ଜଗତସିଂହପୁର/ଅନୁଗୋଳ/କଳାହାଣ୍ଡି/ବୌଦ୍ଧ: ଚଳିତ ବର୍ଷ କ୍ଷେତରେ ଧାନ ଦେଖି ଚାଷୀ ବେସ ଖୁସି ହୋଇ ଯାଇଥିଲା । ହେଲେ ଠିକ ଅମଳ ସମୟରେ ଦାଉ ସାଧିଲା ଅଦିନିଆ ବର୍ଷା । ଲଗାଣ ବର୍ଷାରେ ଧୋଇ ହୋଇଗଲା ଚାଷୀର ସ୍ବପ୍ନ । ଯୁଆଡେ ଚାହିଁଲେ ଧାନ କ୍ଷେତରେ ଖାଲି ପାଣି ହିଁ ପାଣି । କେଉଁଠି ଧାନ କଟା ହୋଇ ବିଲରେ ଗଦା ହୋଇଛି ତ ଆଉ କେଉଁଠି ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିଛି ତ ଆଉ କେଉଁଠି ଖଳାରେ ରହିଛି ଅମଳ ଦାନ । ବର୍ଷ ଯାକର ପରିଶ୍ରମ ପାଣିରେ ଭାସୁଥିବା ଦେଖି ଚାଷୀ ପାଣିରୁ ଧାନକୁ ଛାଣି ଆଣୁଥିବା ବେଳେ ଧାନକେଣ୍ଡା ସବୁ ଝଡ଼ିପଡ଼ୁଛି । ଏଣେ ଅମଳ ସରିଥିବା ମଣ୍ଡିରେ ପଡ଼ିଥିବା ଧାନ ବସ୍ତାରେ ପାଣି ପଶି ଧାନ ଗଜା ହେବାକୁ ବସିଛି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜଗତସିଂହପୁର, ଅନୁଗୋଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ଚାଷୀ ।
ଜଗତସିଂହପୁରରେ ବ୍ୟାପକ ଫସଲ ହାନି:
ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଫଳରେ ବ୍ୟାପକ ଫସଲ ହାନି ହୋଇଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ଲଗାଣ ବର୍ଷା ଫଳରେ ଜିଲ୍ଲାର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । କିଛି ସ୍ଥାନରେ ଧାନ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ । ଜଗତସିଂହପୁର ଜିଲ୍ଲାର, କୁଜଙ୍ଗ, ଏରସମା, ବାଲିକୁଦା, ନାଉଗାଁ, ରଘୁନାଥପୁର ଆଦି ବ୍ଲକରେ ଶହଶହ ହେକ୍ଟର ଚାଷ ଜମିରେ ଧାନ ନଷ୍ଟ ହୋଇଥିବା ବେଳେ ବିରିଡି ବ୍ଲକରେ ପରିବା ଚାଷ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।
ଏନେଇ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ଲଘୁଚାପଜନିତ ବର୍ଷାରେ ବ୍ୟାପକ ଭାବରେ ଧାନଚାଷ ନଷ୍ଟ ହୋଇଛି । ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏହା ଉପରେ ଖୁବଶୀଘ୍ର ପଦକ୍ଷେପ ନେବେ ।"
ଚିନ୍ତାରେ ଅନୁଗୋଳ ଚାଷୀ:
