ପୁରୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ଜାନୁଆରୀ ୩୧ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଏହା ପୂର୍ବରୁ ଡିସେମ୍ବର 16ରେ ହେବ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଏଏସଆଇ ଦ୍ବାରା କରାଯିବ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବେଳେ ଯେଭଳି ଠାକୁରଙ୍କ ସେବାପୂଜାରେ ବାଧା ସୃଷ୍ଟି ନହେବ ଏବଂ ଭକ୍ତଙ୍କ ଦର୍ଶନରେ ଅସୁବିଧା ସୃଷ୍ଟି ନହେବ ସେଥିପାଇଁ ଏଏସଆଇକୁ ଏକ ନିର୍ଦ୍ଦିଷ୍ଟ ସମୟ ପ୍ରଦାନ କରାଯିବ । ଆସନ୍ତାକାଲି(ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିଭଳି ସୂଚାରୁରୂପେ କରାଯାଇପାରିବ ସେନେଇ ନିଷ୍ପତ୍ତି ନିଆଯିବ ।
କାଲି ବସିବ ଛତିଶା ନିଯୋଗ ବୈଠକ:
ଡିସେମ୍ବର ୧୦ (ମଙ୍ଗଳବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକ । ଏଥିରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିଭଳି ଏବଂ କେଉଁ ସମୟରେ କରାଯିବ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ସରିଛି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ:
ବିଜେପି ଓଡ଼ିଶାରେ ସରକାର ଗଠନ କରିବା ପରେ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଗତ ଜୁଲାଇ ୧୪ ଏବଂ ୧୮ ତାରିଖରେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ପରେ ରତ୍ନ ଅଳଙ୍କାର ଗୁଡ଼ିକୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଜ ଓ ଚାଙ୍ଗଡ଼ା ଗୃହରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରଖାଯାଇଛି । ପରବର୍ତ୍ତୀ ସମୟରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସହିତ ଜିପିଆର ସର୍ଭେ କରାଯାଇଥିଲା ।
ଜାନୁଆରୀ 31ରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି:
ତେବେ ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ କିଛି ଫାଟ ଥିବା ଜଣାପଡିଥିବା ବେଳେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ଅବା ଗୁପ୍ତ କୋଠରୀ ନଥିବା ଜଣାପଡିଥିଲା । କାର୍ତ୍ତିକ ମାସରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହୋଇପାରିନଥିଲା। ଏବେ କାର୍ତ୍ତିକ ମାସ ଶେଷ ହୋଇସାରିଥିବା ବେଳେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପାଇଁ ଏବେ ସରକାର ଏଏସଆଇକୁ ଅନୁରୋଧ କରିଛନ୍ତି। ରତ୍ନଭଣ୍ଡାର ର ମରାମତି କାର୍ଯ୍ୟ ପରେ ଆସନ୍ତା ଜାନୁଆରୀ ୩୧ ତାରିଖରେ ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି ମଣତି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ ।
ରତ୍ନଭଣ୍ଡାରରେ କେତେ ଅଛି ଅଳଙ୍କାର ଜାଣିବାକୁ ଲୋକଙ୍କ ଉତ୍କଣ୍ଠା:
ରତ୍ନଭଣ୍ଡାର ଖୋଲିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ବେଶ୍ ଉତ୍କଣ୍ଠା ଥିଲା । ତେବେ ରତ୍ନଭଣ୍ଡାର ଖୋଲାଯାଇ ସାରିଥିବା ବେଳେ କେବେ ରତ୍ନଭଣ୍ଡାରର ମରାମତି ହୋଇ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି ମଣତି କରାଯିବ ଏବଂ ଏହା ସୁରକ୍ଷିତ ଅଛି କି ନାହିଁ ତାହାକୁ ନେଇ ଏବେ ଭକ୍ତ ଏବଂ ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷା ରହିଛି ।
16ରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ..
