ବୌଦ୍ଧ: ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି (ଶୁକ୍ରବାର) ଦିନ ବୌଦ୍ଧ ଜିଲ୍ଲା ଗସ୍ତରେ ଦକ୍ଷିଣାଞ୍ଚଳ ଆଇଜି । ସାଧାରଣ ନିର୍ବାଚନରେ ଅସ୍ଥିରତା ସୃଷ୍ଟି ପାଇଁ ଲାଲ୍ ବାହିନୀର ସମସ୍ତ ଉଦ୍ୟମକୁ ଯେକୌଣସି ପରିସ୍ଥିତିରେ ପ୍ରତିହତ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।
ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ । ବୌଦ୍ଧ-କନ୍ଧମାଳ ସୀମାନ୍ତ ଅଞ୍ଚଳରେ ସକ୍ରିୟ ଲାଲ୍ ବାହିନୀ । ବିଗତ କିଛି ମାସ ମଧ୍ୟରେ ଅନେକ ଥର ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ପ୍ରତ୍ୟେକ ଥର ଲାଲ୍ ବାହିନୀ ଛତ୍ରଭଙ୍ଗ ଦେଇଛନ୍ତି । ଏସବୁ ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ, ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ ଦୁଇ ଦୁଇଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢେଲ ଡ଼୍ୟାମ ନିକଟରେ ଥିବା ଜଙ୍ଗଲ ଅଞ୍ଚଳରେ ଗତକାଲି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେଠାରେ ଥିବା ପ୍ରାୟ ଚାଳିଶରୁ ଉର୍ଦ୍ଧ୍ବ ମାଓବାଦୀ ଛତ୍ରଭଙ୍ଗ ଦେଇଥିବାବେଳେ ସୁରକ୍ଷା କର୍ମୀଙ୍କ କୁମ୍ବିଂ ଅପରେଶନରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିଲା । ମୃତ ଉଭୟ ମାଓବାଦୀ ଛତିଶଗଡ଼ର ହୋଇଥିବାବେଳେ ଉକ୍ତ ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରାଯାଇଥିଲା ।
ଆଜି ଉଭୟ ମାଓବାଦୀଙ୍କ ମୃତଦେହକୁ ବୌଦ୍ଧ ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି । ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ପୋଲିସ ଗୁଇନ୍ଦା ଏଡିଜି ବୌଦ୍ଧରେ ପହଞ୍ଚିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଲାଲ୍ ବାହିନୀ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାରୁ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହାସହ ଏଡିଜି ପୁଣିଥରେ ମାଓବାଦୀଙ୍କୁ ହିଂସା ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆହ୍ବାନ ଦେଇଥିଲେ । ଏହି ସମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ଏଡିଜି, ବୌଦ୍ଧ ଏସପି ଓ କନ୍ଧମାଳ ଏସପି ମଧ୍ୟ ସାମିଲ ହୋଇଥିଲେ ।
ଇଟିଭି ଭାରତ, ବୌଦ୍ଧ