ନବରଙ୍ଗପୁର: ଲୋ ଭୋଲଟେଜ ସମସ୍ୟା ନେଇ ଅଭିନବ ପ୍ରତିବାଦ । ନବରଙ୍ଗପୁର ଜିଲ୍ଲା ଟାଟା ପାୱାର କାର୍ଯ୍ୟାଳୟ ଘେରାଉ ସହିତ ବିଛଣା ପକାଇ ଶୋଇଲେ ବଣିକ ସଂଘ ସଭାପତି ଓ ସ୍ଥାନୀୟ ଯୁବକ । ଏଥିସହ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେନି ବୋଲି ଦେଲେ ଚେତାବନୀ ।
ତେବେ ଉପଭୋକ୍ତାଙ୍କୁ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇବା ଲକ୍ଷ୍ୟରେ ସରକାର ଟାଟା ପାଓ୍ବାର ଉପରେ ଦାୟିତ୍ଵ ନ୍ୟସ୍ତ କରିଥିଲେ । କିନ୍ତୁ ବର୍ତ୍ତମାନ ଟାଟା ପାୱାରର ଦୌରାତ୍ମ୍ୟରେ ଅତିଷ୍ଠ ବିଦ୍ୟୁତ ଉପଭୋକ୍ତା । ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ନବରଙ୍ଗପୁର ସହରରେ ଲୋ ଭୋଲଟେଜ ସମସ୍ୟା ବୃଦ୍ଧି ପାଉଛି । ଏନେଇ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ସେହିପରି ସହର ମଧ୍ୟରେ ଲାଗିଥିବା ସ୍ମାର୍ଟ ମିଟର ଗୁଡିକରେ ମଧ୍ୟ ବ୍ୟାପକ ସମସ୍ୟା ଦେଖା ଦେଉଛି । ଏହା ସହ ତ୍ରୁଟି ପୂର୍ଣ୍ଣ ବିଲକୁ ନେଇ ଦୃଢ଼ ପ୍ରତିବାଦ ଜଣାଇଛନ୍ତି ସହରବାସୀ ।
ଏହା ମଧ୍ୟ ପଡନ୍ତୁ-ସୁଧୁରିନି ବିଦ୍ୟୁତ ସମସ୍ୟା, ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ
ତେବେ ଲୋ ଭୋଲଟେଜ ସମସ୍ୟା ସହ ତ୍ରୁଟି ପୂର୍ଣ୍ଣ ବିଦ୍ୟୁତ ବିଲ ଓ ସ୍ମାର୍ଟ ମିଟରକୁ ନେଇ ଅତିଷ୍ଠ ହୋଇ ପ୍ରତିବାଦ ସ୍ବରୂପ ଜିଲ୍ଲା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରିଛନ୍ତି ବଣିକ ସଙ୍ଘ ସଭାପତି କାହ୍ନୁ ଦାଶ ଏବଂ ସ୍ଥାନୀୟ କିଛି ଯୁବକ । ଏଥିସହ କାର୍ଯ୍ୟାଳୟରେ ପହଞ୍ଚି ବିଦ୍ୟୁତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ସାକ୍ଷାତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତି ଥିବାରୁ ପ୍ରତିବାଦ ସ୍ବରୂପ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିଛଣା ପକାଇ ଶୋଇଥିଲେ । ଏହି ପ୍ରତିବାଦକୁ ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ମଧ୍ୟ ସମର୍ଥନ କରି ପ୍ରତିବାଦରେ ସାମିଲ ହୋଇଥିଲେ । ତେବେ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେନି ବୋଲି ଚେତାବନୀ ଦେଇଥିଲେ । ଏନେଇ ଟାଟା ପାଓ୍ବାର ନବରଙ୍ଗପୁର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଆଶିଷ ସାହୁ ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ କରିଥିଲେ ବଣିକ ସଂଘ ସଭାପତି , ସ୍ଥାନୀୟ ଯୁବକ , ବ୍ୟବସାୟୀ ଓ ବିଦ୍ୟୁତ ଉପଭୋକ୍ତା ।
ଇଟିଭି ଭାରତ,ନବରଙ୍ଗପୁର