ସେପଟେ ଅନୁଗୋଳ ଜିଲ୍ଲାରେ ଅଦିନିଆ ବର୍ଷାରେ ଶହ ଶହ ଏକର ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଜିଲ୍ଲାର ତଳିଆ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ଏ ସବୁ ଅଞ୍ଚଳରେ ଅଧିକାଂଶ ତଳିଆ ଜମି । ତେଣୁ ବର୍ଷା ହେଲେ କ୍ଷେତରେ ପାଣି ଜମି ରହେ । ଏ ଅଞ୍ଚଳର ଶତକଡା ଶହେ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଧାନ ଚାଷ ଲୋକଙ୍କର ମୁଖ୍ୟ ଫସଲ । ଯେଉଁମାନଙ୍କର ଜମି ନାହିଁ ସେମାନେ ମଧ୍ୟ ଭାଗ ଚାଷ କରନ୍ତି । ଚଳିତ ବର୍ଷ ଚାଷୀମାନଙ୍କ ଉପରେ ପ୍ରକୃତି ଦାଉ ସାଧିଲା । ଅମଳ ସମୟରେ ବର୍ଷା ସବୁକିଛି ଧୋଇ ନେଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଅଦିନିଆ ବର୍ଷା ଛଡେଇନେଲା ଚାଷୀ ମୁହଁରୁ ଆହାର |
ଲଗାଣ ବର୍ଷା ଯୋଗୁ ଧାନ ବିଲ ଗୁଡିକରେ ପାଣି ଜମି ରହିଛି । ଯେଉଁ ଚାଷୀମାନେ ଧାନ କାଟି ଦେଇଥିଲେ ସେହି ଧାନରେ ଗଜା ହୋଇ ଗଲାଣି । ବିଲରୁ ଧାନ ଆଣିବା ମଧ୍ୟ କଷ୍ଟକର ହୋଇପଡିଛି । ଧାର କରଜ କରି ସାର, ଔଷଧ କିଣିଥିଲେ । ହାଡ଼ଭଙ୍ଗା ପରିଶ୍ରମ କରି ଚାଷ କରିଥିଲେ । ଭାବିଥିଲେ ବର୍ଷ ଯାକର ଖାଇବା ସାଇତି ରଖି ବଳକା ଧାନ ବିକ୍ରି କରି ତେଲ ଲୁଣ କିଣିବେ । ହେଲେ ସବୁ ଆଶା ଧୁଳସାତ ହୋଇଯାଇଛି । ବହୁ ଖର୍ଚ୍ଚ ଓ ପରିଶ୍ରମ କରି ଧାନ ଚାଷ କରିଥିବା ଚାଷି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି । ହଜାର ହଜାର ଚାଷୀ ଏବେ ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି । ତେଣୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ...ଉଜୁଡା ଫସଲ ଉଜାଡିଲା ପରିବାର, ଜୀବନ ହାରିଲେ ଚାଷୀ |
କଳାହାଣ୍ଡି ମଣ୍ଡିରେ ଅନିୟମିତତା ଅଭିଯୋଗ :
ସେପଟେ କୃଷି ଭିର୍ତ୍ତିକ ଅର୍ଥନୀତି ଉପରେ ପର୍ଯ୍ୟବେସିତ କଳାହାଣ୍ଡି ଜିଲ୍ଲା ଚାଷୀଙ୍କ ଆଖିରେ ଲୁହ ଭରି ଦେଇଛି ବର୍ଷା । ଦୁଇଦିନର ଲଗାଣ ବର୍ଷା ଧୋଇ ନେଇଛି ଚାଷୀର ସମସ୍ତ ସ୍ଵପ୍ନ ଓ ସମ୍ଭାବନା । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନ ଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଚଳିତ ଖରିଫ ଋତୁରେ ସରକାର କଳାହାଣ୍ଡି ଜିଲ୍ଲା ପାଇଁ ଧାନ କ୍ରୟ ଲାଗି ୫୦ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ଦେଇଛନ୍ତି । ବଡ କଷ୍ଟରେ ୧୧ ଲକ୍ଷ ୭୩ ହଜାର କୁଇଣ୍ଟାଲ ସଂଗ୍ରହ ହୋଇପାରିଛି । ସେପଟେ ମଣ୍ଡିରେ ଗଦା ହୋଇଥିବା ଧାନରେ ପାଣି ପଶି ସେସବୁ ନଷ୍ଟ ହେବାକୁ ବସିଛି । ବର୍ଷା ପୂର୍ବରୁ ମଣ୍ଡିରେ କଟନୀଛଟନୀ ହେଉଥିବା ବେଳେ ବର୍ଷା ପରେ କଟନୀଛଟନୀ ଅଧିକ ହେବ ବୋଲି କହିଛନ୍ତି ଚାଷୀ । ସେପଟେ ମଣ୍ଡିରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣି ଆସନ୍ତା ୨୮ ତାରିଖ ସମଗ୍ର ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ବନ୍ଦ ଡାକରା ଦିଆଯାଇଛି ।
