ପୁରୀ: ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି । କାର୍ତ୍ତିକ ପଞ୍ଚୁକର ତୃତୀୟ ଦିବସ । ମହାପ୍ରଭୁ ଆଜି ‘ତ୍ରିବିକ୍ରମ’ ବା ‘ଆଡ଼ିକିଆ ବେଶ’ରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀମନ୍ଦିରରେ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କୁ ତ୍ରିବିକ୍ରମ ବେଶରେ ସଜ୍ଜିତ କରିଥିଲେ ।
- କେମିତି ହୁଏ ତ୍ରିବିକ୍ରମ ବେଶ ?
ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ସୋଲ, କନା, ବେତ, ଜମ୍ୱୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ । ତ୍ରୀବିକ୍ରମ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଆଦି ଶୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଛି ।
- ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼:
ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି । ଆଜି ପଞ୍ଚୁକ ବ୍ରତର ତୃତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଛି ।
ଏହା ମଧ୍ୟ ପଢନ୍ତୁ:- ପଞ୍ଚୁକ ପ୍ରଥମ ଦିନ: କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ-ନାରାୟଣ ବେଶ ଏହା ବି ପଢନ୍ତୁ- ଆଜି ଅଁଳା ନବମୀ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ |
- କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ:
ଆସନ୍ତାକାଲି କାର୍ତ୍ତିକ ପୁର୍ଣିମାରେ ଶ୍ରୀଜୀଉଙ୍କ ରଜାଧିରାଜ ବେଶ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଣୁ ପ୍ରଶାସନ ପକ୍ଷରୁ ମାର୍କେଟ ଛକଠାରେ କରାଯାଇଥିବା ବ୍ୟାରିକେଡ ଭିତରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ। କାର୍ତ୍ତିକ ପୂର୍ଣ୍ଣମୀରେ ସଅଳ ନୀତିକାନ୍ତି କରି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ବୋଲି ଆଶା ରଖିଛି ଶ୍ରୀମନ୍ଦିର ପ୍ରଶାସନ ।
- ଏଥର ହେବନି ଲକ୍ଷ୍ମୀନୃସିଂହ ବେଶ:
ଚଳିତ ବର୍ଷ ତିଥିରେ କ୍ଷୟ ପଡ଼ିଥିବାରୁ ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ସେହିପରି ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ଇଟିଭି ଭାରତ, ପୁରୀ