ନୟାଗଡ/ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଖୁସି ଖବର । କେବଳ ଶିମିଳିପାଳ ନୁହେଁ ନୟାଗଡରେ ବି ଅଛନ୍ତି ବ୍ଲାକ ପାନ୍ଥର ବା କଳା ବାଘ । ଦେଶରେ କେବଳ ଶିମିଳିପାଳରେ କଳାବାଘ ଦେଖାଯାଉଥିବା କୁହାଯାଉଥିବା ବେଳେ ଏବେ ନୟାଗଡରେ ବି ଦେଖିବାକୁ ମିଳିଛି କଳା ବାଘ । ଏକ କଳା ବାଘୁଣୀ ତା’ର ଛୁଆକୁ ପାଟିରେ କାମୁଡ଼ି ସୁରକ୍ଷିତ ସ୍ଥାନକୁ ନେଇ ଯାଉଥିବା ବନ ବିଭାଗ କ୍ୟାମେରାରେ ରେକର୍ଡ ହୋଇଛି । ଯାହାକୁ ନେଇ ଖୁସିର ଲହରୀ ଖେଳି ଯାଇଛି ।
ନୟାଗଡ ଜଙ୍ଗଲରେ କଳା ବାଘୁଣୀ:
ନୟାଗଡ ଜିଲ୍ଲାରେ ବାଘ ଥିବା ସୂଚନା ମିଳୁଥିଲା । ହେଲେ ସ୍ପଷ୍ଟ ହୋଇପାରିନଥିଲା । ବନ ବିଭାଗ କ୍ୟାମେରାରେ କଳା ବାଘୁଣୀ ବୁଲୁଥିବା ରେକର୍ଡ ହେବା ପରେ ନୟାଗଡରେ ବି କଳାବାଘ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ନୟାଗଡରେ ବଢୁଛି ବାଘ ସଂଖ୍ୟା:
ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ କହିଛନ୍ତି, ‘ନୟାଗଡ ବନଖଣ୍ଡ ଓ ମହାନଦୀ ବନଖଣ୍ଡ ଅଞ୍ଚଳରେ 4ଟି କଳା ବାଘ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ମହାନଦୀ ବନଖଣ୍ଡ ଅଞ୍ଚଳରେ କଳା ବାଘ ଥିବା ବେଳେ ନୟାଗଡ ବନଖଣ୍ଡ ଅଞ୍ଚଳରେ କଳା ବାଘୁଣୀ ରହିଛନ୍ତି । ଗତ ବର୍ଷ ବି କଳା ବାଘ ଛୁଆ ଜନ୍ମ କରିଥିଲା ଯେଉଁଥିରେ ଗୋଟିଏ କଳା ବାଘ ଥିଲା । ଏହି ବର୍ଷ ବି ସେମାନେ ଛୁଆ ଜନ୍ମ ଦେଇଛନ୍ତି । କ୍ୟାମେରାରେ ସେମାନଙ୍କ ଛବି ରେକର୍ଡ ହୋଇଛି । ସେହି ହିସାବରେ ସଂଖ୍ୟା ବଢୁଥିବା ଆମେ ଆଶା କରୁଛୁ । ବର୍ତ୍ତମାନ ସୁଦ୍ଧା କ୍ୟାମେରାରେ 5ଟି ବାଘ କଏଦ ହୋଇଛନ୍ତି । ଏହା ବାଦ ବି ଆହୁରି ଥାଇପାରନ୍ତି । କାରଣ ସବୁ ସ୍ଥାନରେ କ୍ୟାମେରା ଲଗାଯାଇନାହିଁ । ନିହାତି ଭାବରେ ବାଘ ଥାଇପାରନ୍ତି ବୋଲି ଆଶା କରୁଛୁ ।
କ୍ୟାମେରାରେ କଏଦ କଳା ବାଘ:
ବନ ବିଭାଗ ଲଗାଇଥିବା କ୍ୟାମେରାରେ (ଗତ 29 ଡିସେମ୍ବର) କଳା ବାଘ ବୁଲିଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ କ୍ୟାମେରାରେ (ଗତ ଡିସେମ୍ବର 24ରେ) କଳା ବାଘ ଛୁଆକୁ ପାଟିରେ ଧରି ଯାଉଥିବା କ୍ୟାମେରାରେ କଏଦ ହୋଇଛି ।
