ଭୁବନେଶ୍ବର: ଓଡ଼ିଶାରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଆସନ୍ତା 1 ତାରିଖ ଶେଷ ପର୍ଯ୍ୟାୟର ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ 6 ଲୋକସଭା ଓ 42 ବିଧାନସଭା କ୍ଷେତ୍ର ରହିଛି । ମୟୂରଭଞ୍ଜ ବିଜେପି-ବିଜେଡି ଲଢେଇ ହେଉଥିଲେ ବି ବାକି ଆସନ ବିଜେଡିର ଗଡ଼ ହୋଇ ରହିଛି । ବାଲେଶ୍ଵର ଲୋକସଭା ବିଜେପି ଜିତିଥିଲେ ବିଧାନସଭାରେ ବିଜେଡିର ଅଧିକ ପ୍ରଭାବ ରହିଥିଲା । ଭଦ୍ରକ ଓ ବାଲେଶ୍ଵରରେ କଂଗ୍ରେସର ପ୍ରଭାବ ମଧ୍ୟ ରହିଛି । ତେଣୁ ତିନି ପ୍ରମୁଖ ଦଳର ନଜର ଶେଷ ପର୍ଯ୍ୟାୟର ନିର୍ବାଚନ ଉପରେ ରହିଛି । ଏହା କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।
ଆସନ୍ତା 1 ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଶେଷ ପର୍ଯ୍ୟାୟରେ 6 ଲୋକସଭା ଓ ଏହା ଅନ୍ତର୍ଗତ 42 ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମତଦାନ ହେବ । ଶେଷ ପର୍ଯ୍ୟାୟରେ ଥିବା ଏହି ଆସନ ଦଖଲ କରିବା ଲାଗି 3 ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି । ବିଜେଡି ଏହାକୁ ଚ୍ୟାଲେଞ୍ଜ ଆକାରରେ ନେଇଛି । ଯେଉଁଠି ଦଳର ବ୍ୟାକଫୁଟରେ ଅଛି ସେଠାରେ ନେତା ନିଯୁକ୍ତି ଦିଆଯାଉଛି । ନିର୍ବାଚନ ସରିଥିବା ଅଞ୍ଚଳର ନେତାଙ୍କୁ ନେଇ ସେହି ଅଞ୍ଚଳରେ ମୁତୟନ କରାଯାଉଛି । ପ୍ରତି ପଞ୍ଚାୟତରେ ବିଧାୟକଙ୍କୁ ଦାୟିତ୍ବ ଦେଇଛି ଦଳ । ନିମାପଡା, ଧାମନଗର, ଚାନ୍ଦବାଲି, କେନ୍ଦ୍ରାପଡା, କୋରେଇ, ବଡ଼ଚଣା, ବରୀ, ଭଣ୍ଡାରିପୋଖରୀ ଓ ମୟୂରଭଞ୍ଜର ଅଧିକାଂଶ ଆସନରେ ଦଳ ଏହି ନିଯୁକ୍ତି ଦେଇଛି ।
ଏହା ବି ପଢନ୍ତୁ- ‘ଓଡ଼ିଶାରେ ନୂଆ ସରକାର ପାଇଁ ଲୋକମାନଙ୍କ ଆଗ୍ରହ ପ୍ରକାଶ ପାଇଛି’
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, 24 ବର୍ଷ ହେଲା କ୍ଷମତାରେ ଥିଲେ ବି ବିଜେଡି ଗତ 3 ପର୍ଯ୍ୟାୟରେ ବିଧାନସଭାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଏହା ସୁଯୋଗ ବୋଲି ବିଜେପି ଭାବୁଛି । ବିଜେପିର ସବୁ କେନ୍ଦ୍ରୀୟ ନେତା ଓଡ଼ିଶା ମୁହାଁ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ବିଜେପିର ବଡ଼ ନେତା ପର୍ଯ୍ୟବେକ୍ଷକ ଭାବେ ଆସୁଛନ୍ତି । ଦଳର ଦୁର୍ଗ ହୋଇଥିଲେ ବି ଯେଉଁ ଅଞ୍ଚଳରେ ନିର୍ବାଚନ ଶେଷ ହୋଇଛି, ସେ ଅଞ୍ଚଳର ନେତାଙ୍କୁ ବିଜେଡି ପଠାଉଛି । ସଂସଦୀୟ, ବିଧାନସଭା ନୁହେଁ, ଅଞ୍ଚଳବାରି ନେତାଙ୍କୁ ବିଜେଡି ଦାୟିତ୍ବ ଦେଇଛି । ମୁଖ୍ୟମନ୍ତ୍ରୀ ଲୋକସଭା କ୍ଷେତ୍ରକୁ ଏକାଧିକ ଥର ପ୍ରଚାର କରିବା ଲାଗି ଯିବେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଦ୍ରକ ଓ ବାଲେଶ୍ଵର ଲୋକସଭା କ୍ଷେତ୍ର ଉପରେ କଂଗ୍ରେସ ଆଖେଇଛି । ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଜାତୀୟ ନେତା ମଧ୍ୟ ଓଡିଶା ଆସୁଛନ୍ତି । ଏହି ପର୍ଯ୍ୟାୟରେ ଦମଦାର ଲଢେଇ ଦେଖିବାକୁ ମିଳିବ । ବିଜେଡିର ମହିଳା ଭୋଟ ବ୍ୟାଙ୍କକୁ ଫଟେଇବା ଲାଗି ବିଜେପି ଉଦ୍ୟମ କରିଛି । ସ୍ଥାନୀୟ ସମସ୍ୟା, ସ୍ଥାନୀୟ ନେତା ଅନେକ ସ୍ଥାନରେ ପ୍ରସଙ୍ଗ ହୋଇଛି । ଯିଏ ଭଲ ଭାବେ ଏହାକୁ ମ୍ୟାନେଜ କରିପାରିବ ସେ ବିଜୟ ହେବ । ଏଥର ବହୁତ ନିକଟତର ପ୍ରତିଦ୍ବନ୍ଦ୍ବିତା ହେବ । କୌଣସି ଲୋକସଭା ଓ ବିଧାନସଭାରେ ବଡ଼ ବ୍ୟବଧାନରେ କେହି ଜିତିବେ ବୋଲି କହି ହେବନାହିଁ । ଲୋକସଭା ଓ ବିଧାନସଭାରେ ବିଜେଡି ଓ ବିଜେପିର ବ୍ୟବଧାନ କମିବ ।
ଇଟିଭି ଭାରତ, ଭୁବନେଶ୍ବର