ବୌଦ୍ଧ: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସର୍ବାଧିକ ପଥ ରହିଥିବା ବୌଦ୍ଧ ଜିଲ୍ଲାକୁ ଛୁଇଁଲା ରେଳପଥ । ଗତକାଲି(ସୋମବାର) ଜିଲ୍ଲାର ସୀମାନ୍ତ ରେଳ ଷ୍ଟେସନକୁ ସୋନପୁର ପଟରୁ ଟ୍ରାଏଲ ରନ ହୋଇଛି । ଏନେଇ ସୂଚନା ମିଳିବା ପରେ ସମଗ୍ର ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି ।
ବୌଦ୍ଧ ଜିଲ୍ଲାର ମନମୁଣ୍ଡା ନିକଟସ୍ଥ ପୁରୁଣାପାଣି ରେଳ ଷ୍ଟେସନକୁ ସୋନପୁରରୁ ଟ୍ରେନ ଗଡିଛି । ସୁସଜ୍ଜିତ ଟ୍ରେନ ପୁରୁଣାପାଣି ରେଳ ଷ୍ଟେସନ ପର୍ଯ୍ୟନ୍ତ ଟ୍ରାଏଲ ରନ କରିଥିଲା । ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ସେପଟେ ଜିଲ୍ଲାର ଆଢେଣୀଗଡର ଜଙ୍ଗଲ ଅଞ୍ଚଳରେ ୭ଗୋଟି ଟନେଲ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆଢେଣୀଗଡ ନିକଟରେ ସର୍ବାଧିକ ୪ କିଲୋମିଟରରୁ ଊର୍ଦ୍ଧ୍ବ ରେଳ ଟନେଲ ନିର୍ମାଣ ଜୋରସୋରରେ ଚାଲିଛି । ତେବେ ଗତକାଲି ଜିଲ୍ଲାର ପୁରୁଣାପାଣି ରେଳ ଷ୍ଟେସନ ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ରେଳ ଚଳାଚଳକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇବା ସହିତ ଖୁସିର ଲହରି ଖେଳିଯାଇଛି ।
ସୂଚନା ମୁତାବକ, ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଚାରି ଗୋଟି ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ ସ୍ବାଭାବିକ ହୋଇସାରିଛି । ବୌଦ୍ଧ ଜିଲ୍ଲାରେ କେବଳ ରେଳ ଚଳାଚଳ ବାକି ଥିବାବେଳେ ଆଜି ପୁରୁଣାପାଣି ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଛି । ତେଣୁ ଆଗାମୀ କିଛି ଦିନ ମଧ୍ୟରେ ଜିଲ୍ଲାରେ ଏହି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ରେଳ ଚଳାଚଳ ସ୍ବାଭାବିକ ବୋଲି ଆଶା ପ୍ରକାଶ ପାଇଛି ।
ଏହି ରେଳପଥ ଖୋର୍ଦ୍ଧା, ନୟାଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାକୁ ଯୋଡ଼ିବ । ଏଥିସହ ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ସାମଗ୍ରିକ ଭାବରେ ବିକାଶ ହୋଇପାରିବ । ଏହି ପ୍ରକଳ୍ପର ସୁବିଧା ନେବା ଲାଗି ଲୋକେ ବହୁ ଦିନରୁ ଅପେକ୍ଷା କରିଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହି ରେଳପଥ ଦେଇ ଲୋକେ ଖୁବ କମ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ସହିତ ସେମାନଙ୍କର ସମୟ ମଧ୍ୟ ବଞ୍ଚିପାରିବ ।
ଇଟିଭି ଭାରତ, ବୌଦ୍ଧ