ନୟାଗଡରେ କଳା ବାଘକୁ ନେଇ କଣ କହିଲେ PCCF:
ଏନେଇ ବନ୍ୟଜନ୍ତୁ ପିସିସିଏଫ୍ ପ୍ରେମ କୁମାର ଝା କହିଛନ୍ତି, ନିକଟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି । ବନ ବିଭାଗ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଛି ।’
#MelanisticLeopard #BlackPanther #Wildlife #Nature #wildlifephotography #BigCats #NaturePhotography @pccfodisha @ntca_india @susantananda3 @ddnandankanan https://t.co/MplOKX4jvU
— PCCF WL & CWLW, Odisha (@PCCFWL_Odisha) January 3, 2025
ବନ୍ୟପ୍ରାଣୀ ବିଶେଷଜ୍ଞ ଆଦିତ୍ୟ ପଣ୍ଡା କହିଛନ୍ତି, ‘ବ୍ଲାକପାନ୍ଥର(କଳାବାଘ) ହେଉଛି ଗୋଟିଏ ସାଧାରଣ କଲରାପତରିଆ କହିଥାଉ । ତାହା ଏକ ପ୍ରକାରର ଗୋଟିଏ ମେଲାନିଷ୍ଟିକ ପ୍ରଜାତିର । ବିଶ୍ବରେ ଯେଉଁ ସ୍ଥାନରେ ମେଲାନିଷ୍ଟିକ ଟାଇଗର ଥାଆନ୍ତି ସେମାନଙ୍କ ମଧ୍ୟରେ କିଛି କିଛି କଳା ବାଘ ରହିଥାନ୍ତି । ଓଡ଼ିଶାରେ ଅନେକ ଥର ଦେଖିବାକୁ ମିଳିଛି । କୋରାପୁଟର ଜୟପୁର ସୁନ୍ଦରଗଡ ମହାନଦୀ ସାତକୋଶିଆ ଅଞ୍ଚଳରେ କଳା ବାଘ ଦେଖାଯାଇଛି । ଚିନ୍ତାର ବିଷୟ ହେଉଛି କି, ଦକ୍ଷିଣ ଓ ମଧ୍ୟ ଓଡିଶାରୁ କଲରାପତରିଆ ବାଘ ଛାଲ ଜବତ କରାଯାଉଛି । ଯାହା ଅତ୍ୟନ୍ତ ଚିନ୍ତାଜନକ ଅଟେ । ଏମାନଙ୍କର ଶିକାର ହେଉଛି ଜଙ୍ଗଲରେ କୂଟରା, ହରିଣ, ବନ କୁକୁଡା, ଆବଶ୍ୟକ ପଡିଲେ ଗାଈ କୁକୁର ଆଦି ଶିକାର କରିଥାନ୍ତି ।’
ରାଜ୍ୟରେ ୬୯୬ କଲରାପତରିଆ:
ଏପଟେ ପ୍ରଥମ କରି ୨୦୧୮ ମସିହାରେ ରାଜ୍ୟରେ ପ୍ରଥମ ଥର ପାଇଁ କ୍ୟାମେରାରେ ଏକ କଳା ବାଘ ଚିହ୍ନଟ କରାଯାଇଥିଲା । ତେବେ ୨୦୨୪ ମସିହାରେ ରାଜ୍ୟର କଲରାପତରିଆ ଗଣନା କରାଯାଇଥିବା ବେଳେ ୬୯୬ଟି ଚିହ୍ନଟ କରାଯାଇଥିଲା ।
ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା । ବାରିପଦା ସହରରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ମଞ୍ଚିଆପଡ଼ା ବା ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲ । ଶିମିଳିପାଳ ଅଭୟାରଣ୍ୟ ଠାରୁ ମାତ୍ର ୧୫ କିଲୋମିଟର ଦୂର ଏବଂ ବାରିପଦା ସହରରୁ ୧୮ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ । ପ୍ରସ୍ତାବ ଅନୁସାରେ ୧୦୦ ଏକର ଜାଗାରେ ତିଆରି ହେବ ବିଶ୍ବର ପ୍ରଥମ କଳା ବାଘ ସଫାରୀ । ଏଥି ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି ।
ଓଡ଼ିଶାରେ ଅତିବେଶୀରେ ୭୦୦ ରୁ ୮୦୦ ମଧ୍ୟରେ ରହିପାରିବେ ବାଘ:
ରାଜ୍ୟରେ ଯଦି ଜଙ୍ଗଲ ଠିକ ଭାବରେ ରହିବ ତେବେ ପାଖାପାଖି ୭୦୦ ରୁ ୮୦୦ କଲରାପତରିଆ ବାଘ ରହିପାରିବେ । ଶିମିଳିପାଳ ଅଞ୍ଚଳରେ କଲରାପତରିଆ ବାଘ ବଢିବା ବହୁତ୍ କମ ଅଟେ । ଏପଟେ ସାତକୋଶିଆ ବାଘ ଛାଡ଼ିବାର ଯୋଜନା ରହିଛି । ଏହି କାର୍ଯ୍ୟ ଖୁବଶୀଘ୍ର କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ପୁଣି ଦେଖାଦେଲା କଳା ବାଘ, କ୍ୟାମେରାରେ ଚିତ୍ର କଏଦ |
କିଭଳି କରାଯାଇଥିଲା ଗଣନା:
ପ୍ରଥମ ଥର ପାଇଁ ରାଜୟରେ ନିଜସ୍ଵ ଜ୍ଞାନ କୌଶଳରେ କଲରାପତରିଆ ଗଣନା କରାଯାଇଥିଲା । ରାଜ୍ୟରେ ୪୭ଟି ଡିଭିଜନରେ କରାଯାଇଥିଲା ଗଣନା । ମୟୂରଭଞ୍ଜ ଏବଂ କେନ୍ଦୁଝର ଡିଭିଜନରେ ପାଖାପାଖି ୨୦୦ରୁ ଅଧିକ କଲରାପତରିଆ ବାଘ ଚିହ୍ନଟ କରାଯାଇଥିବାବେଳେ ଅନୁଗୋଳର ସାତକୋଶିଆ, ଦକ୍ଷିଣରେ ମହାନଦୀ ବନଖଣ୍ଡ, ଆଠ ମଲ୍ଲିକ, ବୌଦ୍ଧ, ନୟାଗଡ଼ ବନଖଣ୍ଡରେ ପାଖାପାଖି ୧୫୦ କଲରାପତରିଆ ବାଘ ଚିହ୍ନଟ କରାଯାଇଛି । ସେହିପରି ଦେବ୍ରିଗଡ ନିକଟରେ ୫୦ରୁ ଅଧିକ କଲରାପତରିଆ ଚିହ୍ନଟ କରାଯାଇଥିବାବେଳେ ୫୦ରୁ ଅଧିକ ରେଢ଼ାଖୋଲ ସମ୍ବଲପୁର ଆଦି ସ୍ଥାନରେ ଚିହ୍ନଟ ହୋଇଛି । ୫୦ରୁ ଅଧିକ ଖଇରିଆ ସୁନାବେଢ଼ା ଆଦି ସ୍ଥାନରେ ମଧ୍ୟ ଚିହ୍ନଟ ହୋଇଛି କଲରାପତରିଆ । ସେହିପରି ୨୦ରୁ ଅଧିକ ଢେଙ୍କାନାଳ କପିଳାସ ଆଦି ଆଖାପାଖ ସ୍ଥାନ ଗୁଡିକରେ କଲରାପତରିଆ ଚିହ୍ନଟ କରାଯାଇଛି ।
ଇଟିଭି ଭାରତ, ନୟାଗଡ ଓ ଭୁବନେଶ୍ବର