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି, ‘ଆସନ୍ତା 16 ତାରିଖରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇ ସମ୍ମତି ଦେଇଛି । କିନ୍ତୁ ଆସନ୍ତା 16 ତାରିଖରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବ । ସେହିପରି ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ୍ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ମଙ୍ଗଳବାର ଛତିଶା ନିଯୋଗ ବୈଠକ ରହିଛି । ବୈଠକରେ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ, ପହିଲି ଭୋଗ ନୀତି ନିର୍ଘଣ୍ଟ, ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ଉପରେ ଆଲୋଚନା ନୀତି ନିର୍ଘଣ୍ଟ ସ୍ଥିର ହେବ । କେତେବେଳେ ଏଏସଆଇ ରତ୍ନ ଭଣ୍ଡାର କାର୍ଯ୍ୟ କରିବ ସେ ନେଇ ସମୟ ମଧ୍ୟ ନିର୍ଦ୍ଧାରିତ ହେବ ।
‘ASI ପ୍ରସ୍ତାବ ମାନିବାକୁ ପଡିବ’
ସେ ଆହୁରି କହିଛନ୍ତି, ‘ଏଏସଆଇ କେତେ ସମୟ ନେଲେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଶୀଘ୍ର ଶେଷ ହୋଇ ପାରିବ ତାହା ଏଏସଆଇ ଠାରୁ ମତାମତ ନିଆଯିବ । ତେବେ ମହାପ୍ରଭୁଙ୍କ ଘୋଡ ଲାଗି ବେଶ ନୀତି, ପହିଲି ଭୋଗ ନୀତିକୁ ଦେଖି ସମୟ ନିର୍ଦ୍ଧାରଣ ହେବ । ଛତିଶା ନିଯୋଗ ସଦସ୍ୟଙ୍କ ମତାମତ ନିଆଯାଇ ସର୍ବସମ୍ମତ ନିଷ୍ପତ୍ତି ନିଆଯିବ । ତେବେ ଶ୍ରୀମନ୍ଦିରର ସୁରକ୍ଷା ଓ ସ୍ଥାୟିତ୍ବକୁ ଦୃଷ୍ଟିରେ ରଖି ଏଏସଆଇ ଯେଉଁ ପ୍ରସ୍ତାବ ଦେବ ତାହା ମାନିବାକୁ ପଡ଼ିବ ।’
ମରାମତି ସମୟରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ:
ସେ ଆହୁରି କହିଛନ୍ତି, ‘2018 ମସିହାରୁ ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତାବ ଆସିଥିଲା । ତେବେ ବିଭିନ୍ନ କାରଣରୁ ଏହା ହୋଇ ପାରୁନଥିବା ବେଳେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ତେବେ ମୋ ମତରେ ଦ୍ଵିତୀୟ ଭୋଗ ମଣ୍ଡପ ନୀତି ସାରି ଏଏସଆଇକୁ ରତ୍ନ ଭଣ୍ଡାର ମରାମତି ପାଇଁ ସମୟ ଦିଆଯିବା ଉଚିତ୍ । ତେବେ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ଦ୍ଵି-ପ୍ରହର ଧୂପ ସରିବା ପରେ ସଂଧ୍ୟା ଧୂପ ପର୍ଯ୍ୟନ୍ତ ଭକ୍ତଙ୍କୁ ଭିତର କାଠ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଛଡା ଯାଉଛି । ତେବେ ଏଏସଆଇ ରତ୍ନ ଭଣ୍ଡାର କାର୍ଯ୍ୟ କରିବା ବେଳେ ଏହି ସମୟରେ ଭକ୍ତଙ୍କୁ କେବଳ ବାହାର୍ କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ । ତେବେ ପୂର୍ବ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନ ଭଣ୍ଡାର ମରାମତି ପରେ ରତ୍ନ ଭଣ୍ଡାର ଭିତରେ ହିଁ ସବୁ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ।’
ଛତିଶା ନିଯୋଗ ବୈଠକରେ ଚୁଡାନ୍ତ ନିଷ୍ପତ୍ତି:
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନ ଭଣ୍ଡାର ମରାମତି ନେଇ ଆଲୋଚନା ହେବ । କେତେବେଳେ ରତ୍ନ ଭଣ୍ଡାର ମରାମତି କରାଯିବ, କେତେ ସମୟ ହେବ, ନୀତି ନିର୍ଘଣ୍ଟ ଯେଭଳି ବ୍ୟାଘାତ ନ ହୁଏ ସେ ନେଇ ଆଲୋଚନା ହେବ । ରତ୍ନ ଭଣ୍ଡାର ମରାମତି ଓ ମହାପ୍ରଭୁଙ୍କ ନୀତି କିଭଳି ସୁଚାରୁରୂପେ ହେବ ସେ ନେଇ ସବିଶେଷ ଆଲୋଚନା ହେବ । ତେବେ ରତ୍ନ ଭଣ୍ଡାର ମରାମତି ବେଳେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଯେଭଳି କିଛି ଅସୁବିଧା ନ ହୁଏ ସେ ଦିଗରେ ଆଲୋଚନା ହେବ । ତେବେ ଛତିଶା ନିଯୋଗ ବୈଠକରେ ଆଗାମୀ 16 ତାରିଖରୁ ରତ୍ନ ଭଣ୍ଡାର ମରାମତି ହେବ କି ନାହିଁ ସେ ଦିଗରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ।’
ଇଟିଭି ଭାରତ, ପୁରୀ