ଭୁବନେଶ୍ବର: ତାତିରୁ ମିଳିଛି ମୁକ୍ତି, ବର୍ଷା ଆଣିଲା ଆଶ୍ବସ୍ତି । ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବାବେଳେ ଆଗାମୀ ୫ ଦିନ ଯାଏ ଏଭଳି ପାଗ ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ହୋଇପାରେ । ଆଜି ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
![ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା !](https://etvbharatimages.akamaized.net/etvbharat/prod-images/12-05-2024/od-bbs-avb-weather-od10039_12052024171625_1205f_1715514385_309.jpg)
ସେହିପରି ରାୟଗଡା, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏହି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟରେ ୩ ଦିନ ଯାଏ କାଳବୈଶାଖୀ ବର୍ଷା ବିକ୍ଷିପ୍ତ ଭାବେ ହେବାର ସମ୍ଭାବନା ଥିବାବେଳେ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି ।
![ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା !](https://etvbharatimages.akamaized.net/etvbharat/prod-images/12-05-2024/od-bbs-avb-weather-od10039_12052024171625_1205f_1715514385_987.jpg)
ସେହିପରି ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା ହେବାକୁ ଥିବାବେଳେ ପ୍ରବଳ ବର୍ଷା ପାଇଁ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ନୟାଗଡ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢନ୍ତୁ....କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜାଣନ୍ତୁ କେମିତି ରହିବ ପାଗ ? - Weather UPDATE
ଅନ୍ୟପଟେ ଗତ ୨୪ ଘଣ୍ଟାରେ କଟକ ବାଙ୍କିରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି ୧୦.୮ ସେମି । ଏହା ସହ ୧୪ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ଭାରି ବର୍ଷା ନେଇ ଆକଳନ କରାଯାଇଛି । ଆଗାମୀ ୩ ଦିନ ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବରରେ ପ୍ରବଳ ଘଡ଼ଘଡ଼ି-ବର୍ଷା ସହ ଜୋରରେ ପବନ ବହିଥିଲା । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ଷାକୁ ନେଇ କିଛି ସ୍ଥାନରେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର