ପୁରୀ: ପୁରୀ ଗଜପତିଙ୍କ ଶ୍ରୀନହରରେ ପାରମ୍ପରିକ ରୀତିରେ ଗତକାଲି ଅନୁଷ୍ଠିତ ହୋଇଛି ପୁଷ୍ୟାଭିଷେକ । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ । ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରିତ କରାଯିବା ସହ ରାଜ୍ୟର ମଙ୍ଗଳ କାମନା କରାଯାଇଥିଲା ।
ତେବେ ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରୀତ ହୋଇ ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଗୁରୁବାର ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଗତକାଲି ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି । ପୌଷପୂର୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନହରରେ ଗଜପତିଙ୍କର ପରମ୍ପପରା ଏବେ ବି ଚାଲୁ ରହିଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ ।
ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରମ୍ପରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳ ଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା । ଅଭିଷେକ ମହୋତ୍ସବ ପରେ ଷୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ । ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ । ପରେ ପରମ୍ପରା ଅନୁଯାଇ ଗଜପତିଙ୍କୁ ବ୍ରାହ୍ମଣମାନେ ବସ୍ତ୍ର, ଫଳ ଆଦି ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ.....ସରଗରମ ସମ୍ବଲପୁର ରାଜନୀତି; କାଲି ମୁଖ୍ୟମନ୍ତ୍ରୀ, 3ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ତେବେ ରାଜପୁରୋହିତ କହିଛନ୍ତି ,"ଗୁରୁବାର ପୂଷ୍ୟା ପୂର୍ଣ୍ଣମା ଗଲା ।ଏହି ଅବସରରେ ମାହାପ୍ରଭୁଙ୍କ ଦେବାଭିଷେକ ହୋଇଥାଏ । ଗତାକଲି ହେଉଛି ପୁଷ୍ୟା ନକ୍ଷେତ୍ର ଯୁକ୍ତ ତିଥିରେ ଗଜପତିଙ୍କର ରାଜାଭିଷେକ ବା ପୁଷ୍ୟାଭିଷେକ ନୀତି କରାଯାଇଥାଏ । ଏହା ପାରମ୍ପରିକ ପଦ୍ଧତିର ଏକ ପ୍ରକ୍ରିୟା । ଏହାସହ ପ୍ରଭୁ ରାମଚନ୍ଦ୍ର ମଧ୍ୟ ପୁଷ୍ୟା ନକ୍ଷେତ୍ର ଯୁକ୍ତ ତିଥିରେ ଅଭିଷେକ ହୋଇଥିଲେ ।ଏହି ଅଭିଷେକ ବହୁ ପୁରାତନ ଯୁଗରୁ ପ୍ରଚଳିତ ହୋଇଆସିଛି । ଏହି ଅବସରରେ ଗଜପତି ଏବଂ ମହାରାଣୀ ସାହିବାଙ୍କୁ ରାଜଗୁରୁ ରାଜାଭିଷେକ କରିଛନ୍ତି ।
ଇଟିଭି ଭାରତ, ପୁରୀ