ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥାଏ । ମହାପ୍ରଭୁଙ୍କ ଏହି ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଥାନ୍ତି । ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ହେବା ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ । ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ବର ବେଶରେ ବିଭୂଷିତ ହେବେ । ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।
ଏହା ମ୍ଧ୍ୟ ପଢନ୍ତୁ-ପରିକ୍ରମା ପ୍ରକଳ୍ପ ଉତ୍ସବରେ ଭକ୍ତ ପାଇବେ ନୂଆ ଅନୁଭୂତି, ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ୨୪ ବେଶ
ତେବେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ। ତେବେ ବର୍ଷକ ମଧ୍ୟରେ ୫ ଥର ମହାପ୍ରଭୁ ସୁନେବେଶରେ ଦର୍ଶନ ଦେଉଥିବା ବେଳେ ଆଜି ଦିନରେ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମର୍ଚ୍ଚିକୋଟ ଛକ ଠାରୁ କରାଯାଇଥିବା ବ୍ୟାରିକେଡ଼ରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ । ଏପଟେ ଆଜି ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ଏକ ଆଧ୍ୟାତ୍ମିକ ପରିବେଶରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ମହୋଦଧି ଆଳତୀ ଅନୁଷ୍ଠିତ ହେବ । ଏଥିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ବରିଷ୍ଠ ବ୍ୟକ୍ତି ବିଶେଷ, ସାଧୁ ସନ୍ଥମାନେ ଯୋଗ ଦେବେ ।
ଇଟିଭି ଭାରତ, ପୁରୀ