ବାଲେଶ୍ବର: କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା । ଗୋଟିଏ ଅଭିଯୋଗର ତଦନ୍ତ କରିବାକୁ ଯାଇଥିଲା ପୋଲିସ ଆଉ ଗୋଟେ ଘଟଣାର ପାଇଲା ଟେର । ବଧୂ ନିର୍ଯାତନା ମାମଲାରେ ତଦନ୍ତ କରୁ କରୁ ପୋଲିସ ହାତରେ ଲାଗିଲା ବିପୁଳ ଅସ୍ତ୍ରଶସ୍ତ୍ର । ପାଞ୍ଚୋଟି ଏୟାର ଗନ, ୨୩ଟି ପାଲେଟ ବକ୍ସ, ୨୧ଟି କ୍ୟାଟ୍ରିଜ, 6ଟି ଫାଙ୍କା କ୍ୟାଟ୍ରିଜ, ବାଉଁଶ କାଠି ଓ ଲୁହାରେ ତିଆରି 6ଟି ତୀର ଓ ଦୁଇଟି ହରିଣ ଛାଲକୁ ଜବତ କରାଯାଇଛି । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଅଞ୍ଚଳରେ । ବଧୂ ନିର୍ଯାତନା ମାମଲାରେ ପୋଲିସ ଅଭିଯୁକ୍ତ ମୁକ୍ତି କୁମାର ରଣାକୁ ଗିରଫ କରିଛି ।
ଏହା ମଧ୍ୟ ପଢନ୍ତୁ-STFକୁ ବଡ ସଫଳତା: ବାଘ ଛାଲ ଜବତ, ଦଶପଲ୍ଲାରୁ ମିଳିଲା ବନ୍ୟପ୍ରାଣୀ ତସ୍କରି ରାଜ୍
ମିଳିଥିବା ସୂଚନା ଅନୁଯାୟୀ, ବାରବାଟୀ ଅଞ୍ଚଳର ମହିଳା ପ୍ରିୟଙ୍କା ରଣାଙ୍କୁ ତାଙ୍କ ସ୍ବାମୀ ମୁକ୍ତି କୁମାର ରଣା ଓ ପରିବାର ଲୋକେ ଅନେକ ସମୟରେ ଶାରୀରିକ ନିର୍ଯାତନା ଓ ମାନସିକ ନିର୍ଯାତନା ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ଗତ ବୁଧବାର ଥାନାର ଦ୍ବାରସ୍ଥ ହୋଇଥିଲେ ପ୍ରିୟଙ୍କା । ଟାଉନ ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା । ଗିରଫ ସମୟରେ ପୋଲିସ ତାଙ୍କ ଘରୁ ଏୟାର ଗନ, କ୍ୟାଟ୍ରିଜ ଓ ହରିଣ ଛାଲ ଜବତ କରାଯାଇଥିଲା ।
ଗୁରୁବାର ଅପରାହ୍ନରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଅଞ୍ଚଳର ମହିଳା ପ୍ରିୟଙ୍କା ରଣା ୨୭ତାରିଖ ପୂର୍ବାହ୍ନରେ ଥାନାକୁ ଆସିଥିଲେ । ତାଙ୍କ ସ୍ୱାମୀ ମୁକ୍ତି କୁମାର ରଣା ଓ ତାଙ୍କର ଶ୍ୱଶୁର ଘର ଲୋକ ମାନେ ତାଙ୍କୁ ଶାରୀରିକ ନିର୍ଯାତନା ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ସେ ଅଭିଯୋଗ କରିଥିଲେ । ଏପରିକି ତାଙ୍କ ସ୍ୱାମୀ ମୁକ୍ତି କୁମାର ରଣା ତାଙ୍କୁ ଉତ୍ତେଜିତ ହୋଇ କଥା କଥା କେ ମୁଣ୍ଡରେ ବନ୍ଧୁକ ରଖି ହତ୍ୟା କରିବାର ଧମକ ଦେଉଥିବା ସେ କହିଥିଲେ । ପୋଲିସ ଏନେଇ ୧୦୯/୨୪ଏତଲା ମୂଳେ ୪୯୮(ଏ), ୨୯୪,୩୨୩, ୩୫୪, ୩୦୭, ୪୨୭, ୫୦୬ଏବଂ ୩୪ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ଭୋର ସମୟରେ ପୋଲିସ ଏହି ଘଟଣାରେ ମୁକ୍ତି କୁମାରଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ଏୟାର ଗନ, ତୀର, ହରିଣ ଛାଲ, କାଟ୍ରିଜ ଓ ପାଲେଟ ଆଦି ଜବତ କରିଛି । ଅଭିଯୁକ୍ତ ନାମରେ ପୂର୍ବରୁ କିଛି ଅପରାଧିକ ମାମଲା ଥାନା କିମ୍ବା ବନ ବିଭାଗ ନିକଟରେ ଅଛି କି ନାହିଁ ଓ ହରିଣ ଚମଡା କେଉଁଠୁ ଆସିଲା ତା ଉପରେ ଖୋଳ ତାଡ଼ ଚାଲିଛି । ''
ଇଟିଭି ଭାରତ, ବାଲେଶ୍ବର