ସମ୍ବଲପୁର: ରାକ୍ଷୀ ତିଆରି କରି ଲକ୍ଷପତି ଯୁବତୀ । ସମ୍ବଲପୁରୀ କପଡାରେ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ରାକ୍ଷୀ । ରାକ୍ଷୀରେ ଦେଖିବାକୁ ମିଳୁଛି ସମ୍ବଲପୁରୀ କଳା ସଂସ୍କୃତିର ଝଲକ । ମା' ସମଲେଶ୍ବରୀଙ୍କ ଚିତ୍ର ସାଙ୍ଗକୁ ସମ୍ବଲପୁରୀ କପଡା ଆଉ ଧାନରେ ତିଆରି ହୋଇଥିବା ଏହି ରାକ୍ଷୀ ଦେଖିବାକୁ ବେଶ ଆକର୍ଷଣୀୟ । ସମ୍ବଲପୁରୀ ରାକ୍ଷୀର କ୍ରେଜ ଏବେ କାହିଁରେ କ'ଣ । ଆଉ ଏହି ରାକ୍ଷୀ ବିକ୍ରି କରି ଲକ୍ଷପତି ସାଜିଛନ୍ତି ସମ୍ବଲପୁର ସହର ଧୂଚୁରାପଡାର ଯୁବତୀ ସୁମିତ୍ରା ମହାକୁଡ଼ ।
କେବେଠୁ ରାକ୍ଷୀ ତିଆରି ଆରମ୍ଭ କଲେ ସୁମିତ୍ରା:
ସମ୍ବଲପୁର ସହରର ଧୂଚୁରାପଡାର ଯୁବତୀ ସୁମିତ୍ରା ମହାକୁଡ଼ । 2019ରେ କୋଭିଡ ସମୟରେ ନିଜ ପରିବାର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ବେଳେ ପ୍ରଥମେ ସେ ସମ୍ବଲପୁରୀ ମାସ୍କ ତିଆରି କରିଥିଲେ । ପରେ ସମ୍ବଲପୁରୀ ରାକ୍ଷୀ ତିଆରି କରିବାକୁ ମନ ବଳାଇଥିଲେ । ଆଉ ଏହି ସମ୍ବଲପୁରୀ ରାକ୍ଷୀ ତିଆରି କରିବା ପରେ ଏହାର ଏତେ ଚାହିଦା ବଢିଲା ଯେ, ସେ ଏହାକୁ ବିଜନେସ ଭାବେ ଗ୍ରହଣ କରି ପ୍ରତ୍ୟେକ ବର୍ଷ ରାକ୍ଷୀ ତିଆରି କରୁଛନ୍ତି । ଆଉ ଏବେ ସମ୍ବଲପୁରୀ କପଡାରେ ବିଭିନ୍ନ ଡିଜାଇନର ରାକ୍ଷୀ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ଅଛନ୍ତି ସୁମିତ୍ରା ।
ବଡ଼ ବଡ଼ ସହରରେ ରହିଛି ସୁମିତ୍ରାଙ୍କ ରାକ୍ଷୀ ଚାହିଦା:
ତେବେ ସୁମିତ୍ରା ନିଜ ଘରେ ଏହିଭଳି ସମ୍ବଲପୁରୀ ରାକ୍ଷୀ ତିଆରି କରି ସମ୍ବଲପୁରର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ରାକ୍ଷୀ ବିକ୍ରି କରୁଛନ୍ତି । ତାଙ୍କ ରାକ୍ଷୀର ଚାହିଦା କେବଳ ଓଡ଼ିଶାରେ ସୀମିତ ନାହିଁ । ଅନଲାଇନରେ ମୁମ୍ବାଇ, ହାଇଦ୍ରାବାଦ ଓ ବାଙ୍ଗାଲୋର ଭଳି ବଡ଼ବଡ଼ ସହରରୁ ଅର୍ଡର ଆସୁଛି । ସବୁଠାରୁ ବଡ଼ କଥା ହେଲା ରାକ୍ଷୀ ଗୁଡିକରେ ସମ୍ବଲପୁରୀ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ରାକ୍ଷୀରେ ମା' ସମଲେଶ୍ୱରୀଙ୍କ ଚିତ୍ର, ସମ୍ବଲପୁରୀ କପଡା, ଧାନ ଆଦି ସଜ୍ଜିତ କରାଯାଇଛି । ଅନ୍ୟପଟେ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ କାର୍ଟୁନ କ୍ୟାରେକ୍ଟରଙ୍କ ଚିତ୍ର ମଧ୍ୟ ରାକ୍ଷୀ ଗୁଡ଼ିକରେ ଶୋଭା ପାଉଛି ।
ବର୍ଷକୁ ରୋଜଗାର ଲକ୍ଷ ଲକ୍ଷ ଟଙ୍କା:
