ପୁରୀ: ଆଜି (ସୋମବାର) ମାର୍ଗଶୀର କୃଷ୍ଣପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପଇତା ଲାଗି ନୀତି । ସେଥିପାଇଁ ସଂଧ୍ୟା 5ଟାରୁ ସଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
- କଣ ଏହି ନୀତିର ବିଶେଷତ୍ବ
ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟାରୁ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦିତ ହେବ । ପରମ୍ପରା ଅନୁସାରେ, ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକମାନେ ଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପରେ ପ୍ରସ୍ତୁତ ପଇତାକୁ ଦେଉଳ-କରଣଙ୍କୁ ଯୋଗା ଯାଇଥାଏ । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହିଆସିଛି ।
- ଶ୍ରୀଅଙ୍ଗ ଶୃଙ୍ଗାର ପାଇଁ ଶ୍ରୀମନ୍ଦିରରେ ହୋଇଥାଏ ଏହି ସବୁ ନୀତି:
ତେବେ ବନକ ଲାଗି, ପଇତା ଲାଗି ଓ ଚିତାଲାଗି ଆଦି ନୀତି ବିଶେଷତଃ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀମୁଖ ଓ ଶ୍ରୀଅଙ୍ଗ ଶୃଙ୍ଗାର ନୀତି ହୋଇଥାଏ । ଏହା ବିଶେଷ ତିଥିରେ ଅନୁଷ୍ଠିତ ହୁଏ । ଏହାକୁ ନିର୍ଦ୍ଦିଷ୍ଟ ସେବାୟତ ବର୍ଗ ସମ୍ପାଦନ କରିଥାନ୍ତି । ଏହି ନୀତି ବେଳେ କିଛି ଘଣ୍ଟା ପାଇଁ ସାମୟିକ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଏ । ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରଦ୍ଧାଳୁଙ୍କ ଅବଗତ ମଧ୍ୟ କରିଥାଏ ।
ଇଟିଭି ଭାରତ, ପୁରୀ