ବାଲେଶ୍ବର: ଅଙ୍ଗଦାନ କରି ଅମର ହେଲେ ୨୧ ମାସର ଶିଶୁ । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଦେବେନ୍ଦ୍ରପୁର ଗ୍ରାମର ୨୧ ମାସର ଜଣେ ଶିଶୁ ଅଙ୍ଗଦାନ କରି ସେ ସବୁଦିନ ଅମର ହୋଇଯାଇଛନ୍ତି । ଏତେ କୁନି ବୟସର ଶିଶୁର ଅଙ୍ଗଦାନ କରିବାର ଯେଉଁ ନିଷ୍ପତ୍ତି ତାଙ୍କ ଅଭିଭାବକ ନେଇଛନ୍ତି, ଏଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ସେମାନେ ପ୍ରଶଂସା ସାଉଁଟିଛନ୍ତି । ତେବେ ଶିଶୁ ଜଣଙ୍କର ପାର୍ଥିବ ଶରୀର ଆଜି ଗ୍ରାମରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ସରକାରୀସ୍ତରରେ ମୃତ ଶିଶୁଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।
ସୂଚନା ଅନୁସାରେ, ଦେବେନ୍ଦ୍ରପୁର ଗ୍ରାମର ଗୌରୀଶଙ୍କର ପାଣିଗ୍ରାହୀ ଏବଂ ଶର୍ମିଷ୍ଠା ପାଣିଗ୍ରାହୀଙ୍କ ପୁତ୍ର ହେଉଛନ୍ତି ପ୍ରତ୍ୟୁଷ । ଅତି କମ ବୟସରେ, କେବଳ ୨୧ ମାସ ବୟସରେ ପ୍ରତ୍ୟୁଷଙ୍କ ଶରୀରରେ ଇନଫେକ୍ସନ ହୋଇଯାଇଥିଲା । ପୁଅକୁ କିପରି ଭଲ କରିବେ, ସେନେଇ ସବୁବେଳେ ଚିନ୍ତାରେ ରହୁଥିଲେ ଗୌରୀଶଙ୍କର ଏବଂ ଶର୍ମିଷ୍ଠା । ବିଭିନ୍ନ ଆଡ଼େ ଡାକ୍ତର ଦେଖାଇବା ସହ ପ୍ରତ୍ୟୁଷଙ୍କୁ ନେଇ ଉତ୍ତମ ଚିକିତ୍ସା ଦେବା ପାଇଁ ଚେଷ୍ଟା କରିଥିଲେ ତାଙ୍କ ବାପା ମାଆ । ସଂକ୍ରମଣଜନିତ ରୋଗରୁ ମୁକ୍ତି ପାଇଁ ଯେଉଁ ଔଷଧ ଦିଆଯାଇଥିଲା, ପ୍ରତ୍ୟୁଷଙ୍କ ଉପରେ ତାହା ଓଲଟା ପ୍ରଭାବ ପକାଇଥିଲା । ବ୍ରେନ୍ କାମ କରୁନଥିବାବେଳେ ଏଥିପାଇଁ ଫରେନ୍ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଅମର କୁନି ପୁଅ ସୁବୋଜିତ, ବ୍ରେନ ଡେଡ୍ ପରେ ଅଙ୍ଗ ଦାନ କଲା ପରିବାର
ହେଲେ ରବିବାର ପ୍ରତ୍ୟୁଷଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅର ସ୍ମୃତି ସବୁଦିନ ଉଜ୍ଜୀବିତ ରଖିବା ପାଇଁ ବାପା ମାଆ ପୁଅର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ପରେ ପ୍ରତ୍ୟୁଷଙ୍କ ଲିଭର ଦିଲ୍ଲୀର ଜଣେ ଶିଶୁଙ୍କ ଠାରେ ଏବଂ ଚେନ୍ନାଇର ଜଣେ ଶିଶୁ ନିକଟରେ ପ୍ରତ୍ୟୁଷଙ୍କ ହାର୍ଟ ପ୍ରତିରୋପଣ କରାଯଇଛି । ଗୌରୀଶଙ୍କର ପାଣିଗ୍ରାହୀ ଏବଂ ଶର୍ମିଷ୍ଠା ପାଣିଗ୍ରାହୀଙ୍କ ଏହି ମହାନ ନିଷ୍ପତ୍ତି ପାଇଁ ପ୍ରତ୍ୟୁଷ ସବୁଦିନ ପାଇଁ ସଭିଙ୍କ ହୃଦୟରେ ଜୀବିତ ରହିବେ ।
ଇଟିଭି ଭାରତ, ବାଲେଶ୍ବର