ପୁରୀ: ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣମୀ ବା ଗହ୍ମା ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମୋତ୍ସବ । ପାଟରା ସେବାୟତଙ୍କ ଦ୍ବାରା ବାସୁଙ୍ଗା ପାଟରେ ପ୍ରସ୍ତୁତ ହୋଇଥିବା ରାକ୍ଷୀକୁ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଇଛି । ଭଉଣୀ ସୁଭଦ୍ରା ଅତି ସ୍ନେହରେ ଦୁଇଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ସେପଟେ ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି ।
ଭାଇଙ୍କୁ ବାସୁଙ୍ଗା ପାଟର ରାକ୍ଷୀ ବାନ୍ଧିଲେ ସୁଭଦ୍ରା:-
ଶ୍ରୀମନ୍ଦିରରେ ଆଜି ପାଳିତ ହୋଇଛି ରକ୍ଷାବନ୍ଧନ ଉତ୍ସବ । ଭାଇ ଭଉଣୀଙ୍କ ପବିତ୍ର ସଂପର୍କର ଉତ୍ସବ ରକ୍ଷାବନ୍ଧନ ଅବସରରେ ଭଉଣୀ ସୁଭଦ୍ରା ବାସୁଙ୍ଗା ପାଟରେ ନିର୍ମିତ ୪ଟି ବିଶ୍ବର ସବୁଠାରୁ ବଡ଼ ରାକ୍ଷୀ ବାନ୍ଧିଛନ୍ତି ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ । ପାଟରା ବିଷୋୟୀ ସେବାୟତମାନେ ଦୀର୍ଘ ଏକ ମାସ ନିଷ୍ଠାରେ ରହି ତିଆରି କରିଥିବା ବାସୁଙ୍ଗା ପାଟର ରାକ୍ଷୀକୁ ଶ୍ରୀମନ୍ଦିରକୁ ନେଇଥିଲେ । ସେଠାରେ ସେମାନେ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ଅର୍ପଣ କରିବା ପରେ ମେକାପ ସେବାୟତମାନେ ଏହାକୁ ସିଂହାରୀ ସେବାୟତଙ୍କ ହାତରେ ଦେଇଥିଲେ । ପରେ ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବେଶ ସମୟରେ ଭଉଣୀ ସୁଭଦ୍ରା ଦୁଇଭାଇଙ୍କ ହାତରେ ଏହି ରାକ୍ଷୀ ବାନ୍ଧିଥିଲେ ।
ଶ୍ରୀମନ୍ଦିରରେ ଅନୁଷ୍ଠିତ ବଳଭଦ୍ରଙ୍କ ଜନ୍ମୋତ୍ସବ:-
ଶ୍ରୀମନ୍ଦିରରେ ଆଜି ରକ୍ଷାବନ୍ଧନ ସହ ଅନୁଷ୍ଠିତ ହେଉଛି ବଳଭଦ୍ରଙ୍କ ଜନ୍ମୋତ୍ସବ । ପ୍ରଭୁ ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠି ଦେବୀଙ୍କୁ ରଖାଯାଇ ପୂଜାବିଧି ସହ ତିଥି, ରାଶି, ନକ୍ଷତ୍ର ଅନୁଯାୟୀ ହୋଇଥାଏ । ବିମାନବଡୁ ସେବାୟତମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରଣୀକୁ ଯାଇଥାନ୍ତି । ସେଠାରେ ଥିବା ଚକଡ଼ା ଉପରେ ସୁଦର୍ଶନ ବିଜେ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଚକଡ଼ା ଉପରେ ଥିବା ଗୋଲ୍ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିକୁ ଜୀବନ୍ୟାସ ଦେବା ସହ ମନ୍ତ୍ର ପାଠ ଓ ଜାତକର୍ମ ନୀତି ସମ୍ପନ୍ନ କରିଥାନ୍ତି । ପରେ ସେହି ମୂର୍ତ୍ତିକୁ ମାର୍କଣ୍ଡେୟ ପୁଷ୍କରଣୀରେ ବିସର୍ଜନ କରିଥାନ୍ତି ।
