ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଦିନ ବାକି । ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଗତକାଲି ଅନୁକୂଳ ପୂଜା ପରେ ରୂପକାର ସେବକମାନେ ତିନି ରଥ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ସହ ତିନିରଥର ୪ଟି ଲେଖାଏଁ ଦୁଆର ବେଢ଼ା ରଥ ଉପରକୁ ଉଠିଥିଲା । ତିନି ରଥର ଦୁଆର ବେଢ଼ାକୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ାଗୁଡ଼ିକର ଉପରଭାଗ ଚନ୍ଦ୍ରଶାଳୀରେ ଧ୍ଵଜବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀରେ କଣ୍ଟା ପିଟାଯାଇ ଖଞ୍ଜା ଯାଇଛି ।
ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ଦୁଆର ବାଣିଆ (ସପୋର୍ଟ ବଟନ୍) ପ୍ରତି ରଥ ରେ ୧୬ଟି ଲେଖାଏଁ ଲଗାଯାଇଛି । ମହାରଣା ସେବକମାନେ ତିନି ରଥର ଭୋଇ ସେବକମାନଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବା ପରେ ତିନି ରଥରେ 'ହାତିଆଳ ମାଳ' ବା କାଠ ବଟନ୍ ଆଠଟି ଲେଖାଏଁ ବଡଧରା ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଖଞ୍ଜିଛନ୍ତି ।
![Ratha Construction Work](https://etvbharatimages.akamaized.net/etvbharat/prod-images/03-07-2024/od-pur-03-rathaupdate-avob-7205521_03072024101132_0307f_1719981692_167.jpg)
ଏଥିସହ ତିନି ରଥର ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ମଣ୍ଡଣୀ ବତା ପଡ଼ି ବଡଧରା ପୋଟଳଠାରୁ ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ଲଗାଯାଇଛି । ଫଳରେ ରଥରେ କନା ପଡ଼ିବା ସୁବିଧାଜନକ ହେବା ସହ ରଥର କନା ଆବରଣ ଏକ ଗୋଲାକାର ଆକୃତି ବହନ କରି ରଥର ଗଠନ ଶୈଳୀକୁ ଦର୍ଶାଇବ । ଏହାଦ୍ୱାରା ରଥ ସୁନ୍ଦର ଦେଖାଯିବା ସହ କନା ସୁରକ୍ଷିତ ରହିବ ।
![Ratha Construction Work](https://etvbharatimages.akamaized.net/etvbharat/prod-images/03-07-2024/od-pur-03-rathaupdate-avob-7205521_03072024101132_0307f_1719981692_89.jpg)
![Ratha Construction Work](https://etvbharatimages.akamaized.net/etvbharat/prod-images/03-07-2024/od-pur-03-rathaupdate-avob-7205521_03072024101132_0307f_1719981692_1075.jpg)
ଏଥିସହ ଆଜି ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବାସହ ରଥର କୋଣମାନଙ୍କରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି । ରୂପକାର ସେବକମାନେ ତିନି ଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି । ଦରଜୀ ସେବକମାନେ ତିନି ରଥର ପୋଟଳର କନା କାର୍ଯ୍ୟ ଶେଷ କରି ଚନ୍ଦ୍ରଶାଳୀ, ଅଁଳାଶ୍ରୀରେ ରୌପ୍ୟ ଜରୀ ଲେସ କାର୍ଯ୍ୟ ସହ ଚନ୍ଦ୍ରଶାଳୀ ଏବଂ ଦୁଆର ବେଢ଼ାରେ ଲାଗିବା ପାଇଁ ଛୋଟ ପତାକା ତିଆରି କାର୍ଯ୍ୟ ଜାରିଆଖିଛନ୍ତି ।
![Ratha Construction Work](https://etvbharatimages.akamaized.net/etvbharat/prod-images/03-07-2024/od-pur-03-rathaupdate-avob-7205521_03072024101132_0307f_1719981692_1075.jpg)
ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଧ୍ଵଜ ବତା କଣ୍ଟା ଯୋଗାଇବା ସହ ତିନି ରଥ ପାଇଁ ପ୍ରଭା ବିଡିଆ କଣ୍ଟା, କପୁରି ପାଇଁ ବାଗିଆ କଣ୍ଟା, ଶୁଆ ଖଞ୍ଜିବା ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ କରିବା ସହ ସାରଥି, ଘୋଡ଼ା, କଳସ, ସାକ୍ଷୀ, ପାର୍ଶ୍ଵ ଦେବଦେବୀ ମୂର୍ତ୍ତି ଗୁଡିକରେ ଚିତ୍ର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।
![Ratha Construction Work](https://etvbharatimages.akamaized.net/etvbharat/prod-images/03-07-2024/od-pur-03-rathaupdate-avob-7205521_03072024101132_0307f_1719981692_226.jpg)
![Ratha Construction Work](https://etvbharatimages.akamaized.net/etvbharat/prod-images/03-07-2024/od-pur-03-rathaupdate-avob-7205521_03072024101132_0307f_1719981692_895.jpg)
![Ratha Construction Work](https://etvbharatimages.akamaized.net/etvbharat/prod-images/03-07-2024/od-pur-03-rathaupdate-avob-7205521_03072024101132_0307f_1719981692_166.jpg)
ଇଟିଭି ଭାରତ, ପୁରୀ