ରାଉରକେଲା: ରାଜ୍ୟରେ ଆଚମ୍ବିତ କଲା ଭଳି ଜନାଦେଶ । ଯାହା ରାଜ୍ୟର ତଥା ଦେଶରେ ଚହଳ ପକାଇଛି । ଓଡିଶାର ରାଜନୀତିକୁ ସମ୍ପୂର୍ଣ୍ଣ ଭାବରେ ଏଥର ବଦଳାଇ ଦେଇଛନ୍ତି ଜନତା । 24 ବର୍ଷର ବିଜେଡି ସରକାରଙ୍କୁ ପରିବର୍ତ୍ତନ କରି ରାଜ୍ୟରେ ନୂଆ ସରକାର ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ରାଜ୍ୟରେ ବିଜେପି ସରକାର ଶପଥ ନେବାକୁ ପ୍ରସ୍ତୁତ ଚଳାଇଥିବା ବେଳେ ଏବେ ବିଜେଡି ସରକାର କରିଥିବା ଯୋଜନା ଗୁଡିକକୁ ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏହି ଯୋଜନାମାନ ସାଧାରଣ ଲୋକଙ୍କ ପାଇଁ ହୋଇଥିବା ବେଳେ ଲୋକେ ବେଶ ଉପକୃତ ହେଉଥିଲେ । ହେଲେ ଏବେ ନୂଆ ସରକାର ପରେ ପୂର୍ବ ଯୋଜନା କିପରି କାର୍ଯ୍ୟକାରୀ ହେବ । ଲୋକେ କିପରି ଭାବରେ ଉପକୃତ ପାଇବେ ତାକୁ ନେଇ ଚିନ୍ତାରେ ଲୋକେ ।
ରାଉରକେଲା ସହରର ଆହାର କେନ୍ଦ୍ରରେ ଗରିବ ମଧ୍ୟବିତ୍ତ ପରିବାର ଲୋକଙ୍କ ସହ ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ଆମ ପ୍ରତିନିଧି । ୨୪ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ବିଜେଡି ସରକାର ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଅନେକ ଯୋଜନାମାନ କରିଥିଲେ ବୋଲି କହିଛନ୍ତି ଲୋକେ । ମୋ ବସ, ଲକ୍ଷ୍ମୀ ବସ ଯୋଜନା ହେଉ ବା ଆହାର ଯୋଜନା ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(BSKY) ଏହି ସମସ୍ତ ଯୋଜନାରୁ ଓଡ଼ିଶାବାସୀ ବେଶ ଉପକୃତ ହେଉଥିବା ବେଳେ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଲୋକେ । ବିଜେପି ସରକାର ସେସବୁ ଯୋଜନାକୁ ଚାଲୁ ରଖିବେ ନା ବନ୍ଦ କରିଦେବେ । ତାକୁ ନେଇ ଲୋକଙ୍କ ମନରେ ବୃଦ୍ଧି ପାଇଲାଣି ସନ୍ଦେହ ।
ତେବେ ରାଉରକେଲାର ଜନ ସାଧାରଣ କିନ୍ତୁ ଏହି ସମସ୍ତ ଯୋଜନାକୁ ବନ୍ଦ ନ କରିବାକୁ ଦାବି କରିଛନ୍ତି । ଲୋକେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆହାର ଯୋଜନା ଯୋଗୁଁ ଲୋକେ ବିଭିନ୍ନ ଦୂର ଦୂରାନ୍ତରୁ ଆସି ଅନ୍ୟାନ୍ୟ କାମ କରୁଛନ୍ତି । ଆହାର ଯୋଜନା ଯୋଗୁଁ କେବଳ 5 ଟଙ୍କାରେ ଖାଦ୍ୟ ପାଇ ପାରୁଥିଲୁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁଁ ଗରିବ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇ ପାରୁଥିଲୁ । ବର୍ତ୍ତମାନ ବିଜେପି ସରକାର ଏହି ଜନ କଲ୍ୟାଣକାରୀ ଯୋଜନାକୁ ବନ୍ଦ କରନ୍ତୁ ନାହିଁ । ନଚେତ ଗରିବ ଲୋକେ ବହୁ ମାତ୍ରାରେ ହନ୍ତସନ୍ତ ହେବେ ।
ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ମୋ ବସ ଏବଂ ଲକ୍ଷ୍ମୀ ବସ ଯୋଜନା ବନ୍ଦ ହୁଏ । ତେବେ ଲୋକେ ବହୁ ହଇରାଣ ହେବେ । ରାଜ୍ୟରେ ବସ ପରିବହନ ହେଉ ବା ଆହାର ଖାଦ୍ୟ ବା ସ୍ୱାସ୍ଥ୍ୟ ଯୋଜନା କିଛି ବନ୍ଦ ହେବା କଥା ନୁହେଁ । ସରକାର ଯିଏ ମଧ୍ୟ ହେଉ ଲୋକଙ୍କ ପାଇଁ ପ୍ରଥମେ ଭାବିବା କଥା କୌଣସି ଯୋଜନା ବନ୍ଦ କରିବା ପୂର୍ବରୁ ଲୋକଙ୍କ ସମ୍ପର୍କରେ ଭାବିବା କରିବା ଜରୁରୀ ।
ଇଟିଭି ଭାରତ, ରାଉରକେଲା