ଆଶ୍ରମ ପରିକ୍ରମା କରିବେ ଚକ୍ରରାଜ:-
ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ସମ୍ପୂର୍ଣ୍ଣ ହେବା ପରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି । ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଣରେ ରକ୍ଷାବନ୍ଧନ ଉତ୍ସବ ସହ ବଳଭଦ୍ର ଜନ୍ମନୀତି ଅନୁଷ୍ଠିତ ହୋଇଥିବାରୁ ଏହାକୁ ଦର୍ଶନ କରି ଭକ୍ତଗଣ ନିଜକୁ ଧନ୍ୟ ମଣିଛନ୍ତି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତି ଅନୁଷ୍ଠିତ:-
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, "ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା । ଏହା ଏକ ପବିତ୍ର ଦିନ । ଆଜି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ଓ ରାକ୍ଷୀ ପୂଣ୍ଣିମା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ବଡ଼ କଥା ହେଉଛି ମହାପ୍ରଭୁଙ୍କ ବିଭିନ୍ନ ଜନ୍ମ ନୀତି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି ଶ୍ରୀମନ୍ଦିର ବାହାରେ ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କଠାରେ ନୂଆ ଲୁଗା ହେବା ସହିତ ରାକ୍ଷୀ ପରିଧାନ କରିବେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥ । ଆଜି ମହାପ୍ରଭୁଙ୍କ ଅନେକ ନୀତି ଶ୍ରୀମନ୍ଦିରରେ ରହିଛି ।"
'ପରିବାରକୁ ନେଇ ବଞ୍ଚିବା ମହାପ୍ରଭୁଙ୍କ ବାର୍ତ୍ତା'
ଅନ୍ୟପଟେ ଶ୍ରୀମନ୍ଦିରକୁ ଆସିଥିବା ଜଣେ ମହିଳା ଭକ୍ତ ସୋନାଲି କହିଛନ୍ତି, "ରକ୍ଷା ବନ୍ଧନ ଉତ୍ସବ ଭାଇ ଭଉଣୀଙ୍କ ଦିନ । ଭାଇ ଓ ଭଉଣୀ ମଧ୍ୟରେ ସମ୍ପର୍କ ଜଗନ୍ନାଥ ସଂସ୍କୃତିର ପରମ୍ପରା । ଭାଇ ଓ ଭଉଣୀ ପରମ୍ପରା ଭଗବାନ ସୃଷ୍ଟି କରିଛନ୍ତି । ମହାପ୍ରଭୁ ଶ୍ରଜଗନ୍ନାଥ ଓ ବଳଭଦ୍ର ନିଜ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଶ୍ରୀକ୍ଷେତ୍ରରେ ବିରାଜମାନ କରି ମାନବୀୟ ଲୀଳା କରୁଛନ୍ତି । ଭଉଣୀ ଭାଇର ମଙ୍ଗଳ କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧେ ଓ ଭାଇଠାରୁ ଭଉଣୀ ପ୍ରତିଶ୍ରୁତି ନିଏ ଭାଇ ସୁଖ ଦୁଃଖରେ ସୁରକ୍ଷା ଦେଉ । ମହାପ୍ରଭୁ ହିଁ ମାନବୀୟ ଲୀଳା ଦ୍ଵାରା କହିଛନ୍ତି କଳୀ ଯୁଗରେ ମନୁଷ୍ୟ କିପରି ଚଳିବେ । ମହାପ୍ରଭୁଙ୍କ ବାର୍ତ୍ତା ରହିଛି ପରିବାରକୁ ନେଇ ଆମେ ସମସ୍ତେ ବଞ୍ଚିବା ଉଚିତ । ଏ ଯାହା ଆମର କର୍ତ୍ତବ୍ୟ ସବୁ ସୁଚାରୁରୂପେ ଦାୟିତ୍ଵ ନିର୍ବାହ କରିବା ଉଚିତ ।"
ଇଟିଭି ଭାରତ, ପୁରୀ