ନବରଙ୍ଗପୁର: ରକ୍ଷକ ସାଜିଲା ଭକ୍ଷକ । ଡକାୟତି ଘଟଣାରେ ଜଡିତ ଅଭିଯୋଗରେ ଗିରଫ ହେଲେ ପୋଲିସ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ । କୋରାପୁଟରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ସୋନୁ ଯାନିଙ୍କ ସମେତ ଗିରଫ ହେଲେ 13 ଅଭିଯୁକ୍ତ । ଏନେଇ ନବରଙ୍ଗପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ନବରଙ୍ଗପୁର ଏସପି ରୋହିତ ବର୍ମା ।
ନବରଙ୍ଗପୁର ଏସପି ରୋହିତ ବର୍ମା ଦେଇଥିବା ସୂଚନା ଅନୁସାରେ, ଗତ ମେ' ୧୪ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ନେତା ସୁନୀଲ ସାହୁଙ୍କ ଡଙ୍ଗରଭେଜା ସ୍ଥିତ ପୈତୃକ ବାସଭବନରେ ତାଲା ଭାଙ୍ଗି 8 ଜଣ ଦୁର୍ବୃତ୍ତ ଘର ଭିତରକୁ ପଶିଥିଲେ । ସୁନୀଲଙ୍କ ଘରେ ଭଡାରେ ଥିବା ରୋହିତ ବେହେରା ଓ ତାଙ୍କ ପତ୍ନୀଙ୍କୁ ବନ୍ଧୁକ ମୁନରେ ଧମକ ଦେଇ ସୁନା ଗହଣା ଅଳଙ୍କାର ଓ କିଛି ଟଙ୍କା ଲୁଟ କରି ନେଇଥିଲେ । ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଏତଲା ଦାୟର ହୋଇଥିଲା । ଏତଲା ଆଧାରରେ ପୋଲିସ ମାମଲାକୁ ଗୁରତର ସହ ନେଇ ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଓ ନବରଙ୍ଗପୁର ଥାନାଧିକାରୀଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ ଗଠନ କରି ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ସେଥିମଧ୍ୟରୁ ୧୧ ଜଣ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ହୋଇଥିବାବେଳେ ୨ଜଣ ନବରଙ୍ଗପୁର ଜିଲ୍ଲାର ରହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଗ୍ୟାଙ୍ଗରେ ଜଣେ ପୋଲିସ କନେଷ୍ଟବଳ ସାମିଲ ଅଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ଥାନା ଅନ୍ତର୍ଗତ ତଳସାହିର ଶିବ ଶଙ୍କର ହରିଜନ, ତେଲିଆର ବିକାଶ ହରିଜନ, ହାଟପଦା ସାହିର ସଞ୍ଜୟ ବେନିଆ ଓ ବୀରେନ୍ଦ୍ର ଟାକ୍ରି , ଜୟପୁର ଖ୍ରୀଷ୍ଟିଆନ ପେଟା ସାହି ପଞ୍ଚମ ଲାଇନର ଆକବର ଗରଡ଼ା, କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଭୁସଙ୍ଗଗୁଡାର ଆନନ୍ଦ ହରିଜନ, ସିଙ୍ଗପୁର ଥାନା ଅନ୍ତର୍ଗତ ବୋଡିଗାଁର ସୋନୁ ଯାନି, ନବରଙ୍ଗପୁର ସହର ସେନାପତି ସାହିର ଜନ ଯତୀନ ସୁନା, ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମରାଳି ଗ୍ରାମର ବିରଞ୍ଚି ମହାନନ୍ଦିଆ, ଜୟପୁର ଥାନା ଅନ୍ତର୍ଗତ ମୁନିଗୁଡା ଗ୍ରାମର ସୁଶାନ୍ତ କନ୍ଧପାନ, ହାଟପଦା ସାହିର ମୋହନ ସାଗର ଓ ଭୁପତି ସାହିର ଏଲ ଅଶୋକ କୁମାର । ସେମାନଙ୍କଠାରୁ ୨୮.୪ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା, ତିନୋଟି ବାଇକ, 2ଟି ଖେଳନା ବନ୍ଧୁକ, 2ଟି ଛୁରୀ, ଫେସ ମାସ୍କ, ଆଇରନ ରଡ଼, ୧୨ଟି ମୋବାଇଲ ଫୋନ ଜବତ ହୋଇଛି । ଡକାୟତଙ୍କ ମଧ୍ୟରେ ଜଣେ ସୁନାରୀ ରହିଥିବା ସୂଚନା ରହିଛି ।
ଇଟିଭି ଭାରତ, ନବରଙ୍ଗପୁର