ସମ୍ବଲପୁରୀ ରାକ୍ଷୀ ତିଆରି ପାଇଁ ମୁଖ୍ୟତଃ ସମ୍ବଲପୁରୀ କପଡା, ମୋତି, ରିବନ, ଲେସ, ଉଲ, ଷ୍ଟୋନ, ଧାନ ଇତ୍ୟାଦିର ଆବଶ୍ୟକତା ରହୁଛି । ଏଥିପାଇଁ ସୁମିତ୍ରା ସମ୍ବଲପୁର ମାର୍କେଟରୁ ସମ୍ବଲପୁରୀ କପଡା କିଣୁଥିବା ବେଳେ ଅନ୍ୟ ସବୁ ଜିନିଷ କୋଲକାତା ଓ ରାୟପୁରରୁ ମଗାଉଛନ୍ତି । ଏବେ ଗୋଟିଏ ରାକ୍ଷୀକୁ ସେ 30ରୁ 40 ଟଙ୍କାରେ ବିକ୍ରି କରୁଛନ୍ତି । ଗୋଟିଏ ସିଜନରେ ସେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଓ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକସହାୟତା ଯୋଗାଉ ଛନ୍ତି l
ସମ୍ବଲପୁରୀ ସଂସ୍କୃତିକୁ ପ୍ରଚାର କରିବା ଲକ୍ଷ୍ୟ:
ଏନେଇ ସୁମିତ୍ରା କୁହିଛନ୍ତି, "ଆମ କଲଚରକୁ ପ୍ରମୋଟ କରିବାର ପାଇଁ ବହୁତ କିଛି ଜିନିଷ ଏମିତି ମୁଁ କ୍ରିଏଟିଭିଟି କରି ସବୁ ବର୍ଷ ନୂଆ ନୂଆ ହିସାବରେ ରାକ୍ଷୀ କରୁଛି । ORMAS 3 ବର୍ଷ ହେଲା ମୋ ଠାରୁ ରାକ୍ଷୀ ନେଇ ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ଦେଉଛି, ସେମାନେ ବିକ୍ରି କରୁଛନ୍ତି । ଭଲ ଅର୍ଡର ଆସୁଛି । ଓଡିଶା ସହ ବାହାରକୁ ହାଇଦ୍ରାବାଦ, ବାଙ୍ଗାଲୋର, ମୁମ୍ବାଇକୁ ଅନଲାଇନରେ ପଠାଉଛି । ଚଳିତ ବର୍ଷ 3000ଟି ସମ୍ବଲପୁରୀ ରାକ୍ଷୀ ତିଆରି କରିବାର ଟାର୍ଗେଟ ରଖିଥିଲି । ରାକ୍ଷୀ ସବୁ ଶୀଘ୍ର ବିକ୍ରି ହୋଇଯିବାରୁ ଏଥର 5000ଟି ରାକ୍ଷୀ ତିଆରି କରିଛି । ବର୍ଷକୁ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିହେଉଛି ।"
ସମ୍ବଲପୁର ଜିଲ୍ଲାର ORMAS ମଧ୍ୟ ସୁମିତ୍ରା ମହାକୁଡ଼ଙ୍କୁ ସମ୍ବଲପୁରୀ ରାକ୍ଷୀ ତିଆରି ତିଆରି କରିବାକୁ ଅର୍ଡର ଦେଇଛି । ଏ ନେଇ ORMASର ଜଏଣ୍ଟ CEO ଶ୍ରୀମନ୍ତ ହୋତା କହିଛନ୍ତି, "ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ORMAS ତରଫରୁ ସୁମିତ୍ରାଙ୍କ ପାଖରୁ ରାକ୍ଷୀ ଆସିଛି । ଏହାକୁ ସୟଂ ସହାୟକ ଗୋଷ୍ଠୀ ମାନେ ନେଇ ବିକ୍ରି କରୁଛନ୍ତି । ସମ୍ବଲପୁରୀ ହ୍ୟାଣ୍ଡଲୁମର ପ୍ରଚାର ଓ ପ୍ରସାର ପାଇଁ ଆମେ ସମ୍ବଲପୁରୀ ହ୍ୟାଣ୍ଡଲୁମରେ ପ୍ରସ୍ତୁତ ରାକ୍ଷୀ ପ୍ରସ୍ତୁତ କରାଯାଇଛି ଏବଂ ତାର ବିକ୍ରୟ ବ୍ୟବସ୍ଥା ମଧ୍ୟ ମଧ୍ୟ କରାଯାଇଛି । ଏହାସହ ଚଳିତ ବର୍ଷ ORMASର ଷ୍ଟଲରେ ରାୟଗଡାର ବମ୍ବୁ କ୍ରାଫ୍ଟ ରାକ୍ଷୀ, ମୟୁରଭଞ୍ଜର ସବାଇ କ୍ରାଫ୍ଟ ରାକ୍ଷୀ ଓ ନବରଙ୍ଗପୁରର ପେଡି କ୍ରାଫ୍ଟ ରାକ୍ଷୀ ପରି ଇକୋ ଫ୍ରେଣ୍ଡଲି ରାକ୍ଷୀ ଉପଲବ୍ଧ ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ବର ବଜାରରେ ହାତ ତିଆରି ରାକ୍ଷୀର ସମ୍ଭାର, ‘ଓରମାସ’ ଷ୍ଟଲରେ ଗ୍ରାହକଙ୍କ ଭିଡ - ORMAS SPECIAL RAKHI IN MARKET
ଇଟିଭି ଭାରତ, ସମ୍ବଲପୁର