆ ପାଣି (Saltwater)ରେ ଦେଖାଯାଆନ୍ତି ।
1: ହିପୋମେନାଲିଜିମ ( Hypomelanism): ହିପୋମେନାଲିଜିମ ସେତେବେଳେ ହୁଏ, ଯେତେବେଳେ ମେଲାନିନ ଅଭାବ ହୁଏ ବା ଧୂଷର (ପାଉଁଶିଆ) ରଙ୍ଗ ଧୀରେ ଧୀରେ କଳା ରଙ୍ଗରେ ପରିଣତ ହୁଏ । ବିଶେଷଜ୍ଞଙ୍କ ମତରେ, ହିପୋମେନାଲିଜିମ ଅନୁବଂଶିକ ରୂପ ( genetically) କିମ୍ବା ମ୍ବା ଅଣ୍ଡାଗୁଡ଼ିକ ଇନକ୍ୟୁବେସନ ସମୟରେ ଅତ୍ୟଧିକ ଉତ୍ତାପର ସମ୍ମୁଖୀନ ହୋଇଥାଏ । ଯେଉଁ କୁମ୍ଭୀରମାନେ ହିପୋମେନାଲିଜିମ ପ୍ରଜାତିର , ସେମାନଙ୍କୁ ପ୍ରାକୃତିକ ଆଲବିନୋସ ( natural albinos)ବିବେଚନା କରାଯାଏ ।
2: କେମିକାଲ୍ସ (Chemicals): ସମୁଦ୍ର କିମ୍ବା ନଦୀ ଜଳରେ ଅଧିକ ରାସାୟନିକ ପଦାର୍ଥ ମିଶ୍ରଣ ଯୋଗୁଁ, ଏହାର ପ୍ରଭାବ କୁମ୍ଭୀରଙ୍କ ଶରୀର ଉପରେ ପଡ଼ିଥାଏ । ବିଶେଷକରି ପଶ୍ଚିମ ଭାରତରେ ଏହା ପରିଲକ୍ଷିତ ହୁଏ । ସେସବୁ କୁମ୍ଭୀରଙ୍କୁ ପ୍ରାକୃତିକ ଭାବେ ଧଳା କୁମ୍ଭୀର କୁହାଯାଏ ନାହିଁ ।
ଧଳା କୁମ୍ଭୀର ବିରଳ ପ୍ରଜାତିର । ହିପୋମେନାଲିଜିମ ହେଉଛି ଅସାଧାରଣ ପ୍ରଜାତିର । ଏମାନଙ୍କ ରଙ୍ଗ ବରଫ ଭଳି ଧଳା ହେତୁ, ଏଭଳି କୁମ୍ଭୀରମାନଙ୍କୁ ସହଜରେ ଚିହ୍ନଟ କରାଯାଇଥାଏ ଏବଂ ଶିକାରୀମାନେ ସହଜରେ ଜାଣିପାରନ୍ତି । ଆଉ ଏଭଳି ବିରଳ କୁମ୍ବୀରଙ୍କୁ ଶିକାରୀମାନେ ଧରି ନେଇଥାନ୍ତି ।
- ଧଳା କୁମ୍ବୀରଙ୍କ ଆୟୂଷ ଏବଂ ଓଜନ :
ସାଧାରଣତଃ ଧଳା କୁମ୍ଭୀରଙ୍କ ଆୟୂଷ ସର୍ବାଧିକ ୭୦ ବର୍ଷ । ଏମାନଙ୍କର ୬୫ରୁ ୭୦ ଦାନ୍ତ ଥାଏ । ଧଳା ପୁରୁଷ କୁମ୍ଭୀରଙ୍କ ହାରାହାରି ଲମ୍ବ ପାଞ୍ଚ ମିଟର ବା ୧୫ ଫୁଟ । ସେମାନଙ୍କ ହାରାହାରି ଓଜନ ସାଢ଼େ ୪ କୁଇଣ୍ଟାଲ ବା ୪୫୦ କିଲୋଗ୍ରାମ । ଅନ୍ୟପକ୍ଷରେ ମହିଳା ଧଳା କୁମ୍ଭୀରଙ୍କ ହାରାହାରି ଲମ୍ବ ୩ ମିଟର ବା ପାଖାପାଖି ୯ ଫୁଟ । ସେମାନଙ୍କର ଓଜନ ଦେଢ଼ କୁଇଣ୍ଟାଲ ବା ୧୫୦ କିଲୋଗ୍ରାମ । ଅର୍ଥାତ ମହିଳା କୁମ୍ଭୀରମାନଙ୍କର ଲମ୍ବ ଏବଂ ଓଜନ ପୁରୁଷ କୁମ୍ଭୀରଙ୍କ ଠାରୁ କମ୍ ।
- ବିଶ୍ବର ସର୍ବବୃହତ କୁମ୍ଭୀର ପାର୍କ:
• ଭାରତରେ କେବଳ ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନରେ ଧଳା କୁମ୍ଭୀର ଦେଖାଯାଆନ୍ତି । ଏଠାକାର ଜଳବାୟୁ ଏବଂ ପରିବେଶ ଧଳା କୁମ୍ଭୀରଙ୍କ ପାଇଁ ଉପଯୋଗୀ । ଶେଷ ତଥ୍ୟ ଅନୁସାରେ, ଭିତରକନିକାରେ ୨୦ଟି ଧଳା କୁମ୍ବୀର ଅଛନ୍ତି । ୨୦୦୬ରେ ବିଶ୍ବରେ ସବୁଠୁ ଲମ୍ବ ଲୁଣାପାଣି କୁମ୍ଭୀର ଠାବ କରାଯାଇଥିଲା । ଯାହାର ଲମ୍ବ ୨୩ ଫୁଟ ।
• ୨୦୨୩ କୁମ୍ବୀର ଜନଗଣନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଲୁଣା ପାଣି କୁମ୍ଭୀରଙ୍କ ମୋଟ ସଂଖ୍ୟା ପୂର୍ବ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି ।
• ଶେଷ କୁମ୍ଭୀର ଗଣନା ଅନୁସାରେ ଦେଶରେ, ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ବା ଧଳା କୁମ୍ଭୀର (Albino Estuarine Crocodile) ଅଛନ୍ତି ।
• ୨୦୨୩ ଗଣନା ଅନୁସାରେ, ଭିତରକନିକାରେ ୧,୭୯୩ ଇଷ୍ଟୁରିଆନ କୁମ୍ଭୀର (Estuarine Crocodile) ଥିବା ବେଳେ ୨୦ଟି ଧଳା କୁମ୍ଭୀର (White Crocodile) ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଭିତରକନିକାର ନୂଆ ଆକର୍ଷଣ ଶ୍ବେତା, ତୃତୀୟ ଧଳା କୁମ୍ଭୀରର ହେଲା ନାମକରଣ
ଏହା ମଧ୍ୟ ପଢନ୍ତୁ: ଖୁସି ଖବର ଦେଲା ଭିତରକନିକା, ବଢିଛି କୁମ୍ଭୀର ସଂଖ୍ୟା
Refferences:
https://wildlife.odisha.gov.in/WildlifeCensus
https://www.thestatesman.com/india/white-crocodiles-sighted-again-in-bhitarkanika-national-park-1503147026.html
https://iasnext.com/saltie-census-2023-bhitarkanikas-saltwater-crocodile-population/
https://www.downtoearth.org.in/wildlife-biodiversity/saltie-census-2023-1-793-estuarine-crocodiles-including-20-whitish-ones-counted-in-bhitarkanika-
ଇଟିଭି ଭାରତ,କେନ୍ଦ୍ରାପଡ଼ା