ଭବାନୀପାଟଣା ବନ୍ଦ ଡାକରା:
ଏନେଇ ସଦର ବିଧାୟକ ସାଗର ଚରଣ ଦାସ କହିଛନ୍ତି, "ମୁଁ 7 ଦିନ ଧରି ମଣ୍ଡି ବୁଲିଛି । ସମସ୍ତ ମଣ୍ଡିରେ ସମାନ ଅବସ୍ଥା । ମଣ୍ଡିମାନଙ୍କରେ ଚାଷୀଙ୍କ ପାଇଁ କୌଣସି ସୁବିଧା ନାହିଁ । ସମସ୍ତ ମଣ୍ଡିରେ କ୍ଵିଣ୍ଟାଲ ପ୍ରତି ୭ କେଜି କଟନୀ ହେଉଛି, ମିଲର୍ସଙ୍କ ମାନମାନି ଚାଲୁଛି । ଯାହାକୁ ନେଇ ଆସନ୍ତା 2 ଦିନ ଆମ୍ କର୍ମୀ ସମସ୍ତ ମଣ୍ଡି ଜଗିବେ ଏବଂ ଏହାପରେ ଆସନ୍ତା ୨୮ ତାରିଖ ଦିନ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।"
ଏହା ମଧ୍ୟ ପଢ଼ନ୍ତୁ...ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲା ବର୍ଷା, ପାଣିରେ ଭିଜୁଛି ବର୍ଷକର ଫସଲ |
ସେହପିର ଧର୍ମଗଡ ଅଞ୍ଚଳର ଚାଷୀ କୁନୁ ତାଣ୍ଡି କହିଛନ୍ତି, "ପୂର୍ବରୁ ୫ କେଜି କଟନୀରେ ଧାନ ନେଉଥିଲେ । ବର୍ଷାରେ ସବୁ ଧାନ ଭିଜି ଯାଇଛି, ଏବେ ଆହୁରି ଅଧିକ କଟନୀଛଟନୀ ହେବ । ନହେଲେ ମିଲର୍ସ ଧାନ ନେବେ ନାହିଁ । ବର୍ଷା ହେବାରୁ ସମସ୍ତ ଧାନକୁ ପାଲ ଘୋଡାଇ ରଖିଛୁ, ତଥାପି ସବୁ ଭିଜି ଯାଇଛି । ଦୁଇ ପଇସା ଅଧିକ ପାଇବୁ ବୋଲି ମଣ୍ଡିକୁ ଧାନ ଆଣିଲୁ । ହେଲେ ଏଠାରେ ଅନେକ ସମସ୍ୟ ରହିଛି।" ସେପଟେ କାଣ୍ଡେଲ ଗାଁର ଚାଷୀ ଜନ୍ମେଜୟ ମହଲା କହିଛନ୍ତି, "ଧାନ ୫ କେଜି ଓ ବସ୍ତା ବାବଦକୁ ଦୁଇକେଜି କ୍ଵିଣ୍ଟାଲ ପିଛା କାଟୁଛନ୍ତି । ମଣ୍ଡିରେ ମିଲ ମାଲିକଙ୍କ ରାଜୁତି ଚାଲୁଛି କହିଲେ ମଧ୍ଯ କେହି ଶୁଣୁ ନାହାନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା, ମଣ୍ଡିରେ ଧାନ FAQ ବାଦ୍ ଦେବାକୁ ବିଜେଡିର ଦାବି |
ବୌଦ୍ଧରେ ଚାଷୀଙ୍କୁ ହତାସ କଲା ବର୍ଷା:
ସପେଟ ଅଦିନିଆ ବର୍ଷାରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ବର୍ଷାର ସିଧାସଳଖ ପ୍ରଭାବ ଧାନ ସଂଗ୍ରହ ଉପରେ ପଡିଛି । ବର୍ଷା ଯୋଗୁଁ ଧାନ ପାଣିରେ ଭିଜିବା ସହିତ ଗଜା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ବର୍ତ୍ତମାନ ଓଦା ଧାନକୁ ନେଇ କିଭଳି ମଣ୍ଡିରେ ବିକ୍ରି କରିବ ଚିନ୍ତାରେ ପଡିଛି ।
ଇଟିଭି ଭାରତ, ଜଗତସିଂହପୁର/ଅନୁଗୋଳ/କଳାହାଣ୍ଡି/ବୌଦ୍ଧ