ସମ୍ବଲପୁର: ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ଘଟଣାର ପର୍ଦ୍ଦାଫାସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ଏହି ବୋମାମାଡ଼ । ମୁ୍ଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସମ୍ବଲପୁର ପୋଲିସ । ତେବେ ଅଭିଯୁକ୍ତ ଜଣକ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ବଜାରର ସୁନାରୀ ପଡା ଅଞ୍ଚଳ ଅଭିଳାଷ ମିଶ୍ର ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି l ଏଥିସହ ଅଭିଯୁକ୍ତ ଘରୁ ବୋମା ତିଆରି ସାମଗ୍ରୀ ଜବତ ହୋଇଛି l
ଅନ୍ୟପଟେ ଏହି ଘଟଣାରେ କୌଣସି ସାମ୍ପ୍ରଦାୟିକ ମାମଲା ନଥିବା ବେଳେ ଅଭିଯୁକ୍ତ ନିଜେ ବୋମା ତିଆରି କରିଥିବା ଏସପି କହିଛନ୍ତି l ତେବେ ସମ୍ବଲପୁର ଏସପିଙ୍କ ସୂଚନା ମୁତାବକ, ଅଭିଳାଷ ନିଜ ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ଏହି ବୋମାମାଡ଼ କରିଥିଲା । ସୁଶିଲ ପାଇକା ନାମକ ଜଣେ ବ୍ୟକ୍ତି ଅଭିଳାଷଙ୍କ ବାପାଙ୍କୁ ଅପମାନିତ କରିଥିଲା । ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ବୋମାମାଡ ହୋଇଥିଲା । ସୁଶୀଲ ପାଇକା ଇନଷ୍ଟଗ୍ରାମରେ "ମେମ୍ବର ଅଫ ସମ୍ବଲପୁର ମାଫିଆ ଗ୍ୟାଙ୍ଗ" ନାମରେ ଆକାଉଣ୍ଟ ଖୋଲିଛି l ତେଣୁ ଅଭିଳାଷ ଵମ ତିଆରି କରି ବମ ଉପରେ ସମ୍ବଲପୁର ମାଫିଆ ଗ୍ୟାଙ୍ଗର ନାମ ଲେଖି ଏହି ବୋମାମାଡ଼ କରି ପରୋକ୍ଷରେ ସୁଶୀଲ ପାଇକାକୁ ଫସାଇବାକୁ ଚେଷ୍ଟା କରିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି l
ଏହା ମଧ୍ୟ ପଢନ୍ତୁ-ଅଶାନ୍ତ ହେଲା ସମ୍ବଲପୁର, ଧର୍ମ ଅନୁଷ୍ଠାନ ସମ୍ମୁଖରେ ବୋମା ମାଡ଼
ଏହା ମଧ୍ୟ ପଢନ୍ତୁ- କୂଅରୁ ପାଣି ଉଠାଇବାକୁ କେନ୍ଦ୍ର କରି ଗାଁରେ ବୋମାମାଡ଼
ପ୍ରକାଶ ଥାଉକି, ଗତ ୨୬ ତାରିଖ ସନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟରେ ଏକ ଧର୍ମ ଅନୁଷ୍ଠାନ ସମ୍ମୁଖକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ । ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ 3 ଜଣ ବ୍ୟକ୍ତି ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାସହ ବୋମାମାଡ଼ ଫଳରେ ବୋମା ଏକ ବୁଲେଟ୍ ଉପରେ ପଡ଼ିବା ଦ୍ବାରା ବୋମା ମାଡ଼ରେ ଗାଡିର ପଛ ସିଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେପଟେ ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ସମ୍ବଲପୁର