ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶପଥ ନେବା ପୂର୍ବରୁ ପିଏ ଚନ୍ଦନଙ୍କ ମୃତ୍ୟୁ ଘଟଣା । ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଗିରଫ । ସାଙ୍ଗଠୁ ଗାଡି ମାଗିକି ଆଣି ଚଲାଇବା ବେଳେ ଧକ୍କା ଦେଇଥିଲା ଅଭିଯୁକ୍ତ ଡ୍ରାଇଭର । ହିଟ୍ ରନ କେସରେ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସନ୍ତୋଷ କୁମାର ସ୍ବାଇଁ ଘର ନୟାପଲ୍ଲୀ ବଡ଼ ସାହିରେ ବୋଲି ଜଣାପଡ଼ିଛି । ଯିଏକି ପାସପୋର୍ଟ ଅଫିସ ପାଖରେ ଦଲାଲ ଭାବେ କାର୍ଯ୍ୟ କରେ ।
ସୂଚନା ଯୋଗ୍ୟ, ଦୁର୍ଘଟଣା ଘଟାଇ ଫେରାର ଥିଲା ସନ୍ତୋଷ । ଦୁଇ ଜଣଙ୍କର ଗାଡ଼ିକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଆଉ ସେହି ଗାଡି ଧକ୍କାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ପିଏ ଭାବେ କାମ କରୁଥିବା ଚନ୍ଦନ ମହାପାତ୍ରଙ୍କ ଅକାଳ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ପାଇଁ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ନେଇ ଖବର ପାଇ ଖୁସିରେ ତାଙ୍କ କ୍ବାଟରକୁ ଦେଖା କରିବାକୁ ଯାଉଥିଲା ସେ । ହେଲେ ବାଟରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଚନ୍ଦନ ।
ରାଜଧାନୀର ତମାଣ୍ଡୋ ସ୍ଥିତ ନିଜ ଘରୁ ଏଜି ଛକ ଯିବା ବାଟରେ ଯିବା ଡେଲଟା ଛକ ପାଖ ଜଳେଶ୍ବର ମନ୍ଦିର ପାଖରେ ତାଙ୍କ ବାଇକକୁ ରଙ୍ଗ ରୁଟରେ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ପଡ଼ିବା ପରେ କାର ଚାଳକ ଆଉ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା । ପରେ ସେଠାରୁ ଛାଡ଼ି ସେ ପାଳାଇଥିଲା । ହେଲେ ଦୁର୍ଘଟଣାରେ ସବୁଠୁ ଅଧିକ ଚନ୍ଦନଙ୍କୁ ଆଘାତ ଲାଗିଥିଲା । ସେଠାରେ ସେ ରକ୍ତ ଜୁଡୁବୁଡ ଅବସ୍ଥାରେ ଛଟପଟ ହେଉଥିଲା । ବଞ୍ଚିଥିଲେ ସୁଧା ମୁଣ୍ଡରେ ଶକ୍ତ ଆଘାତ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା । ଶେଷରେ ଡାକ୍ତର ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ୬ ଦିନ ଧରି ଫେରାର ଥିବା ଅଭିଯୁକ୍ତ ସନ୍ତୋଷ କୁମାର ସ୍ବାଇଁକୁ ଗିରଫ କରିଛି କମିଶନରେଟ ପୋଲିସ । ୨୭୯, ୩୩୭, ୩୩୮, ୩୦୪ ଏରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ତେବେ ଦୁର୍ଘଟଣାରେ ପ୍ରାଣ ହରାଇବା ଥିବା ଚନ୍ଦନ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଘରେ ସ୍ତ୍ରୀ ଓ ଛୋଟ ପୁଅଙ୍କୁ ଏକା କରି ଚାଲିଗଲେ ସେ । ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ ଘୋଷଣା ହେବା ପୂର୍ବରୁ ବିଧାୟକ ମୋହନ ମାଝୀ ଧାଇଁ ଆସିଥିଲେ କ୍ୟାପିଟାଲ ହସ୍ପିଟାଲକୁ । ହେଲେ ନିରବ ଓ ନିସ୍ତବ୍ଧ ଚନ୍ଦନକୁ ପୋଷ୍ଟମର୍ଟମ ଓ୍ବାର୍ଡର ଦେଖି ଭାଙ୍ଗି ପଡ଼ିଥିଲେ ମୋହନ ।
ଇଟିଭି ଭାରତ, ଭୁବନେଶ୍ବର