କଟକ: ଆଉ ନାହାନ୍ତି ମାନବସେବୀ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । 70ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଗତ ୧୮ ତାରିଖରୁ ଅସୁସ୍ଥତା କାରଣରୁ କଟକ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ଆଜି (ଶନିବାର) ସକାଳେ ତାଙ୍କର ହୃଦଘାତ ଘଟିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ । ଅନ୍ୟପଟେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କମଳା ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏସସିବି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ 4 ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ତାଙ୍କ ଚିକିତ୍ସା ପାଇଁ ମେଡିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡିସିନ ବିଭାଗର 4ଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ହେଲେ ଆଜି ସକାଳେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
ଜୈବିକ କୃଷି ପ୍ରଣାଳୀ ଦେଇଥିଲା ପରିଚୟ: କୋରାପୁଟ ଜିଲ୍ଲାର ଏକ ଛୋଟ ଅଖ୍ୟାତ ଗ୍ରାମ ପାତ୍ରପୁଟ ଗାଁରେ ଜୈବିକ ପଦ୍ଧତିରେ ପାରମ୍ପରିକ ଚାଷବାସ କରି ଚର୍ଚ୍ଚାକୁ ଆସିଥିଲେ ଆଦିବାସୀ ମହିଳା କମଳା ପୂଜାରୀ । ମାନବସେବାର ଅଦ୍ୱିତୀୟ ପ୍ରତିଭା ଥିଲେ ସେ । ଅପରାହ୍ନ ବୟସରେ ମଧ୍ୟ ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ଅହରହ କାର୍ଯ୍ୟରତ ଥିଲେ । ବିଭିନ୍ନ କିସମର ଦେଶୀ ଧାନ ବିହନ ସଂରକ୍ଷଣ ଦ୍ଵାରା ପାରମ୍ପରିକ ବିହନର ସୁରକ୍ଷା ଦିଗରେ ସେ କାର୍ଯ୍ୟ କରୁଥିଲେ । ପାଖାପାଖି ୩୦୦ ପ୍ରକାର ଦେଶୀ ଧାନ ସଂରକ୍ଷଣ କରିଥିଲେ କମଳା ପୂଜାରୀ ।
ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଅନେକ ସମ୍ମାନରେ ହୋଇଥିଲେ ସମ୍ମାନୀତ: କୃଷି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସ୍ଥାନୀୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମଞ୍ଚରେ ଅନେକ ଥର ପୁରସ୍କୃତ ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । 2002 ମସିହାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରମ୍ପରିକ ଓ ଜୈବିକ ଚାଷ ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିବାର ସୁଯୋଗ ପାଇଥିଲେ କମଳା । ସେହି ବର୍ଷ ତାଙ୍କୁ ଓୟୁଏଟି (ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି) ଦ୍ବାରା ‘Equator of Initiative Award’ରେ ମଧ୍ୟ ସମ୍ମାନୀତ କରାଯାଇଥିଲା । 2004 ମସିହାରେ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ‘ଶ୍ରେଷ୍ଠ ମହିଳା ଚାଷୀ’ ଓ 2019 ମସିହାରେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ଆଭୂଷିତ କରାଯାଇଥିଲା ।
ଓଡିଶାର ଗୌରବ ତଥା କୃଷିବିତ୍ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଭିନ୍ନ କିସମର ଧାନ ସଂରକ୍ଷଣ କରିବା ଦିଗରେ ସେ ଦେଶରେ ଉଦାହରଣ ସୃଷ୍ଟି କରିଥିଲେ । ଜନଜାତି ସମୁଦାୟରୁ ଆସି କୃଷି ବିଶେଷତଃ ଜୈବିକ ଚାଷ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଚିର ସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ… pic.twitter.com/TmCzdryizG
— Dharmendra Pradhan (@dpradhanbjp) July 20, 2024
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପନ୍ନ:
ଅସାଧାରଣ ତ୍ୟାଗୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀଙ୍କ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି: ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ । ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ । ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ । ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଳା ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଶାନ୍ତ୍ବନା ଦେଇଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କମଳା ପୂଜାରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଭିନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ… pic.twitter.com/kgQvwn24Og
— Naveen Patnaik (@Naveen_Odisha) July 20, 2024
We lost a rare talent of the state today morning. Padmashree Kamala Pujari is no more. Passed away @70 after a cardiac arrest at 5.45 am. 🙏🙏 pic.twitter.com/6Setjj6fs7
— Prof Jayant Panda (@DrJayantKPanda) July 20, 2024
ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମୀୟସ୍ଵଜନଙ୍କୁ ସମବେଦନା ଜଣାଇଛନ୍ତି। କମଳା ପୂଜାରୀଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
— I & PR Department, Odisha (@IPR_Odisha) July 20, 2024
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବର୍ଗତ ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ…
ଅନ୍ୟପଟେ ତାଙ୍କର ଅସାଧାରଣ ଅବଦାନ ଚିର ସ୍ମରଣୀୟ ହୋଇ ରହିବ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ପରିବାର ଲୋକଙ୍କୁ ଜଣାଇଲେ ସମବେଦନା । ପୁରୀ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କଟକ