ନୟାଗଡ଼: ପୁଣି ଚର୍ଚ୍ଚାକୁ ଆସିଛି ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ । ଘରୋଇ ଟ୍ୟୁସନକୁ ନଯିବାରୁ କଲେଜରେ ଛାତ୍ରୀଙ୍କ ମାର୍କ କାଟ୍ ଅଭିଯୋଗ ଆଣିଛନ୍ତି ଜଣେ ଅଭିଭାବକ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି +3 ପ୍ରଥମ ବର୍ଷର ଛାତ୍ରଛାତ୍ରୀ । ଘରୋଇ ଟ୍ୟୁସନକୁ ଯାଉଥିବା କଲେଜ ଅଧ୍ୟାପକ-ଅଧ୍ୟାପିକାଙ୍କ କଥା ନ ମାନିଲେ ଜାଣିଶୁଣି ନମ୍ବର କାଟି ଦିଆଯାଉଥିବା ସେମାନେ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଭାବକ ପକ୍ଷରୁ ଅଭିଯୋଗ କରାଯାଇଛି ।
ସୂଚନାଯୋଗ୍ୟ, ଯୁକ୍ତ ତିନି ପ୍ରଥମ ବର୍ଷ କମ୍ପ୍ୟୁଟର ବିଭାଗର ଜଣେ ଛାତ୍ରଙ୍କ ଅଭିଯୋଗ ମୁତାବକ, ମୂଲ୍ୟାୟନ ପାଇଁ ବାହାର କଲେଜକୁ ଯାଉଥିବା ଥିଓରୀ ଖାତାରେ ୯୦ ପ୍ରତିଶତ ନମ୍ବର ରଖିଛନ୍ତି ସେ, ମାତ୍ର ନିଜ କଲେଜରେ ମୂଲ୍ୟାୟନ ହୋଇଥିବା ପ୍ରାକ୍ଟିକାଲ ଓ ଇଣ୍ଟରନାଲ୍ ଖାତାରେ ଖୁବ୍ କମ୍ ନମ୍ବର ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ଛାତ୍ରୀ ଜଣକ । କେବଳ ଜଣେ ଛାତ୍ରଙ୍କ କ୍ଷେତ୍ରରେ ଏପରି ଘଟି ନାହିଁ, କଲେଜର ଅଧିକାଂଶ ଛାତ୍ରଛାତ୍ରୀ ଏମିତି ବେଆଇନ କାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନକୁ ନୟାଗଡ଼ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ମାନୁନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି ।
ସେପଟେ କଲେଜ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ସ୍ବୀକାର କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଘରୋଇ କୋଚିଂ ସେଣ୍ଟରକୁ ନ ଯିବା ପାଇଁ ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କଠାରୁ ଏକ ଲିଖିତନାମା ରଖାଯାଉଛି । ତଥାପି ଛାତ୍ରଛାତ୍ରୀଙ୍କ ଏହି ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ଘଟଣାର ଅନୁସନ୍ଧାନ କରାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି । ଯଦି ଅଭିଯୋଗରେ ସତ୍ୟତା ଥାଏ । ତେବେ ନିଶ୍ଚିତ ଭାବେ ନିୟମ ଉଲ୍ଲଘଂନକାରୀ ଅଧ୍ୟାପକ-ଅଧ୍ୟାପିକାଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ସେହିପରି ଘରୋଇ ଟ୍ୟୁସନ ନ ଗଲେ ନମ୍ବର କାଟ୍ ଅଭିଯୋଗର ସତ୍ୟସତ୍ୟା କେତେ ରହିଛି । ଜଣେ ଅଭିଭାବକ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ 7 ଦିନ ମଧ୍ୟରେ ଶେଷ କରିବା ପାଇଁ କଲେଜ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ନୟାଗଡ଼